• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୂକମ୍ପ ପରେ ଏବେ ଛାରଖାର ତାଇଓ୍ୱାନ୍ । ଯୁଆଡ଼େ ଦେଖିବେ ସିଆଡ଼େ ଧ୍ୱଂସର ବିକଟାଳ ଦୃଶ୍ୟ । ଭାଙ୍ଗିଛି ଘର, ଭୁଶୁଡ଼ି ପଡ଼ିଛି ବ୍ରିଜ୍, ଓଲଟି ପଡ଼ିଛି ଟ୍ରେନ୍, ନଷ୍ଟ ହୋଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । କ୍ଷତି ଏତେ ଯେ ଆକଳନ କରିବାକୁ ବି ସମୟ ନାହିଁ । ତାଇଓ୍ୱାନର ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯୋଗାଯୋଗ । ପ୍ରମୁଖ ରେଳ ଷ୍ଟେସନ୍, ବସଷ୍ଟାଣ୍ଡ ବ୍ୟାପକ କ୍ଷତି ସହିଛି । ଦେଶର ସବୁଠୁ ବଡ଼ ବ୍ରିଜର ପ୍ରାୟ ୬ ଶହ ମିଟର ଭାଙ୍ଗି ଯାଇଛି । ଲୋକଙ୍କ ଘର ଭାଙ୍ଗି ଯିବା ପରେ ଅନେକ ହୋଇପଡ଼ିଛନ୍ତି ବେସାହାରା ।

ଶନିବାର ୬.୪, ରବିବାର ପ୍ରଥମେ ୬.୮ ଓ ପରେ ୭.୨... ୨୪ ଘଣ୍ଟା ଭିତରେ ତିନି ତିନି ଥର ଭୂମିକମ୍ପ । ଆଉ ତା ପରେ ଲଗାତାର ୪୭ ଟି ଆଫ୍ଟର୍ ସକ୍ ବା ଭୂକଂପ ପରବର୍ତ୍ତୀ କଂପନ । ତାଇଓ୍ୱାନର ଦକ୍ଷିଣପୂର୍ବ ତଟବର୍ତ୍ତୀ ସହର ତାଇତୁଙ୍ଗରେ ସୃଷ୍ଟ ଭୂମିକମ୍ପ ଯୋଗୁଁ ରାଜଧାନୀ ତାଇପେ ସମେତ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବିଭୀଷିକାର ଚିତ୍ର । ଭୂମିକମ୍ପରେ ଅତି କମରେ ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୧୫୦ ଲୋକ ଆହତ ହୋଇଛନ୍ତି । ବହୁ ସ୍ଥାନରେ ଜଳ ଯୋଗାଣ ଓ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ତେବେ ଆଶ୍ୱସ୍ତିର କଥା ହେଉଛି ଯେ ଏହି ଭୂକଂପ ଯୋଗୁଁ ତାଇଓ୍ୱାନରେ ଥିବା ସେମିକଣ୍ଡକ୍ଟର ଚିପ୍ ଫ୍ୟାକ୍ଟ୍ରି ଗୁଡ଼ିକ ବିଶେଷ ପ୍ରଭାବିତ ହୋଇନାହିଁ ।

ତାଇତୁଙ୍ଗରୁ ଉତ୍ତରକୁ ୫୦ କିଲୋମିଟର ଦୂରରେ ଭୂମିଠୁ ୧୦ କିଲୋମିଟର ତଳେ ଭୂକଂପର କେନ୍ଦ୍ରସ୍ଥଳ ବୋଲି କହୁଛନ୍ତି ବୈଜ୍ଞାନିକ । ତେବେ ତାଇଓ୍ୱାନ୍ ପାଇଁ ଭୂକଂପ କିଛି ନୂଆ କଥା ନୁହେଁ । ଚୀନର କେନ୍ଦ୍ରୀୟ ପାଣିପାଗ ବ୍ୟୁରୋର ତଥ୍ୟ କହୁଛି, ୧୯୦୧ରୁ ୨୦୦୦ ମସିହା ଭିତରେ ତାଇଓ୍ୱାନରେ ୯୧ଟି ବଡ଼ ଭୂକଂପ ଆସିଛି ଏବଂ ସେଥିରୁ ୪୮ଟିରେ ଲୋକଙ୍କ ଜୀବନ ଯାଇଛି । ତେବେ ୧୯୯୯ ମସିହାର ଭୂମିକଂପ ଥିଲା ସବୁଠୁ ଭୟାନକ । ରିକ୍ଟର ସ୍କେଲରେ ୭.୬ ତୀବ୍ରତା ବିଶିଷ୍ଟ ଏହି ଭୂକଂପରେ ପ୍ରାୟ ୨ହଜାର ୪ଶହ ଲୋକଙ୍କ ଜୀବନ ଯାଇଥିଲା ।

ହେଲେ ତାଇଓ୍ୱାନ୍ ଭୂକଂପ ପ୍ରବଣ କାହିଁକି? କାହିଁକି ସେଠାକୁ ଆସେ ଏକରୁ ବଳି ଆରେକ ଶକ୍ତିଶାଳୀ ଭୂମିକମ୍ପ? ବିଶେଷଜ୍ଞଙ୍କ ମତରେ ତାଇଓ୍ୱାନ୍ ପ୍ରଶାନ୍ତ ମହାସାଗରୀୟ ଅଗ୍ନିବଳୟ ଉପରେ ରହିଛି । ଏହାକୁ ପାସିଫିକ୍ ରିଙ୍ଗ୍ ଅଫ୍ ଫାୟାର୍ କୁହାଯାଏ । ୪୦ ହଜାର କିଲୋମିଟର ଦୀର୍ଘ ଓ ୫ଶହ କିଲୋମିଟର ଓସାର ଏହି ଅଶ୍ୱଖୁରାକୃତି ବଳୟରେ ବହୁ ସଂଖ୍ୟାରେ ସକ୍ରିୟ ଆଗ୍ନେୟଗିରି ରହିଛି ଏବଂ ଏହିସବୁ ଅଞ୍ଚଳ ଭୂକଂପ ପ୍ରବଣ । ଏଥିସହ ତାଇଓ୍ୱାନ୍ ପୃଥିବୀର ଦୁଇଟି ଟେକ୍ଟୋନିକ୍ ପ୍ଲେଟର ସଂଯୋଗ ସ୍ଥଳ ହୋଇଥିବାରୁ, ସେହି ଅଞ୍ଚଳର ଭୂଗର୍ଭ ସର୍ବଦା ସକ୍ରିୟ ରହିଥାଏ ବୋଲି କୁହାଯାଉଛି ।