• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

୧୯୪୭ ମସିହାରେ ଦାସତ୍ୱର ଶିକୁଳିରୁ ମୁକ୍ତ ହୋଇଥିଲା ଭାରତ । ହେଲେ ଭାରତର ମୁକ୍ତି ସଂଗ୍ରାମ ଏତେ ସହଜ ନ ଥିଲା। ଘର ପରିବାର, ବନ୍ଧୁ ପରିଜନ, ସୁଖ-ଦୁଃଖ ଭୁଲି ଭାରତ ମାତାର ବୀର ପୁତ୍ର ଓ ପୁତ୍ରର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଦେଶ ସ୍ୱାଧୀନ ହୋଇଛି ସତ ହେଲେ ବ୍ରିଟିଶ ମାନଙ୍କର ବର୍ବରତାର କାହାଣୀ ମନେ ପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠେ । ସେତେବେଳେ ଇଂରେଜଙ୍କ ବିରୋଧରେ ମେଳି ବାନ୍ଧି ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ସେନାନୀଙ୍କୁ ବିନା କାରଣରରେ ଜେଲଦଣ୍ଡ ଭୋଗିବା ପାଇଁ ପଡ଼ୁଥିଲା । ସଶ୍ରମ କାରାଦଣ୍ଡ ଭୋଗିବା ସହ ଇଂରେଜମାନଙ୍କର ମାଡ଼ ଓ ଅକଥନୀୟ ନିର୍ଯାତନା ସହିବାକୁ ପଡ଼ୁଥିଲା ।

ସ୍ୱାଧୀନତା ସଂଗ୍ରାମୀଙ୍କୁ ଦଣ୍ଡ ଦେବାପାଇଁ ଏକ ଜୀବନ୍ତ ନର୍କ ତିଆରି କରିଥିଲେ ଇଂରେଜ ସରକାର । ସୁନ୍ଦର ଦ୍ୱୀପରେ ତିଆରି ହୋଇଥିଲା ସେହି ଜେଲ, ଯେଉଁଠାରେ ସଂଗ୍ରାମୀଙ୍କୁ ନର୍କ ଯନ୍ତ୍ରଣା ଦିଆଯାଉଥିଲା । ଏହାର ନାମ ଥିଲା ସେଲ୍ୟୁଲାର୍ ଜେଲ୍ , ଯେଉଁଠାରେ ସଜା କାଟିବାକୁ କୁହାଯାଉଥିଲା କଳାପାଣି ଦଣ୍ଡ । ଆଣ୍ଡାମାନ ନିକୋବର ଦ୍ବୀପର ରାଜଧାନୀ ପୋର୍ଟ ବ୍ଲେୟାରରେ ଏହି ଜେଲ ଅବସ୍ଥିତ। ଭାରତ ଠାରୁ ହଜାରେ କିଲୋମିଟର ଦୁରରେ ଥିବା ଏହି ଜେଲକୁ ଇଂରେଜମାନେ ତିଆରି କରିଥିଲେ, ଯେଉଁଥିରେ ଭାରତୀୟ ସ୍ୱତନ୍ତ୍ରତା ସେନାନୀଙ୍କୁ ବନ୍ଦୀ କରି ରଖାଯାଇଥିଲା । ସ୍ୱାଧୀନତାର ସ୍ୱପ୍ନ ଦେଖୁଥିବା ବେଳେ ଅନେକ ବିପ୍ଳବୀ ଏଠାରେ ଅଜ୍ଞାତରେ ସହିଦ ହୋଇଯାଇଥିଲେ ।

ଇଂରେଜ ସରକାର ବନ୍ଦୀମାନଙ୍କୁ ପିନ୍ଧିବା ପାଇଁ ଝୋଟର ପୋଷାକ ଦେଉଥିଲେ, ଫଳରେ ସେମାନଙ୍କ ଶରୀରର ଚମଡ଼ା ଉଠିଯାଉଥିଲା । ହାତଗୋଡ଼ରେ ଲୁହାର ମୋଟା ମୋଟା ଶିକୁଳି ବନ୍ଧା ହୋଇଥିବା ଯୋଗୁଁ ଗଭୀର କ୍ଷତ ସୃଷ୍ଟି ହେଉଥିଲା ଏବଂ ଚିକିତ୍ସା ଅଭାବରୁ ବନ୍ଦୀମାନେ ମୃତ୍ୟୁବରଣ କରୁଥିଲେ ।

୨୦୦୨ କଏଦୀଙ୍କୁ ଜାହାଜରେ ଅଣାଯାଇଥିଲା

ମାର୍ଚ୍ଚ ୧୦, ୧୮୫୮ ରେ ସମୀରାମିସ୍ ନାମକ ଏକ ଜାହାଜ ମାଧ୍ୟମରେ ୨୦୦ ଜଣ କଏଦୀଙ୍କୁ ପ୍ରଥମ ଥର ପାଇଁ ଆଣ୍ଡାମାନର ସେଲ୍ୟୁଲାର୍ ଜେଲକୁ ଅଣାଯାଇଥିଲା। ସେତେବେଳେ ଆଣ୍ଡାମାନରେ ଜେଲରେ କୌଣସି ବ୍ୟବସ୍ଥା ନଥିଲା । କଏଦୀଙ୍କୁ ଆଣିବାର କିଛି ଦିନ ମଧ୍ୟରେ ଏଠାରେ ତିଆରି ହୋଇଥିଲା ସେହି ଭୟଙ୍କର ଜେଲ, ଆଉ ଏକ ଫାଶୀ ଘର ।

୧୮୯୦ ମସିହାରେ ଜେଲ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟରେ ଲେଖାଯାଇଥିଲା, ତିନୋଟି ସ୍ତରରେ ବନ୍ଦୀମାନଙ୍କ ଏକାନ୍ତବାସ ହେବା ଜରୁରୀ । ପ୍ରଥମ ମୁଖ୍ୟଭୂମିରୁ ଜେଲକୁ ଭିନ୍ନ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଦ୍ୱିତୀୟରେ ଜେଲଟି ସ୍ଥାନୀୟ ଲୋକଙ୍କଠାରୁ ଅଲଗା ହେବା ଉଚିତ୍ । ତୃତୀୟରେ ଜେଲରେ ରଖାଯାଇଥିବା ସ୍ୱାଧୀନତା ସଂଗ୍ରାମୀମାଙ୍କୁ ପରସ୍ପରଠାରୁ ଅଲଗା ରଖାଯିବ ।

ଜେଲ ଡିଜାଇନ କରିଥିଲେ ଜେରମି ବେଥମ

ପ୍ରତ୍ୟେକ କଏଦୀଙ୍କୁ ଏକ ଛୋଟ ନିବୁଜ କୋଠରୀରେ ରଖାଯାଉଥିଲା । ବନ୍ଦୀମାନଙ୍କୁ ଆଦୌ କଥାବାର୍ତ୍ତା ହେବା ପାଇଁ ଅନୁମତି ନଥିଲା । ଏହି ପ୍ରକାର ଜେଲକୁ ସାଇଲେଣ୍ଟ ସିଷ୍ଟମ କୁହାଯାଉଥିଲା । ଏହି ସିଷ୍ଟମକୁ ଜେରେମି ବେଥମ ଡିଜାଇନ୍ କରିଥିଲେ, ଯିଏକି ଆଧୁନିକ ଜେଲ ସିଷ୍ଟମର ପିତା ଭାବରେ ମଧ୍ୟ ଜଣାଶୁଣା ।

ଜେଲ ତିଆରି ପାଇଁ ବର୍ମାରୁ ଆସିଥିଲା ଇଟା

୧୮୯୬ ମସିହାରେ ସେଲ୍ୟୁଲାର୍ ଜେଲର ନିର୍ମାଣ ଆରମ୍ଭ ହୋଇଥିଲା ଏବଂ ଏଥିପାଇଁ ବର୍ମା ତଥା ଆଜିର ମିଆଁମାରରୁ ଇଟା ଅଣାଯାଇଥିଲା । ବର୍ମା ସେତେବେଳେ ବ୍ରିଟିଶ ସାମ୍ରାଜ୍ୟର ଏକ ଅଂଶ ଥିଲା । ଏହି ଜେଲରେ ୭ ଫୁଟର ୧୩.୫ ଗୁଣା ମାପ ବିଶିଷ୍ଟ ୬୯୮ ଏକାକୀ ସେଲ ତିଆରି କରାଯାଇଥିଲା ।

କୋଠରୀ ଭିତରକୁ ଆଲୋକ ଏବଂ ବାୟୁ ଆସିବା ପାଇଁ କେବଳ ଗୋଟିଏ ଝରକା ଥିଲା । ସାମ୍ନାରେ ଥିଲା ଏକ ଶକ୍ତିଶାଳୀ ଲୁହା କବାଟ । କୋଠରୀ ଭିତରେ ବନ୍ଦୀମାନଙ୍କୁ ଏକ କାଠ ଖଟ, ଲୁହା ପ୍ଲେଟ ଏବଂ କମ୍ବଳ ଦିଆଯାଇଥିଲା । ବନ୍ଦୀମାନଙ୍କୁ ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଏହି କୋଠରୀରେ ରଖାଯାଉଥିଲା ।

ନିବୁଜ କଠୋରୀରେ ରହୁଥିବା ଯୋଗୁଁ କଏଦୀଙ୍କ ମାନସିକ ସନ୍ତୁଳନ ଉପରେ ବହୁତ ପ୍ରଭାବ ପଡ଼ୁଥିଲା । ଏହା ବ୍ୟତୀତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅନ୍ୟାନ୍ୟ ପ୍ରକାରର ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିଲା । ଏହି କାରଣରୁ ଅନେକ କଏଦୀ ମାନସିକ ସନ୍ତୁଳନ ହରାଇ ବସୁଥିଲେ । ଅନେକ କଏଦୀ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆତ୍ମହତ୍ୟା ମଧ୍ୟ କରୁଥିଲେ। ଦଣ୍ଡ ଭୋଗିବା ଅପେକ୍ଷା ସେମାନଙ୍କ ପାଇଁ ମୃତ୍ୟୁ ଅଧିକ ସହଜ ମନେ ହେଉଥିଲା ।

 

କମ ଲୋକ ବାହାର ଦୁନିଆ ଦେଖିପାରିଥିଲେ

ସମୁଦ୍ର ମଝିରେ ଘଞ୍ଚ ଜଙ୍ଗଲରେ ନିର୍ମିତ ଏହି କାରାଗାରରେ ମୌସୁମୀ ଆସିବା ମାତ୍ରେ ଅନ୍ଧକାର ଘଟିଯାଉଥିଲା । ସେଥିପାଇଁ ପାଣି ମଧ୍ୟ ସମ୍ପୂର୍ଣ୍ଣ କଳା ଦେଖାଯାଉଥିଲା । ତେଣୁ ଏହାକୁ କଳାପାଣି ଦଣ୍ଡ କୁହାଯାଉଥିଲା । ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ଏହି ଅତଳ ସମୁଦ୍ରକୁ ପାରି କରିବା କୌଣସି ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ। କିଛି ଲୋକଙ୍କ ଅନୁସାରେ କଳାପାଣି ନାମ ସଂସ୍କୃତ ଶବ୍ଦ କଳାକୁ ଆସିଛି , ଯାହାର ଅର୍ଥ ହେଉଛି ସମୟ। ଯାହା ମୃତ୍ୟୁର କୋଳକୁ ଟାଣିନିଏ ।

ଯେଉଁ ବିପ୍ଳବୀ ମାନଙ୍କୁ କଳାପାଣି ଦଣ୍ଡ ମିଳୁଥିଲା, ସେମାନଙ୍କୁ ମୃତ ମାନିନେଉଥିଲେ ପରିବାର ଲୋକ । କୌଣସି କଏଦୀ ଜେଲରୁ ଖସି ପଳେଇବାକୁ ଚେଷ୍ଟା କରେ, ତେବେ ସେ ସେହି ସମୁଦ୍ରର ଗଭୀର ପାଣି ଭିତରେ ବୁଡି ମରିବା ସାର ହୋଇଥାଏ। ବହୁତ କମ୍ ସ୍ୱାଧୀନତା ସଂଗ୍ରାମୀ ଏଠାରୁ ଜୀବନ୍ତ ଫେରି ଆସିପାରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ବିନାୟକ ଦାମୋଦର ସାବରକର । କଳାପାଣି ଦଣ୍ଡ ୧୦ ବର୍ଷ ଭୋଗିବା ପରେ ସେ ମୁକ୍ତ ହୋଇଥିଲେ । ସେ କଳାପାଣି ଦଣ୍ଡ ଭୋଗୁଥିବା ସମୟରେ ତାଙ୍କ ଭାଇ ମଧ୍ୟ ସେଠାରେ ଥିଲେ । ହେଲେ ଉଭୟେ ସେସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ୨ ବର୍ଷ ପରେ ଦୁଇ ଭାଇ କଳାପାଣି ସଜା କାଟୁଥିବା ଜାଣିବାକୁ ପାଇଥିଲେ । କେଉଁ କଏଦୀ କେଉଁ କଠୋରୀରେ ରହୁଥିଲେ, ସେକଥା କାହାକୁ ଜଣାନଥିଲା । ସବୁବେଳେ ଏକାନ୍ତରେ ରହୁଥିବାରୁ ସେମାନଙ୍କ ମାନସିକ ଅବସ୍ଥା ଖରାପ ହେବାରେ ଲାଗୁଥିଲା ।

 

ଷ୍ଟାରଫିସ ପରି ତିଆରି ହୋଇଥିଲା ଜେଲ

ପୂର୍ବରୁ ସେଲ୍ୟୁଲାର୍ ଜେଲରେ ୭ଟି ୱିଙ୍ଗ ଥିଲା, ସେଥିମଧ୍ୟରୁ ୩ଟି ଏବେ ବି ରହିଛି । ଏଠାରେ ଶୌଚାଳୟ ବ୍ୟବସ୍ଥା ସବୁଠାରୁ ଖରାପ ଥିଲା । ବନ୍ଦୀମାନଙ୍କୁ ଶୌଚାଳୟ ଯିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା । ବ୍ରିଟିଶ ଅଧିକାରୀଙ୍କ ସାମ୍ନାରେ କାନ୍ଦିବାକୁ ଏବଂ ନିବେଦନ କରିବାକୁ ପଡ଼ୁଥିଲା । ଷ୍ଟାରଫିସ୍ ଆକାରରେ ନିର୍ମିତ ଏହି କାରାଗାରରେ ବନ୍ଦୀମାନଙ୍କ ଉପରେ କେନ୍ଦ୍ରୀୟ ଟାୱାରରୁ ନଜର ରଖାଯାଉଥିଲା । ଏହି ଜେଲରୁ ଖସିଯିବା ପ୍ରାୟ ଅସମ୍ଭବ ଥିଲା। କେହି ପଳାୟନ କରିବା ପାଇଁ ଚେଷ୍ଟା କରୁଥିଲେ ଜେଲରେ ଥିବା ବଡ଼ ବଡ଼ ଘଣ୍ଟି ବାଜି ଉଠୁଥିଲା ଏବଂ ପ୍ରହରୀମାନେ ସଜାଗ ହୋଇଯାଉଥିଲେ । ଭାରତୀୟଙ୍କ ଲୁହ ଆଉ ରକ୍ତରେ ଭିଜିଥିବା ଏହି ଜେଲର ଇତିହାସ ସତରେ ଖୁବ ଭୟଙ୍କର । 

OTV is now on Whatsapp

Join and get latest news update delivered to you via whatsapp

Join Now