• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୋରାରେ ପରମାଣୁ ଜ୍ଞାନକୌଶଳ ବିକିବା ଲାଗି ପାକିସ୍ତାନର ଯୋଜନାକୁ ଧକ୍କା । ଗୁପ୍ତ ପରମାଣୁ କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ୬ଟି କଂପାନୀ ଉପରେ କଟକଣା ଲଗାଇଲା ଆମେରିକା । ପାକିସ୍ତାନର ଆର୍ଥିକ ସ୍ଥିତି ଦୁର୍ବିସହ ହୋଇପଡିଥିବା ବେଳେ ଚୋରାରେ ପରମାଣୁ ଜ୍ଞାନକୌଶଳ ବିକି ବିପୁଳ ଅର୍ଥ କମାଇବା ଲାଗି ମସୁଧା କରିଥିବା ଆଶଙ୍କା କରାଯାଉଛି । ତେବେ ଆଭାସ ପାଇବା କ୍ଷଣି ବାଇଡେନ୍ ପ୍ରଶାସନ ତ୍ୱରିତ ପଦେକ୍ଷେପ ଗ୍ରହଣ କରିଛି । ନିଜ ପରମାଣୁ ଅସ୍ତ୍ରାଗାରକୁ ସୁରକ୍ଷିତ ରଖିବ ବୋଲି ପାକିସ୍ତାନ ଆମେରିକାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଇରାନ, ଲିବ୍ୟା ଭଳି କିଛି ଦେଶକୁ ପରମାଣୁ ଜ୍ଞାନକୌଶଳ ବିକି ଥିବାରୁ ଆଉ ରିସ୍କ ନେବାକୁ ଚାହୁଁନି ଓ୍ୱାଶିଂଟନ ।

ଭୁଶୁଡି ପଡିଛି ପାକିସ୍ତାନର ଅର୍ଥନୀତି । ଖାଲି ହୋଇଯାଇଛି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର । ପେଟ୍ରୋଲିୟମ ଓ ଔଷଧଠୁ ଆରମ୍ଭ କରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆମଦାନୀ ଲାଗି ପାକ୍ ସରକାରଙ୍କ ପାଖରେ ନାହିଁ ଅର୍ଥ । ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ତ୍ରାହି ତ୍ରାହି ଡାକୁଛନ୍ତି ପାକିସ୍ତାନର ଜନତା । ଆର୍ଥିକ ସହାୟତା ଲାଗି ବିଭିନ୍ନ ଦେଶଙ୍କ ନିକଟରେ ଗୁହାରୀ କରି ବିଫଳ ହୋଇଛି ପାକିସ୍ତାନ ଯାହା ଇସଲାମାବାଦର ବୁଦ୍ଧିଭ୍ରଷ୍ଟ କରିଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଏହାର ପରମାଣୁ ଅସ୍ତ୍ରାଗାରକୁ ବଢାଇବା ସହ ଛୋଟ ଛୋଟ ଅସ୍ତ୍ର ନିର୍ମାଣ କରୁଛି । ଭାରତର କିଛି ନିର୍ଦ୍ଦିଷ୍ଟ ଟାର୍ଗେଟକୁ ଧ୍ୱଂସ କରିବା ଆଳରେ ଏସବୁ ଅସ୍ତ୍ର ନିର୍ମାଣ କରାଯାଉଥିବା ପାକିସ୍ତାନ ପକ୍ଷରୁ କୁହାଯାଇଥିଲା । ମାତ୍ର ପରମାଣୁ କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ୬ଟି କଂପାନିଙ୍କ ଉପରେ ଆମେରିକା କଟକଣା ଲଗାଇବା ପରେ ପଦାକୁ ଆସିଛି ପ୍ରକୃତ ସତ । ଭାରତ ବିରୁଦ୍ଧରେ ବ୍ୟବହାର ପାଇଁ ନୁହେଁ ବରଂ କିଛି ଦେଶଙ୍କୁ ଏସବୁ ଅସ୍ତ୍ର ବିକି ବିପୁଳ ବୈଦେଶିକ ମୁଦ୍ରା କମାଇବା ଚକ୍କରରେ ଥିଲା ଇସଲାମାବାଦ୍ । ମାତ୍ର ଏସଂପର୍କରେ ଆଭାସ ମିଳିବା କ୍ଷଣି ବାଇଡେନ୍ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି ଫଳରେ ପାକିସ୍ତାନର ମସୁଧା ପଣ୍ଡ ହୋଇଯାଇଥିବା କୁହାଯାଉଛି ।

ଆମେରିକା କଟକଣା ଲଗାଇଥିବା କଂପାନିଗୁଡିକ ହେଲେ ଡାଇନାମିକ୍ ଇଂଜିନିୟରିଂ କର୍ପୋରେସନ, ଏନର କ୍ୱିପ୍ ପ୍ରାଇଭେଟ୍ ଲିମିଟେଡ୍, ଟ୍ରୋଜାନ୍ସ, ରେନବୋ ସଲ୍ୟୁସନସ, ୟୁନିଭର୍ସାଲ ଡ୍ରିଲିଂ ଇଂଜିନିୟର୍ସ ଓ ଏନଏଆର ଟେକ୍ନୋଲୋଜି । ଏହି କଂପାନିଗୁଡିକ ଇସଲାମାବାଦ୍, ଲାହୋର ଓ କରାଚିରେ ରହିଛି । ପାକିସ୍ତାନ ପରମାଣୁ ଅସ୍ତ୍ରାଗାର ସୁରକ୍ଷାକୁ ନେଇ ଆମେରିକା ବାରମ୍ବାର ଅସନ୍ତୋଷ ବ୍ୟକ୍ତ କରିଆସୁଛି । ଖାସ କରି କିଛି ଆତଙ୍କବାଦୀ ସଂସ୍ଥା କାଶ୍ମୀରରେ ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଧମକ ଦେବା ପରେ ଉଦବେଗ ପ୍ରକାଶ କରିଥିଲା ଓ୍ୱାଶିଂଟନ ।

ପରମାଣୁ ଅସ୍ତ୍ର ଯେଭଳି ଆତଙ୍କବାଦୀଙ୍କ ହାତରେ ନପଡିବ, ସେଥିଲାଗି ଆମେରିକା ପାକିସ୍ତାନ ସେନାଠାରୁ ଦୃଢ଼ ପ୍ରତିଶ୍ରୁତି ଦାବି କରିଥିଲା । ଅନ୍ୟପକ୍ଷରେ ପାକିସ୍ତାନର ପରମାଣୁ ଅସ୍ତ୍ର ଆତଙ୍କବାଦୀଙ୍କ ହାତରେ ଲାଗିବ ନାହିଁ ବୋଲି ଆମେରିକା ଆଦୌ ନିଶ୍ଚିତ ନୁହେଁ । କିଛି ଦିନ ତଳେ ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ପାକିସ୍ତାନ ପରମାଣୁ ଅସ୍ତ୍ରର ସୁରକ୍ଷାକୁ ନେଇ ଉଠାଇଥିଲେ ପ୍ରଶ୍ନ । ପାକିସ୍ତାନ ବିଶ୍ୱର ସବୁଠାରୁ ଭୟଙ୍କର ଦେଶ ବୋଲି କହିବାକୁ ପଛାଇ ନଥିଲେ ବାଇଡେନ୍ ।

ଆମେରିକା କଟକଣା ଲଗାଇଥିବା କଂପାନିଗୁଡିକ ପାକିସ୍ତାନର ଅସୁରକ୍ଷିତ ପରମାଣୁ ଅସ୍ତ୍ର ନିର୍ମାଣରେ ସହଯୋଗ କରୁଥିଲେ ଯାହାକି ଆମେରିକା ବୈଦେଶିକ ନୀତି ପରିପନ୍ଥୀ । ଫଳରେ ଏସବୁ କଂପାନି ଆମେରିକାଠାରୁ କୌଣସି ଯନ୍ତ୍ରାଂଶ, ଜ୍ଞାନକୌଶଳ ଓ ସଫ୍ଟେଓ୍ୱୟର ପାଇବେ ନାହିଁ । ସେହିପରି ପାକିସ୍ତାନର ଅସୁରକ୍ଷିତ ପାରମାଣୁ କାର୍ଯ୍ୟକ୍ରମରେ ସହଯୋଗ ନେଇ ୟୁଏଇର ଦୁଇଟି କଂପାନିକୁ ବି ଆମେରିକା କଳା ତାଲିକାଭୁକ୍ତ କରିଛି ।