• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଶେଷ ହୋଇଛି ଅପରେଶନ ସିନ୍ଦୂର ।  ଭାରତର ରୌଦ୍ର ରୂପ ଦେଖି ଭୟଭୀତ ହୋଇ ପଡିଛି ପାକିସ୍ତାନ । ଚୀନ, ତୁର୍କୀର ସହାୟତା ନେଇ ଭାରତକୁ ମୁକାବିଲା କରିବାକୁ ବାହାରିଥିଲା । ହେଲେ ଭାରତର ରଣକୌଶଳ ପାଖରେ ସମସ୍ତେ ମାତ ଖାଇବା ପରେ ଅସ୍ତ୍ରବରିତ ପାଇଁ ବିଳିବିଳେଇଥିଲା ପାକିସ୍ତାନ । ଯାହା ବି ହେଉ, କଡ଼ା ସର୍ତ୍ତ ଭିତ୍ତିରେ ଭାରତ ଯୁଦ୍ଧ ବିରତି ଘୋଷଣା ପାଇଁ ରାଜି ହୋଇଥିଲା । କହିବାକୁ ଗଲେ ଅପରେଶନ ସିନ୍ଦୂରରେ ପାକିସ୍ତାନକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ହେଲେ ଦେଶର ଏହି ବିଫଳତା ପାଇଁ ଆର୍ମି ଚିଫଙ୍କୁ ପୁରସ୍କାର କେମିତି ମିଳିଲା ?

ଏହି ପ୍ରଶ୍ନ ସମସ୍ତ ଭାରତୀୟଙ୍କ ମୁହଁରେ । ପାକିସ୍ତାନର ଆର୍ମି ଚିଫ ଅସୀମ ମୁନିରଙ୍କୁ ଏବେ ଫଲ୍ଡ ମାର୍ଶାଲ ସମ୍ମାନ ପ୍ରଦାନ କରାଯାଇଛି ।  ଭାରତ-ପାକିସ୍ତାନ ଅଘୋଷିତ ଯୁଦ୍ଧରେ ଭାରତ ବିରୋଧରେ ପାକିସ୍ତାନର ଏୟାରଫୋର୍ସ ଅଧିକ ଆକ୍ଟିଭ ଥିଲା । ଏହାର ଫାଇଟର ଜେଟ ବି ଆକ୍ଟିଭ ଥିଲା ।  ଏସବୁ ସତ୍ତ୍ୱେ ମୁନିରଙ୍କୁ କାହିଁକି ମିଳିଲା ପୁରସ୍କାର? କ’ଣ ରହିଛି ଏହା ପଛର ରହସ୍ୟ ? କ୍ଷମତା ଛଡେଇବାର ଚକ୍ରାନ୍ତ କରୁଛନ୍ତି କି ମୁନିର ? ଏମିତି ଅନେକ ପ୍ରଶ୍ନ ଉଠୁଛି ମନରେ । କାରଣ, ପାକିସ୍ତାନ ଇତିହାସରେ ଏମିତି ଘଟିବାର ଉଦାହରଣ ରହିଛି । ଅତୀତରେ ଏଠି ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଉପାଧି ପାଇ ଶାସନ କ୍ଷମତା ହାତେଇଥିବା ନଜୀର ରହିଛି ।

ଅପରେଶନ ସିନ୍ଦୂରରେ ଭାରତ-ପାକିସ୍ତାନ ସେନା ଚାରିଦିନ ମୁହାଁମୁହିଁ ସ୍ଥିତିରେ ଥିଲେ । ଏମିତି ଏକ ଚରମ ସମୟରେ ଆର୍ମି ଚିଫ ଗାଏବ ହୋଇ ଯାଇଥିଲେ ।   ତଥାପି ତାଙ୍କୁ ଏତେ ସମ୍ମାନ କାହିଁକି ? ପାକ ମିଡିଆର କହିବା ଅନୁଯାୟୀ, ପାକିସ୍ତାନର ଶାହବାଜ ସରିଫ ସରକାରଙ୍କ ଉପରେ ଚାପ ପକାଇ ଆର୍ମି ଚିଫ ମୁନିର  ଏହି ସମ୍ମାନ ହାସଲ କରିଛନ୍ତି । 
ନିର୍ବାଚିତ ପ୍ରତିନିଧି ଥାଇ ବି କାହିଁକି ସେନା ହାତରେ ଏତେ କ୍ଷମତା ?

ପାକିସ୍ତାନରେ ଯଦିଓ ନିର୍ବାଚିତ ପ୍ରତିନିଧି ସରକାର ଚଲାନ୍ତି କିନ୍ତୁ ପ୍ରକୃତ କ୍ଷମତା ସବୁବେଳେ ସେନା ହାତରେ ହିଁ ରହିଥାଏ । ବିଶେଷ କରି ଆଇଏସଆଇ କିମ୍ବା  ଜିଏଚୟୁ ଅର୍ଥାତ ପାକିସ୍ତାନର ଜେନେରାଲ ହେଡ କ୍ୱାର୍ଟର ହାତରେ ଥାଏ କ୍ଷମତା । ପାକିସ୍ତାନର ନାଶନାଲ ସିକ୍ୟୁରିଟି, ଡିପ୍ଲୋମାସି କିମ୍ବା କଶ୍ମୀର ପଲିସ ପ୍ରସଙ୍ଗରେ ଅନ୍ତିମ ନିଷ୍ପତ୍ତି ନେବାର ଅଧିକାର କେବଳ ସେନା ହାତରେ ହିଁ ରହିଛି । ହେଲେ ପାକିସ୍ତାନରେ ଗୋଟିଏ ଯୁଦ୍ଧ ପରେ ସବୁବେଳେ ସେନାର ପିଠି ଥାପୁଡା ଯାଇଥାଏ ।

ଏପରିକି ଯୁଦ୍ଧରେ ବାୟୁସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲେ ହେଁ ଆର୍ମିକୁ ମିଳିଥାଏ ଭୂରିୟସୀ ପ୍ରଶଂସା । ଆଜିଯାଏ କୌଣସି ଗୋଟିଏ ଯୁଦ୍ଧରେ ପାକ ସେନାକୁ ସଫଳତା ମିଳି ନ ଥିଲେ ବି ପ୍ରଶଂସା, ସମ୍ମାନ, ଶ୍ରେୟ ସବୁବେଳେ ମିଳି ଆସିଛି । ନିକଟରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଅଘୋଷିତ ଯୁଦ୍ଧରେ ପାକିସ୍ତାନ ଏୟାରଫୋର୍ସର ରଣନୀତିକ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ ଭାରତକୁ ପାଲଟା ଜବାବଠାରୁ ଆରମ୍ଭ କରି ଏୟାର ଡଗଫାଇଟ୍ସ ପର୍ଯ୍ୟନ୍ତ ପ୍ଲାନିଂ, ଆପ୍ରୁଭାଲ, କୋ-ଅର୍ଡିନେସନ ଆର୍ମି ଏବଂ ଆଇଏସଆଇ କରିଥାଏ । ସେଥିପାଇଁ ସବୁ ଶ୍ରେୟ ଆର୍ମି ଚିଫଙ୍କୁ ମିଳିଥାଏ ।

ଯୁଦ୍ଧରେ କ’ଣ ଥିଲା ମୁନିରଙ୍କର ଭୂମିକା 

ତେବେ ଏଠି ପ୍ରଶ୍ନ, ଏହି ଯୁଦ୍ଧରେ ଅସୀମ ମୁନିରଙ୍କର ଭୂମିକା କ’ଣ ଥିଲା ? କାହିଁକି ତାଙ୍କୁ ବିଫଳତା ସତ୍ତ୍ୱା ମିଳିଲା ପଦୋନ୍ନତି ? ଅସୀମ ମୁନିର ଆଇଏସଆଇ ମୁଖ୍ୟ ଥିଲେ । ପାକିସ୍ତାନର କାଶ୍ମୀର ପଲିସ, ଭାରତ ବିରୋଧୀ ପ୍ରକ୍ସିୱାର ଏବଂ ଆଫଗାନ-ତାଜକିସ୍ତାନ ବର୍ଡରରେ ହୋଇଥିବା ଅପରେସନରେ ମୁନିରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । କହିବାକୁ ଗଲେ ପାକିସ୍ତାନରେ ଆର୍ମି ଚିଫ ଭାବେ ସେ ପୁରା ମିଲିଟାରୀ ସେକ୍ଟରର ମୁଖ୍ୟ ଅଟନ୍ତି ।

ବIୟୁସେନା ଏବଂ ନୌସେନା ତାଙ୍କ ଅଧୀନରେ କାମ କରେ । ପାକିସ୍ତାନରେ ସେନା ମୁଖ୍ୟଙ୍କୁ ହିଁ ରାଷ୍ଟ୍ରମୁଖ୍ୟ ଭାବେ ବିବେଚନା କରାଯାଏ । ବୟୁସେନା ଚିଫଙ୍କ ରାଙ୍କ ଏବଂ ପ୍ରଭାବ ତାଙ୍କ ତଳେ ଥାଏ । କ୍ଷମତାକୁ ଆର୍ମି ଚିଫ ହିଁ ନିୟନ୍ତ୍ରଣ କରିଥାନ୍ତି । ପାକିସ୍ତାନ ମିଲିଟାରୀର ତିନି ବିଭାଗର ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଦେଇଥାନ୍ତି, ହେଲେ ଏହା ସବୁବେଳଳେ ଆର୍ମିଚିଫଙ୍କ ପରାମର୍ଶ ଏବଂ ଅନୁମୋଦନ ପରେ ହିଁ ହୋଇଥାଏ । 

ଯାହା ବି ହେଉ, ଅପରେଶନ ସିନ୍ଦୂରର ବିଫଳତାରେ ସବୁଠାରୁ ବଡ ପୁରସ୍କାର ମିଳିଛି ଆର୍ମି ଚିଫ ଅସୀମ ମୁନିରଙ୍କୁ । ଯୁଦ୍ଧ ସମୟରେ ନିଖୋଜ ହୋଇ ଯାଇଥିବା ମୁନିରଙ୍କୁ ସେନାର ସବୁଠାରୁ ବଡ ପଦବୀ ଫିଲ୍ଡ ମାର୍ଶଲ ପଦ ଦିଆଯାଇଛି । ପାକିସ୍ତାନ ସେନା ଇତିହାସରେ ପୂର୍ବ ସେନାମୁଖ୍ୟ ଜେନରାଲ ମହମ୍ମଦ ଆୟୁବ ଖାନଙ୍କ ପରେ ମୁନିରଙ୍କୁ ଏହି ପଦବୀ ମିଳିଛି । ପାକିସ୍ତାନ ସରକାର ମଙ୍ଗଳବାର ମୁନିରଙ୍କୁ ଏହି ଉପାଧି ମିଳିଥିବା ନେଇ ଘୋଷଣା କରିଛନ୍ତି ।

୧୯୫୯ରେ ଜେନରାଲ ଆୟୁବ ଖାନଙ୍କୁ ଏହି ରାଙ୍କ ମିଳିଥିଲା ।  ହେଲେ ଉୟଭଙ୍କ ନିଯୁକ୍ତି ଏବଂ ପରିସ୍ଥିତିରେ ଆକାଶ ପାତାଳର ପ୍ରଭେଦ ରହିଛି । ତେବେ ପରଦା ପଛରେ ମୁନିର ଯେ ଅୟୁବ ଖାନଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ତାହା ଅନୁମାନ କରାଯାଉଛି ।

କେତେ ଗୁରୁତ୍ୱପୂର୍ଣ୍ଣ ଫିଲ୍ଡ ମାର୍ଶାଲ ପଦ

ମହମ୍ମଦ ଆୟୁବ ଖାନ ୧୯୫୮ରୁ ୧୯୬୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ  । ୧୯୫୮ରେ ସେ ଶାସନକ୍ଷମତା ନିଜ ହାତକୁ ନେଇଥିଲେ ଏବଂ ନିଜକୁ ରାଷ୍ଟ୍ରପତି ବୋଲି ଘୋଷଣା କରିଥିଲେ । ୧୯୫୯ରେ ଯେତେବେଳେ ତାଙ୍କର ଅବସର ନେବାର ବୟସ ପାଖେଇ ଆସିଲା ସେତେବେଳେ ସେ ନିଜକୁ ନିଜେ ଫିଲ୍ଡ ମାର୍ଶାଲ ରାଙ୍କ ଦେଇଥିଲେ । ଅବଶ୍ୟ ସେତେବେଳେ ଆୟୁବ ଖାନ କହିଥିଲେ ପାକିସ୍ତାନ ନାଗରିକ ସମାଜର ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି ସେ ଏହା କରିଛନ୍ତି ।

ହେଲେ ଏହି ସମ୍ମାନ ସେ ନିଜକୁ ନିଜେ ଦେଇଥିବା ସମସ୍ତେ ଜାଣନ୍ତି । ଫିଲ୍ଡ ମାର୍ଶଲ ହେବା ପରେ ସେ ସେନାର ଦାୟିତ୍ୱ ଜେନରାଲ ମୁସା ଖାନଙ୍କ ହାତରେ ସମର୍ପି ଦେଇଥିଲେ ଏବଂ ନିଜେ ଦେଶ ଚଳାଇବା ଉପରେ ଗୁରୁତ୍ୱ ଦେଇଥିଲେ । ସେନା ମୁଖ୍ୟ ଭାବେ ଆୟୁବ ଖାନଙ୍କ କ୍ୟାରିଅର ବିବାଦ ଘେରରେ ରହିଥିଲା । ୧୯୨୮ରେ ସେ ଭାରତର ପଞ୍ଜାବ ରେଜିମେର୍ଟରେ କମିଶନ ପ୍ରାପ୍ତ କରିଥିଲେ ।

୨ୟ ବିଶ୍ୱଯୁଦ୍ଧ ସମୟରେ ଆସାମ ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିଲେ । ହେଲେ ତାଙ୍କର ଦୁର୍ବଳ ନେତୃତ୍ୱ ପାଇଁ ତାଙ୍କୁ ପଦବୀରୁ ହଟାଇ ଦିଆଯାଇଥିଲା ।  ୧୯୫୧ରେ ସେ ପାକିସ୍ତାନର ପ୍ରଥମ କମାଣ୍ଡର-ଇନ-ଚିଫ ହୋଇଥିଲେ ଏବଂ ୧୯୫୮ ଯାଏ ଏହି ପଦବୀରେ ଥିଲେ ।

ଅସୀମ ମୁନିରଙ୍କ ନିଯୁକ୍ତି

ଅସୀମ ମୁନିରଙ୍କ ଫିଲ୍ଡ ମାର୍ଶଲ ଭାବେ ପଦୋନ୍ନତି ଦେଇଛନ୍ତି ଶାହବାଜ ସରିଫ ସରକାର । ଏହି ପଦୋନ୍ନତି ଭାରତ-ପାକିସ୍ତାନ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ଏବଂ ଅପରେଶନ ସିନ୍ଦୂର ପରେ ଦିଆଯାଇଛି । ଏହାକୁ ପାକିସ୍ତାନ ମାର୍କା-ଏ-ହକ ଏବଂ ଅପରୋଶନ ବୁନୟାନ-ଏ-ମରସୁସ(Bunyan-e-Marsoos) ଭାବେ ପ୍ରଚାର କରାଯାଉଛି । ଆୟୁବ ନିଜକୁ ନିଜେ ଏହି ପଦବୀ ପ୍ରଦାନ କରିଥିଲେ । ହେଲେ ଲୋକ ଦେଖାଣିଆ ହେଉ ପଛେ, ମୁନିରଙ୍କୁ ନିର୍ବାଚିତ ସରକାର ଏହି ପଦବୀ ପ୍ରଦାନ କରିଛନ୍ତି ।

୨ୟ ପ୍ରଭେଦ ହେଉଛି, ଆୟୁବ ଫିଲ୍ଡ ମାର୍ଶଲ ହେବା ପରେ ସେନା ମୁଖ୍ୟ ପଦବୀରେ ରହି ନ ଥିଲେ । ହେଲେ ମୁନିର ଏବେ ସେନା ମୁଖ୍ୟ ପଦବୀରେ ରହିଛନ୍ତି । ନଭେମ୍ବର ୨୦୨୪ରେ ପାକିସ୍ତାନର ବିଧାନସଭା  ସେନା, ନୌସେନା, ବାୟୁ ସେନା ମୁଖ୍ୟଙ୍କ କାର୍ଯ୍ୟକାଳ ବୟସ ତିନିରୁ ୫ ବର୍ଷ ଲେଖାଏ ବଢାଇ ଦେଇଛନ୍ତି । ସେହି ଅନୁସାରେ, ମୁନିର ୨୦୨୭ ଯାଏ ଏହି ପଦବୀରେ ରହିପାରିବେ । 

ପାକିସ୍ତାନ ଏବଂ ଭାରତର ସେନା ବ୍ରିଟିଶ ସୈନ୍ୟ ପରମ୍ପରାକୁ ପାଳନ କରି ଆସୁଛନ୍ତି । ସେହି ଅନୁସାରେ ଦେଖିଲେ, ଫିଲ୍ଡ ମାର୍ଶାଲ ପାଞ୍ଚ ତାରକା ରାଙ୍କ ଅଟେ । ଏହି ଫାଇଭ ଷ୍ଟାର ଯୁଦ୍ଧ ସମୟରେ ଅସାଧାରଣ ନେତୃତ୍ୱ ଏବଂ ସଫଳତା ପାଇଁ ଦିଆ ଯାଇଥାଏ । ଫିଲ୍ଡ ମାର୍ଶାଲ ପଦବୀରେ ଥିବା ଅଧିକାରୀ ଅବସର ପରେ ବି ସକ୍ରୀୟ ତାଲିକାରେ ରୁହନ୍ତି । ଅର୍ଥାତ ଫିଲ୍ଡ ମାର୍ଶାଲମାନେ ସାରା ଜୀବନ ତାଙ୍କର ୟୁନିଫର୍ମ ଏବଂ ସ୍ୱତନ୍ତ୍ର ବ୍ୟାଜ୍ ପିନ୍ଧିପାରିବେ । ଭାରତର ସାମ ମାନେକଶା ଏବଂ କେଏମ କରିୟପ୍ପାଙ୍କୁ ଏହି ରାଙ୍କ ମିଳିଥିଲା । 

ମୁନିରଙ୍କ ପଦୋନ୍ନତି ପଛର ରହସ୍ୟ କ’ଣ ?

ମୁନିରଙ୍କ ପଦୋନ୍ନତିକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡା ହୋଇଛି । କେହି କେହି ଏହି ପଦବୀକୁ ସେନା ସଫଳତାର ସମ୍ମାନ ବୋଲି କହୁଛନ୍ତି । ଅନ୍ୟପକ୍ଷେ କିଛି ଏହାକୁ ସୈନ୍ୟ ଶକ୍ତିକୁ ଆହୁରି ମଜବୁତ କରିବାର ଚେଷ୍ଟା ବୋଲି ବି କହୁଛନ୍ତି । ଅପରେଶନ ସିନ୍ଦୂରରେ ଭାରତ ପାକିସ୍ତାନ ଭିତରେ ପଶି ୯ ଆତଙ୍କୀ ଆଡ୍ଡାକୁ ନଷ୍ଟ କରି ଦେଇଥିଲେ । ହେଲେ ପାକିସ୍ତାନର ପ୍ରତିଜବାବ ବିଫଳ ହୋଇଥିଲା । ତଥାପି ମୁନିରଙ୍କୁ ତାଙ୍କର ରାଜନୈତିକ ପ୍ରତିଭା ପାଇଁ ଏହି ରାଙ୍କ ଦିଆଗଲା ।

ଗୋଟିଏ ଅର୍ଥରେ କହିବାକୁ ଗଲେ ଏହି ପଦକ୍ଷେପ ପାକିସ୍ତାନର ସୈନ୍ୟ-ରାଜନୈତିକ ଗତିଶୀଳତାକୁ ହିଁ ଦର୍ଶାଉଛି । ଏହି ଦେଶରେ ସେନାର ପ୍ରଭାବ ସବୁବେଳେ ରହି ଆସିଛି । ତେବେ ଏମିତି ପ୍ରଶ୍ନ ବି ଉଠିଛି, ଏହି ପଦବୀ ପାଇବା ପରେ ମୁନିର ଆୟୁବ ଖାନଙ୍କ ପରି କ୍ଷମତକୁ ନିଜ ହାତକୁ ନେବାର ଚେଷ୍ଟା କରିବେନି ତ ?

ଭାରତର ଫିଲ୍ଡ ମାର୍ଶଲ ପଦବୀ କେତେ ଗୁରୁତ୍ୱପୂର୍ଣ୍ଣ

ଭାରତର ପ୍ରତିରକ୍ଷା ବିଭାଗ ବର୍ତ୍ତମାନ ସୁଦ୍ଧ ଦୁଇଜଣଙ୍କୁ ଏହି ଫିଲ୍ଡ ମାର୍ଶଲ ପଦବୀ ପ୍ରଦାନ କରିଛି । ସାମ ମାନେକଶା ଓ କେଏମ କରିୟପ୍ପା  ।  ସାମ ମାନେକଶା ୧୯୭୩ରେ ଫିଲ୍ଡ ମାର୍ଶାଲ  ପଦବୀ ପାଇଥିଲେ । ୧୯୭୧ରେ ଭାରତ-ପାକ ଯୁଦ୍ଧରେ ଭାରତୀୟ ସେନାର ନେତୃତ୍ୱ ନେଇ ମାନେକଶା ନିଜର ଦକ୍ଷତା ଦେଖାଇ ଥିଲେ । ଏହି ଯୁଦ୍ଧ ପରେ ବଂଲାଦେଶ ଗଠିତ ହୋଇଥିଲା । ମାନେକଶା ଭାରତର ପ୍ରଥମ ଫିଲ୍ଡ ମାର୍ଶାଲ ଅଟନ୍ତି । ଦ୍ୱତୀୟ ହେଉଛନ୍ତି କୋଣ୍ଡଦର ମଡପ୍ପା କରିୟପ୍ପା (କେ.ଏମ.କରିୟପ୍ପା) । ୧୯୮୬ରେ ତାଙ୍କୁ ଫିଲ୍ଡ ମାର୍ଶାଲ ପଦବୀ ମିଳିଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ସେନାମୁଖ୍ୟ ଥିଲେ ଏବଂ ୧୯୪୭-୪୮ରେ ହୋଇଥିବା ଭାରତ-ପାକ ଯୁଦ୍ଧରେ ତାଙ୍କର ଭୂମିକା ମହତ୍ୱପୂର୍ଣ୍ଣ ଥିଲା ।

ଓଟିଭି ବିଜ୍ଞାପନ