/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753364673.jpg)
Foreign University
ବ୍ରିଟେନର ୬ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭାରତରେ ସେମାନଙ୍କ ନିଜସ୍ୱ କ୍ୟାମ୍ପସ ଖୋଲିବାକୁ ଯୋଜନା କରୁଛନ୍ତି । ବ୍ରିଟେନ୍ ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୂଚନା ଦେଇଛନ୍ତି । ଭାରତରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ । ଏହି କ୍ୟାମ୍ପସ ଭାରତର ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ର ୨୦୨୩ ନିୟମାବଳୀ ଅନୁସାରେ କରାଯବ । ଏହି ନିୟମାବଳୀ ବିଦେଶୀ ବିଶ୍ୱବିଦ୍ୟାଳୟମାନଙ୍କୁ ଭାରତରେ ନିଜର କ୍ୟାମ୍ପସ ସ୍ଥାପନ କରିବାକୁ ଅନୁମତି ଦେଇଛି । ଏହା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ସ୍ତରରେ ଆନ୍ତର୍ଜାତୀୟ ମାନର ଶିକ୍ଷା ପ୍ରଦାନ କରିବ।
ଭାରତରେ କ୍ୟାମ୍ପସ ଖୋଲିବାକୁ ଯାଉଥିବା ବିଶ୍ୱବିଦ୍ୟାଳୟଗୁଡିକ ହେଲା- ସାଉଥାମ୍ପଟନ ବିଶ୍ୱବିଦ୍ୟାଳୟ, ଲିଭରପୁଲ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ, ଆବେରଡିନ ବିଶ୍ୱବିଦ୍ୟାଳୟ, ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ ଓ ସରେ ବିଶ୍ୱବିଦ୍ୟାଳୟ ।
୧. ସାଉଥାମ୍ପଟନ ବିଶ୍ୱବିଦ୍ୟାଳୟ (University of Southampton):
ହରିୟାଣା ଗୁରୁଗ୍ରାମ ସ୍ଥିତ ଇଣ୍ଟରନାସନାଲ ଟେକ୍ ପାର୍କରେ ଶିକ୍ଷାଦାନ ଆରମ୍ଭ କରିବ । ପ୍ରଥମ ବର୍ଷରେ ବିଜନେସ ମ୍ୟାନେଜମେଣ୍ଟ, ଆକାଉଣ୍ଟିଂ ଆଣ୍ଡ ଫାଇନାନ୍ସ, କମ୍ପ୍ୟୁଟର ସାଇନ୍ସ ଏବଂ ଇକୋନୋମିକ୍ସରେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ଆରମ୍ଭ ହେବ । ଦ୍ୱିତୀୟ ବର୍ଷରେ ସଫ୍ଟୱେର ଇଞ୍ଜିନିୟରିଂ, କ୍ରିଏଟିଭ କମ୍ପ୍ୟୁଟିଂ ଏବଂ ଆଇନ ଏବଂ ତୃତୀୟ ବର୍ଷରେ ମେକାନିକାଲ ଇଞ୍ଜିନିୟରିଂ କାର୍ଯ୍ୟକ୍ରମ ଯୋଡ଼ିବ। ଏହା ହେବ UGC ନିୟମାବଳୀ ଅନୁଯାୟୀ ଭାରତରେ ପ୍ରଥମ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। ଏହା କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂ ୨୦୨୫ରେ ଶୀର୍ଷ ୧୦୦ରେ ସ୍ଥାନ ପାଇଛି (ରାଙ୍କ ୮୦)।
୨. ଲିଭରପୂଲ ବିଶ୍ୱବିଦ୍ୟାଳୟ (University of Liverpool):
କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହା ଶିକ୍ଷାଦାନ ଆରମ୍ଭ କରିବ। ବିଜନେସ ମ୍ୟାନେଜମେଣ୍ଟ, ଆକାଉଣ୍ଟିଂ ଆଣ୍ଡ ଫାଇନାନ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋମେଡିକାଲ ସାଇନ୍ସ, ଏବଂ ଗେମ ଡିଜାଇନ ପାଠ୍ୟକ୍ରମ ଏଥିରେ ରହିବ । ଏହା ରସେଲ ଗ୍ରୁପର ଏକ ସଦସ୍ୟ ଏବଂ କ୍ୟୁଏସ ରାଙ୍କିଂ ୨୦୨୫ରେ ୧୬୫ତମ ସ୍ଥାନରେ ରହିଛି। ଏହାର ବେଙ୍ଗାଲୁରୁ କ୍ୟାମ୍ପସ ଗବେଷଣାଭିତ୍ତିକ ପରିବେଶ ପ୍ରଦାନ କରିବ।
୩. ୟର୍କ ବିଶ୍ୱବିଦ୍ୟାଳୟ (University of York):
ଏହାର କ୍ୟାମ୍ପସ୍ ମହାରାଷ୍ଟ୍ରର ନଭି ମୁମ୍ବାଇରେ ଖୋଲିବ । ଏହା UGC ରୁ ଲେଟର ଅଫ ଇଣ୍ଟେଣ୍ଟ (LoI) ପାଇଛି। ମହାରାଷ୍ଟ୍ର ସରକାର ନଭି ମୁମ୍ବାଇରେ ‘ଏଜୁ ସିଟି’ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି । ସେଠାରେ ଏହି କ୍ୟାମ୍ପସ ସ୍ଥାପିତ ହେବ। ଏହା ଭାରତର ଶିକ୍ଷା ମାନଚିତ୍ରକୁ ଆନ୍ତର୍ଜାତୀୟ ସ୍ତରୀୟ କରିବାରେ ସହାୟକ ହେବ।
୪. ଆବେରଡିନ ବିଶ୍ୱବିଦ୍ୟାଳୟ (University of Aberdeen):
ଏହା ମୁମ୍ବାଇରେ ସ୍ଥାପିତ ହେବ । ଏହି ବିଶ୍ୱବିଦ୍ୟାଳୟ ଗବେଷଣାଭିତ୍ତିକ କ୍ୟାମ୍ପସ ସ୍ଥାପନ କରିବାକୁ ଯୋଜନା କରୁଛି ।
୫. ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ (University of Bristol):
ଏହାର କ୍ୟାମ୍ପସ ନଭି ମୁମ୍ୱାଇରେ ସ୍ଥାପନ ହେବାକୁ ଯାଉଛି । ଭାରତୀୟ ଛାତ୍ରଛାତ୍ରୀମାନେ ଏଥିରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ସୁଯୋଗ ପାଇବେ । ଏହା ଭାରତରେ ବିଶେଷ କରି ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ କ୍ଷେତ୍ରରେ କାର୍ଯ୍ୟକ୍ରମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
୬. ସରେ ବିଶ୍ୱବିଦ୍ୟାଳୟ (University of Surrey):
ଅହମଦାବାଦର ଗୁଜରାଟ ଇଣ୍ଟରନାସନାଲ ଫାଇନାନ୍ସ ଟେକ୍-ସିଟି (GIFT City)ରେ ଏହା କ୍ୟାମ୍ପସ କାର୍ଯ୍ୟକ୍ଷମ ହେବ ।
ଭାରତୀୟ ଛାତ୍ରଛାତ୍ରୀମାନେ ବିଦେଶ ଯାଇ ଅଧିକ ଅର୍ଥ ଖର୍ଚ୍ଚ ନକରି ସ୍ଥାନୀୟ ସ୍ତରରେ ଆନ୍ତର୍ଜାତୀୟ ମାନର ଡିଗ୍ରୀ ପାଇପାରିବେ। ଏହି ଡିଗ୍ରୀଗୁଡ଼ିକ ବ୍ରିଟେନରେ ପ୍ରଦାନ କରାଯାଉଥିବା ଡିଗ୍ରୀ ସହିତ ସମାନ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)