• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନରେ ନୂଆ ସରକାର ଆସିବା ଦ୍ୱାରା ସୁଧୁରିବ କି ଭାରତ ସହ ସଂପର୍କ ? ପୁଣି ଦୁଇ ଦେଶ ମଧ୍ୟରେ ଆରମ୍ଭ ହେବ କି ଶାନ୍ତି ଆଲୋଚନା ? ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ପ୍ରତି କଠୋର ମନୋଭାବ ପୋଷଣ କରିଆସୁଥିଲେ ଫଳରେ ତାଙ୍କ ସମୟରେ ଦୁଇ ଦେଶର ସଂପର୍କ ସବୁଠୁ ଅଧିକ ଖରାପ ହୋଇପଡିଥିଲା । ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଜଣେ ବାସ୍ତବବାଦୀ ନେତା । ତେଣୁ ବାସ୍ତବତାକୁ ବୁଝି ସେ ଭାରତ ସହ ସଂପର୍କ ସୁଧାରିବା ଲାଗି ପ୍ରୟାସ କରିପାରନ୍ତି । ତେବେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ଆଭିମୁଖ୍ୟ ପରିବର୍ତ୍ତନ ସମ୍ଭାବନା କମ୍ ବୋଲି ମତ ଦେଇଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ ।

ଭାରତ-ପାକିସ୍ତାନ ସଂପର୍କରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି କାଶ୍ମୀର । କାଶ୍ମୀର ପ୍ରସଙ୍ଗକୁ ନେଇ ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଏହାର ଆଭିମୁଖ୍ୟ ପରିବର୍ତ୍ତନ ନ କରିଛି ସେପର୍ଯ୍ୟନ୍ତ ଦୁଇ ଦେଶର ସଂପର୍କ ସ୍ୱାଭାବିକ ହେବାର ପ୍ରଶ୍ନ ହିଁ ଉଠୁନି । ଇମ୍ରାନ ହୁଅନ୍ତୁ କି ଶାହବାଜ ସରିଫ କାଶ୍ମୀରକୁ ନେଇ ପାକିସ୍ତାନ ନେତାମାନେ ଏତେ ମାତ୍ରାରେ ଆସକ୍ତ ଯେ, ଏହି ପ୍ରସଙ୍ଗକୁ ଛାଡି ରାଜନୀତି କରିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ତେଣୁ ଇମ୍ରାନଙ୍କ ସ୍ଥାନରେ ପାକିସ୍ତାନରେ ନୂଆ ସରକାର ଗଠନ ହେବା ଦ୍ୱାରା ନୂଆଦିଲ୍ଲୀ-ଇସଲାମାବାଦ୍ ସଂପର୍କରେ ସୁଧାର ଆସିବା ସମ୍ଭାବନା କମ୍ ।

ତେବେ ଭାରତ ରାଜି ହେଲେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଆଗକୁ ବଢିବାକୁ ପ୍ରସ୍ତୁତ ବୋଲି କିଛି ଦିନ ତଳେ କହିଥିଲେ ପାକ୍ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜଓ୍ୱା । ଆଲୋଚନା ମାଧ୍ୟମରେ ହିଁ ଦୁଇ ପକ୍ଷ ମଧ୍ୟରେ ଥିବା ସମସ୍ତ ବିବାଦର ସମାଧାନ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏବେ ଜେନେରାଲ ବାଜଓ୍ୱାଙ୍କ କଥା ଦୋହରାଇଛନ୍ତି ଶାହବାଜ ସରିଫ୍ । ସେ ଭାରତ ସହ ଶାନ୍ତି ଚାହାନ୍ତି, ତେବେ କାଶ୍ମୀର ବିବାଦର ସମାଧାନ ନହେବା ଯାଏଁ ଶାନ୍ତି ଫେରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ପ୍ରତି କଠୋର ମନୋଭାବ ଦେଖାଇ ଥିଲେ । ଭାରତ ପାଦେ ବଢିଲେ ସେ ଦୁଇ ପାଦ ବଢିବାକୁ ପ୍ରସ୍ତୁତ ବୋଲି ୨୦୧୮ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଗାଦିରେ ବସିବା ପରେ କହିଥିଲେ ଇମ୍ରାନ । ତେବେ ପୁଲଓ୍ୱାମା ଆକ୍ରମଣ, ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଶେଷରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ପହ଼ଞ୍ଚିଥିଲା । କେବଳ ସୀମୀରେ ଅସ୍ତ୍ର ବିରତି ଲାଗୁ ବ୍ୟତୀତ ସଂପର୍କ ସୁଧାରିବା ଲାଗି ଆଉ କୌଣସି ପ୍ରୟାସ ହୋଇନଥିଲା ।

ଅନ୍ୟପକ୍ଷରେ ଆତଙ୍କବାଦ ଓ ଆଲୋଚନା ଏକାସାଙ୍ଗରେ ଚାଲିପାରିବ ନାହିଁ ବୋଲି ଭାରତର ଦୃଢ ଆଭିମୁଖ୍ୟ ଦୁଇ ଦେଶର ସଂପର୍କକୁ ଶୀତଳ ଭଣ୍ଡାର ମଧ୍ୟକୁ ଠେଲି ଦେଇଥିଲା । ତେଣେ ପାକିସ୍ତାନର ନୂଆ ସରକାର ପାଇଁ ଏବେ ଅନେକ ଚ୍ୟାଲେଞ୍ଜ । ଦେଶର ଅର୍ଥନୀତି ଭୁଶୁଡି ପଡିଥିବା ବେଳେ ଏହାକୁ ଟ୍ରାକକୁ ଫେରାଇବା ସବୁଠୁ ବଡ଼ ଆହ୍ୱାନ ହେବାକୁ ଯାଉଛି । ତେଣେ ଚୀନ୍ ଓ ଆମେରିକା ମଧ୍ୟରେ ସନ୍ତୁଳନ ରଖିବା ନୂଆ ସରକାର ପାଇଁ ସହଜ ହେବ ନାହିଁ । ସେହିପରି ଆତଙ୍କବାଦ ପାକିସ୍ତାନ ବୈଦେଶିକ ନୀତିର ଏକ ପ୍ରମୁଖ ଅଙ୍ଗ ହୋଇଥିବାରୁ, ଏହାକୁ ନଛାଡିବା ଯାଏଁ ଭାରତ ସହ ଶାନ୍ତି ଆଲୋଚନା ଆରମ୍ଭ ହେବାର ସମ୍ଭାବନା କମ୍ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

କାଶ୍ମୀର ପ୍ରସଙ୍ଗରେ ଶେହବାଜଙ୍କ ମନ୍ତବ୍ୟ ଉପରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ତେବେ ପାକିସ୍ତାନର ରାଜନୈତିକ ଗତିବିଧି ଉପରେ ଭାରତ ତୀକ୍ଷଣ ନଜର ରଖିଛି ।