Advertisment

ଦୁଇ ଦେଶର ବନ୍ଧୁତ୍ୱ ଉପରେ ଆମେରିକାର ଚାପ କାମ ଦେବନି; ଋଷ୍‌ ବୈଦେଶିକ ମନ୍ତ୍ରୀ

ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭରୋଭ ଭାରତୀୟ ପ୍ରତିପକ୍ଷ ଏସ୍. ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ କହିଛନ୍ତି, ଆମେରିକା ତା’ର ରାଜନୀତିକୁ ଅନୁସରଣ କରିବା ପାଇଁ ଅନ୍ୟମାନଙ୍କୁ ବାଧ୍ୟ କରୁଛି। ହେଲେ ଆମେରିକାର ଚାପ ଭାରତ-ରୁଷ୍‌ ସହଭାଗିତାକୁ ଯେ ପ୍ରଭାବିତ କରିବନି।

author-image
Pramod Behera
ଅଦ୍ୟତନ ହୋଇଛି
U.S. pressure on friendship between the two countries will not work; Russian Foreign Minister

U.S. pressure on friendship between the two countries will not work; Russian Foreign Minister

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବେଳେ ଭାରତର ମଧ୍ୟସ୍ଥତା ଚାହିଁଲା ମସ୍କୋ। ନୂଆଦିଲ୍ଲୀ ଗସ୍ତରେ ଥିବା ଋଷ୍‌ ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ୍ ଏ ସଂପର୍କରେ ସଂକେତ ଦେବା ସହ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଦୁଇ ଦେଶ ବନ୍ଧୁତ୍ୱ ଉପରେ ଆମେରିକାର ଚାପ କାମ ଦେବନି। ଗତକାଲି ରୁଷ୍‌ ଉପରେ କଟକଣାକୁ ନିଷ୍ଫଳ କରିବାକୁ ଚେଷ୍ଟା କଲେ ପରିଣତି ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲା ଆମେରିକା। ତେଣେ ଯୁଦ୍ଧର ୩୭ତମ ଦିନରେ ରୁଷ୍‌ ଓ ୟୁକ୍ରେନ୍ ମଧ୍ୟରେ ପୁଣି ଶାନ୍ତି କଥାବାର୍ତ୍ତା ଆରମ୍ଭ ହୋଇଛି।

Advertisment

ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭରୋଭ ଭାରତୀୟ ପ୍ରତିପକ୍ଷ ଏସ୍. ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ କହିଛନ୍ତି, ଆମେରିକା ତା’ର ରାଜନୀତିକୁ ଅନୁସରଣ କରିବା ପାଇଁ ଅନ୍ୟମାନଙ୍କୁ ବାଧ୍ୟ କରୁଛି। ହେଲେ ଆମେରିକାର ଚାପ ଭାରତ-ରୁଷ୍‌ ସହଭାଗିତାକୁ ଯେ ପ୍ରଭାବିତ କରିବନି, ଏଥିରେ ତିଳେ ମାତ୍ର ସନ୍ଦେହ ନାହି। ତେଲ କିଣା ପ୍ରସଙ୍ଗରେ ସେ କହିଛନ୍ତି, ଭାରତ ରୁଷ୍ ଠାରୁ ଯାହା କିଣିବାକୁ ଚାହିଁବ, ତାହା ଆମେ ଯୋଗାଇବାକୁ ପ୍ରସ୍ତୁତ ଅଛୁ।

ରୁଷ୍‌ ଓ ୟୁକ୍ରେନ୍ ମଧ୍ୟରେ ଭାରତର ମଧ୍ୟସ୍ଥତା ଚର୍ଚ୍ଚା ସଂପର୍କରେ ବି ପ୍ରତିକ୍ରିୟା ରଖିଛନ୍ତି ଲାଭରୋଭ। ଭାରତ ଯଦି ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥି ଭୂମିକା ତୁଲାଇବାକୁ ଆଶାବାଦୀ ଏବଂ ଯଦି ଅନ୍ତର୍ଜାତୀୟ ସମସ୍ୟା ପ୍ରସଙ୍ଗରେ ଯଥାର୍ଥ ଓ ଗ୍ରହଣଯୋଗ୍ୟ ଆଭିମୁଖ୍ୟ ରଖିବା ସ୍ଥିତିରେ ରହିଛି, ତେବେ ସେ ଏହି ପ୍ରକ୍ରିୟାକୁ ଆଗେଇ ନେଇପାରିବ ବୋଲି ସେ କହିଛନ୍ତି। ଜୟଶଙ୍କରଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଛନ୍ତି ଲାଭରୋଭ।

Advertisment

ରୁଷ୍‌ ଠାରୁ ରିହାତି ମୂଲ୍ୟରେ ତେଲ କିଣିବା କଥା ଚିନ୍ତା କରୁଛନ୍ତି ଭାରତ ସରକାର। ପାଶ୍ଚାତ୍ୟ ଓ ୟୁରୋପୀୟ କଟକଣା ଲାଗିଥିବାରୁ ରୁଷ୍‌ ମଧ୍ୟ ଭାରତ ସହ ବାଣିଜ୍ୟିକ କାରବାର ବଢାଇବାକୁ ଆଗ୍ରହୀ। ସେପଟେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛି ଆମେରିକା। ଚେତାବନୀ ଦେଇଛି, ରୁଷିଆ ବିରୋଧରେ ଲାଗିଥିବା ଆମେରିକୀୟ କଟକଣାକୁ ଯେଉଁ ଦେଶଗୁଡ଼ିକ ବିଫଳ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ତା’ର ପରିଣତି ଭୋଗିବାକୁ ପଡ଼ିବ। ଆମେରିକାର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲୀପ୍ ସିଂ କହିଛନ୍ତି, ଚୀନ୍ LAC ଉଲ୍ଲଂଘନ କଲେ ଭାରତର ସୁରକ୍ଷା ପାଇଁ ରୁଷ୍‌ ଆଗେଇ ଆସିବ ବୋଲି ଭାବିବା ନିହାତି ଭୁଲ୍ ହେବ।

ସେପଟେ ବ୍ରିଟେନ୍ ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରସ୍ ଗତକାଲି ଭାରତ-ରୁଷ୍‌ ତେଲ କିଣା ପ୍ରସଙ୍ଗରେ କହିଛନ୍ତି ଯେ, ଏକ ସାର୍ବଭୌମ୍ୟ ରାଷ୍ଟ୍ର ଭାବେ ଭାରତ କ’ଣ କରିବା ଉଚିତ, ସେକଥା ଆମେ ତାକୁ କହିବୁ ନାହିଁ। ତେବେ ଏହାର ଜବାବ ଦେଇ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ, ତେଲ ଦର ବଢ଼ିଲେ ଦେଶମାନେ ନିଜ ଲୋକଙ୍କ ହିତ ପାଇଁ ଭଲ ଦର ଖୋଜିବା ସ୍ୱାଭାବିକ କଥା। ହେଲେ ଅନ୍ତର୍ଜାତୀୟ ସ୍ତରରେ ଏନେଇ ଏକ ଅପପ୍ରଚାର ଚାଲିଛି, ଅଥଚ ସେପଟେ ଯୁଦ୍ଧ ପରେ ୟୁରୋପୀୟ ଦେଶମାନେ ହିଁ ରୁଷ୍‌ ଠାରୁ ଅଧିକ ତେଲ କିଣିଛନ୍ତି।

ଶାନ୍ତି ଆଲୋଚନାକୁ ଆଗେଇନେବା ପାଇଁ ଆଜି ରୁଷିଆ ଓ ୟୁକ୍ରେନ୍ ପ୍ରତିନିଧି ଦଳ ଭିଡିଓ କନ୍‌ଫରେନ୍ସ ଯୋଗେ ବୈଠକ କରିଥିବା ବେଳେ, ଏଣେ ଯୁଦ୍ଧ ବି ପୂର୍ବ ଗତିରେ ଆଗେଇ ଚାଲିଛି। ୟୁକ୍ରେନ୍ ମାଇକୋଲେଭ୍‌ରେ ଋଷୀୟ ଏୟାରଷ୍ଟ୍ରାଇକ୍‌ଜନିତ ମୃତ୍ୟୁ ସଂଖ୍ୟା ୨୮କୁ ବଢ଼ିଛି।

ସେପଟେ ଡୋନବାସରେ ଜୋରଦାର ଆକ୍ରମଣ ପାଇଁ ରୁଷ୍‌ ସେନା ପ୍ରସ୍ତୁତ ହେଉଥିବା ଅଭିଯୋଗ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି। ସେପଟେ ଚନୋବିଲ୍ ନ୍ୟୁକ୍ଲିୟର୍ ପାଓ୍ୱାର୍ ପ୍ଲାଣ୍ଟକୁ କବ୍ଜାରେ ରଖିଥିବା ରୁଷୀୟ ସୈନ୍ୟଙ୍କ ଠାରେ ତେଜସ୍କ୍ରିୟ ବିକିରଣଜନିତ ଜଟିଳତା ଦେଖାଦେବା ପରେ ସେମାନେ ସେହି ସ୍ଥାନ ଛାଡ଼ି ପଳାଇଥିବା ଏବଂ ସାଥିରେ କିଛି ୟୁକ୍ରେନ୍ ନାଗରିକଙ୍କୁ ପଣବନ୍ଦୀ କରିନେଇଥିବା ଅଭିଯୋଗ ହୋଇଛି।

International News
Advertisment
Advertisment