Advertisment

ସାରା ବିଶ୍ୱରେ ଶଙ୍କା ବଢ଼ାଇଲା ‘Disease X’,ମହାମାରୀ ଆଣିବ କି ଏହି ଅଜଣା ରୋଗ ?

କୋଭିଡ୍ ଭୟ ମନରୁ ନଯାଉଣୁ ବିଶ୍ୱରେ ଶଙ୍କା ବଢ଼ାଇଲାଣି ଡିଜିଜ୍-ଏକ୍ସ ରହସ୍ୟ । ଆଗକୁ ଯେଉଁ ମହାମାରୀ ଆସିବ ତାହା କୋଭିଡ ଠାରୁ ମଧ୍ୟ ଭୟଙ୍କର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ସତର୍କ କରିବା ପରେ, ଡିଜିଜ୍-ଏକ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Disease X

Disease X

ଲୋକଙ୍କ ମନରୁ କୋଭିଡ୍ ଡର ନଲିଭୁଣୁ ପୁଣି ଚିନ୍ତା ବଢ଼ାଇଲାଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମୁଖ୍ୟଙ୍କ ସତର୍କବାଣୀ । ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ୱ ପ୍ରସ୍ତୁତ ରହିବା ଦରକାର ଏବଂ ତାହା କୋଭିଡ୍-19 ଠାରୁ ମଧ୍ୟ ଅଧିକ ଘାତକ ହୋଇପାରେ ବୋଲି ସତର୍କ କରିଛନ୍ତି ଡବ୍ଲୁଏଚଓ ମୁଖ୍ୟ ଟେଡ୍ରସ୍ ଆଧାନମ୍ । ତେବେ ଏହି ପରବର୍ତ୍ତୀ ମହାମାରୀ ବୋଲି ସେ କାହାକୁ ଇଙ୍ଗିତ କରୁଛନ୍ତି, ତାହା ଜାଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିବା ପରେ ଚର୍ଚ୍ଚାର ପରିସରକୁ ଆସିଛି 'ଡିଜିଜ୍ ଏକ୍ସ' ।

Advertisment

ଆଗାମୀ ମହାମାରୀ ଯେଉଁ ସବୁ ଭୂତାଣୁ ବା ରୋଗ ଦ୍ୱାରା ସୃଷ୍ଟି ହୋଇପାରେ, ତାର ଏକ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରିଛି ଡବ୍ଲୁଏଚଓ । ଇବୋଲା, ସାର୍ସ ଓ ଜିକା ଆଦି ସହିତ ତାଲିକାର ଶେଷରେ ରହିଛି ଡିଜିଜ୍-ଏକ୍ସ (Disease X) । ତେବେ କଣ ଏହି ଡିଜିଜ୍-ଏକ୍ସ? ଏହା କେତେ ସଂକ୍ରାମକ ଓ ମାରାତ୍ମକ ? କେଉଁ ଭୂତାଣୁ ସଂକ୍ରମଣରୁ ବ୍ୟାପିଥାଏ ଏହି ରୋଗ? ଏହାର ଟିକା ଓ ଚିକିତ୍ସା ପଦ୍ଧତି ତ ? ଡିଜିଜ୍-ଏକ୍ସକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ, ଲୋକଙ୍କ ମନରେ ଏସବୁ ପ୍ରଶ୍ନ ବି ଉଙ୍କି ମାରୁଛି ।

ତେବେ ବାସ୍ତବ କଥା ହେଉଛି, ଡିଜିଜ୍ ଏକ୍ସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ । ପ୍ରକୃତରେ, ଡିଜିଜ୍-ଏକ୍ସ ବୋଲି କୌଣସି ନିର୍ଦ୍ଦିଷ୍ଟ ରୋଗ ନାହିଁ । ଏହା କେବଳ ଏକ କାଳ୍ପନିକ ଶବ୍ଦ। ଡିଜିଜ୍-ଏକ୍ସ ଶବ୍ଦକୁ ଡବ୍ଲୁଏଚଓ ଏଭଳି ଏକ ଅଜଣା ରୋଗକୁ ବର୍ଣ୍ଣନା କରିବା ପାଇଁ ବ୍ୟବହାର କରିଥାଏ, ଯାହାକି ହୁଏତ ଆଗାମୀ ଦିନରେ ମହାମାରୀର ରୂପ ନେଇପାରେ ଏବଂ ତାହା ଏବେବି ଚିକିତ୍ସା ବିଜ୍ଞାନ ପାଇଁ ଅଜ୍ଞାତ ରହିଛି । ୨୦୧୮ ମସିହାରେ ପ୍ରଥମ ଥର ଅଜଣା ରୋଗ ପାଇଁ ଡିଜିଜ୍-ଏକ୍ସ ଶବ୍ଦ ବ୍ୟବହାର କରିଥିଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ୨୦୧୯ରେ କୋଭିଡ୍-19 ଡିଜିଜ୍-ଏକ୍ସର ସ୍ଥାନ ନେଇଥିଲା । ଆଗକୁ ସେଭଳି କୌଣସି ଅଜ୍ଞାତ ରୋଗ ମହାମାରୀର ରୂପ ନେଲେ ତାହା ବର୍ତ୍ତମାନର ଡିଜିଜ୍-ଏକ୍ସର ସ୍ଥାନ ନେବ। ଏହା ଭୂତାଣୁ, ବ୍ୟାକ୍ଟେରିଆ କିମ୍ବା କବକ ହୋଇପାରେ।...

Advertisment

କରୋନାର ଉତ୍ପତ୍ତି କେଉଁଠୁ ହେଲା ତାହା ଏବେବି ସ୍ପଷ୍ଟ ହୋଇନାହିଁ । ଏଭଳି ସ୍ଥିତିରେ ଡିଜିଜ୍-ଏକ୍ସ କେଉଁଠାରୁ ଉତ୍ପତ୍ତି ହୋଇପାରେ ଏବଂ ମାନବଜାତିକୁ ସଂକ୍ରମିତ କରିପାରେ, ତାକୁ ନେଇ ମଧ୍ୟ ଗବେଷଣା ଜାରି ରହିଛି । ପରବର୍ତ୍ତୀ ମହାମାରୀ ଅର୍ଥାତ୍ ଡିଜିଜ୍ ଏକ୍ସ ହୁଏତ ଇବୋଲା ଓ କୋଭିଡ୍ ଭଳି ଜୁନୋଟିକ୍ ହୋଇପାରେ ବୋଲି ଅନୁମାନ କରୁଛନ୍ତି ବହୁ ବିଶେଷଜ୍ଞ । ଅର୍ଥାତ୍ ଏହା କୌଣସି ଅନ୍ୟ ଜୀବଜନ୍ତୁ ଠାରୁ ମଣିଷକୁ ବ୍ୟାପିପାରେ । ଆଉ କେହି କେହି ଆଶଙ୍କା କରୁଛନ୍ତି ଯେ, ମଣିଷ ଦ୍ୱାରା ପରୀକ୍ଷାଗାରରେ ତିଆରି କରାଯାଇଥିବା ପାଥୋଜେନ୍ ଯୋଗୁଁ ଦେଖାଦେଇପାରେ ପରବର୍ତ୍ତୀ ମହାମାରୀ ।

କେବଳ ଏତିକି ନୁହେଁ, ଜୈବିକ ଅସ୍ତ୍ର ବା ବାୟୋ-ୱିପନର ପ୍ରୟୋଗ, ବାୟୋ ଟେରରିଜିମ୍ ବା ଜୈବିକ ଆତଙ୍କବାଦ କିମ୍ବା ପରୀକ୍ଷାଗାରରେ ଦୁର୍ଘଟଣାରୁ ମଧ୍ୟ ଏଭଳି ସଂକ୍ରାମକ ରୋଗ ସୃଷ୍ଟି ହୋଇପାରେ । ପ୍ରାଚୀନ କାଳରୁ ହିମାବୃତ ଅଞ୍ଚଳରେ ବରଫ ତଳେ ନିଷ୍କ୍ରିୟ ଅବସ୍ଥାରେ ଦବି ରହିଥିବା କୌଣସି 'ଜୋମ୍ବି ଭାଇରସ୍' ବିଶ୍ୱ ତାପନ ପ୍ରଭାବରେ ବରଫ ତରଳିବା ପରେ ପୁଣି ବାହାରକୁ ଆସି ମହାମାରୀ ସୃଷ୍ଟି କରିପାରେ ବୋଲି ମଧ୍ୟ ଆଶଙ୍କା କରୁଛନ୍ତି ଅନେକ ଗବେଷକ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁସବୁ ରୋଗକୁ ପ୍ରାଥମିକତା ଦେଉଛି, ତା ଭିତରେ ମାରବର୍ଗ ଭାଇରସ୍, କ୍ରାଇମିନ୍-କଙ୍ଗୋ ହେମୋରେଜିକ୍ ଫିଭର୍, ଲାସା ଫିଭର୍, ନିପା, ହେନିପାଭାଇରାଲ୍ ଡିଜିଜ୍, ରିଫ୍ଟ ଭ୍ୟାଲି ଫିଭର ଓ ମିଡିଲ୍ ଇଷ୍ଟ ରେସପିରେଟୋରି ସିଣ୍ଡ୍ରୋମ୍ ଆଦି ମଧ୍ୟ ରହିଛି।...

WHO
Advertisment
Advertisment