• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ । ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ । ବାଲମୋରାଲ କ୍ୟାସଲରେ ଗତବର୍ଷ ଅକ୍ଟୋବରରୁ ତାଙ୍କର ଚିକିତ୍ସା ଚାଲିଥିଲା । ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା ।

ଲଣ୍ଡନରୁ ପରିବାର ସଦସ୍ୟ ବି ପହଁଚିଯାଇଥିଲେ । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା । ରାଣୀଙ୍କ ମରଶରୀର ଆଜି ସ୍କଟଲାଣ୍ଡରୁ ଲଣ୍ଡନ ଅଣାଯିବ । ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ସେ ଶାସନ ଗାଦିରେ ରହିଥିଲେ । ଦୁଇ ଦିନ ତଳେ ରାଣୀଙ୍କ ଫଟୋ ଓ ଭିଡିଓ ସାମନାକୁ ଆସିଥିଲା । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସଙ୍କୁ ସେ ନିଯୁକ୍ତି ଦେଇଥିଲେ । ରାଣୀଙ୍କ ପରଲୋକ ପରେ ଲଣ୍ଡନର ବକିଂହାମ୍ ପ୍ୟାଲେସରେ ଗାର୍ଡ ପରିବର୍ତ୍ତନ ପରମ୍ପରାକୁ ବନ୍ଦ ରଖାଯାଇଛି । ସମଗ୍ର ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି ।

କୁହାଯାଏ ବିଶ୍ୱର ସର୍ବ ପୂରାତନ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବ୍ରିଟେନ୍‌ର ରାଜ ପରିବାରର ବଡ଼ ଭୂମିକା ରହିଛି । ଦେଶରେ ନିର୍ବାଚିତ ସରକାର ଥିଲେ ସୁଦ୍ଧା ରାଜ ପରିବାରର ସମ୍ମାନାର୍ଥେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରଦାନ କରାଯାଇଥାଏ । ଭାରତରେ ରାଷ୍ଟ୍ରପତିଙ୍କ ପରି ଭୂମିକା ବ୍ରିଟେନ୍‌ର ମହାରାଣୀ ତୁଲାଇଥାନ୍ତି । ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତ କରିବା ଭଳି କ୍ଷମତା ମହାରାଣୀଙ୍କ ନିକଟରେ ରହିଥାଏ ।

ରାଣୀ ଏଲିଜାବେଥଙ୍କ ଜନ୍ମ ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନରେ ହୋଇଥିଲା । ନୌସେନା ଅଧିକାରୀ ମାଉଣ୍ଟ ବ୍ୟାଟେନଙ୍କ ସହ ତାଙ୍କର ବିବାହ ହୋଇଥିଲା ।  ତାଙ୍କର ୪ ସନ୍ତାନ ପ୍ରିନ୍ସ ଚାର୍ଲସ, ପ୍ରିନ୍ସ ଆନି, ପ୍ରିନ୍ସ ଆଣ୍ଡ୍ର୍ୟୁ  ଏବଂ ପ୍ରିନ୍ସ ଏଡୱାର୍ଡ ଅଛନ୍ତି । ୨୦୨୧ ଏପ୍ରିଲରେ ସ୍ୱାମୀ ଫିଲିପଙ୍କ ୯୯ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ୧୯୫୨ରେ ପିତା ଜର୍ଜ ସିକ୍ସଥଙ୍କ ମୃତ୍ୟୁ ପରେ ୨୫ ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ୍ । ସେ ବ୍ରିଟେନ୍ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ଆଣ୍ଟିଗୁଆ, ବର୍ମୁଡା, ବାହାମସ୍, ବ୍ରାଜିଲ, ସେଣ୍ଟ ଲୁସିଆ ଓ ସେଣ୍ଟ ଭିନସେଣ୍ଟ ଭଳି ୧୫ଟି ଦେଶର ରାଣୀ ଥିଲେ । ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ୭୩ ବର୍ଷିୟ ବଡପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନ୍‌ର ନୂଆ ରାଜା ହୋଇଛନ୍ତି ।

ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ବିଶ୍ୱବ୍ୟାପୀ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଣୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ବିଶ୍ୱ ଜଣେ ମହାନ୍ ବ୍ୟକ୍ତିତ୍ୱଙ୍କୁ ହରାଇବା ସହ ବ୍ରିଟେନରେ ୭୦ ବର୍ଷ ଯୁଗର ଅବସାନ ଘଟିଲା ବୋଲି ଟ୍ୱିଟ୍ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ୨୦୧୫ ଏବଂ ୨୦୧୮ରେ ୟୁକେ ଗସ୍ତ ଅବସରରେ ରାଣୀ ଏଲିଜାବେଥ୍ ତାଙ୍କୁ ଦେଇଥିବା ଆତିଥ୍ୟ ସେ କେବେବି ଭୁଲି ପାରିବେ ନାହିଁ ବୋଲି ମୋଦି ଟ୍ୱିଟ୍ କରିଛନ୍ତି ।