• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଶ୍ରୀଲଙ୍କା ସଂକଟର ସଂକଟମୋଚକ ହେବେ କି ସର୍ବଦଳୀୟ ଅନ୍ତରୀଣ ସରକାର ? ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା , ପ୍ରଧାନମନ୍ତ୍ରୀ ରାନିଲ ଓ୍ୱିକ୍ରମସିଂଘେ ଗାଦି ଛାଡ଼ିବା ନେଇ ଘୋଷଣା କରିବା ପରେ ଏବେ  ସର୍ବଦଳୀୟ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋର ହେଉଛି । ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ପଦ ଛାଡ଼ିଥିବା ବେଳେ କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି , କାହାକୁ ଦିଆଯିବ ପ୍ରଧାନମନ୍ତ୍ରୀ  ପଦ ତାକୁ ନେଇ ବିଚାରବିମର୍ଶ ଚାଲିଛି । ଏହାରି ମଧ୍ୟରେ ଅର୍ଥ ସଂକଟରେ ଜୁଝି ହେଉଥିବା ଶ୍ରୀଲଙ୍କାବାସୀ ଓ ଆାନ୍ଦୋଳନକାରୀ ସଂଗ୍ରାମକୁ ଜୋରଦାର କରିଛନ୍ତି....

 ଅର୍ଥ ସଂକଟରେ ଜୁଝି ହେଉଥିବା ଶ୍ରୀଲଙ୍କାରେ ଅସମ୍ଭାଳ ସ୍ଥିତି । ଦେଶରେ ଗଣବିଦ୍ରୋହ, ରାଜନୈତିକ ଅସ୍ଥିରତା ତା ସାଙ୍ଗକୁ ପ୍ରଜାତନ୍ତ୍ରରେ ଅନିୟନ୍ତ୍ରିତ ଆଇନ କାନୁନର ନିଇତି ଉଡୁଥିବା ଧଜିଆର ଚିତ୍ର । ମୁରବୀ ବିହୀନ ହେବାକୁ ଯାଉଥିବା ଲଙ୍କାବାସୀ ଏବେ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି । ଏହାରି ମଧ୍ୟରେ ଆସନ୍ତା ୧୩ ତାରିଖ ଅର୍ଥାତ ଆଉ ଦୁଇ ଦିନ ପରେ ବୁଧବାର ଗାଦି ଛାଡ଼ିବେ ରାଷ୍ଟ୍ରପତି । ଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା  ଏନେଇ ପ୍ରଧାନମନ୍ତ୍ରୀ ରାନିଲ  ବିକ୍ରମାସିଙ୍ଘେଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ବିଦ୍ଧିବଧ ସୂଚନା ପଠାଇ ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି  । ଅର୍ଥସଂକଟ ଦୂର କରିବାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଫେଲ୍ ମାରିବା ପରେ ଉତ୍ୟେକ୍ତ ଜନତାଙ୍କ ଆକ୍ରୋଶ ଶହେ ଗୁଣା ବଢ଼ିବା ପରେ ପଦରୁ ଅପସରି ଯିବାକୁ ବାଧ୍ୟ ହୋଇଛନ୍ତି ରାଷ୍ଟ୍ରପତି ଗୋଟାବାୟା  ଏହା ପୂର୍ବରୁ ସେ ଏକ ଅଜ୍ଞାତ ସ୍ଥାନରୁ ବାଚସ୍ପତି  ମହିନ୍ଦ୍ରା ୟାପା ଆବେଓ୍ୱାର୍ଡେନାଙ୍କୁ  ନିଜ ପଦତ୍ୟାଗ ସମ୍ପର୍କରେ ଅବଗତ କରାଇସାରିଥିଲେ  ।  ରାଷ୍ଟ୍ରପତିଙ୍କ ଭଳି ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଙ୍ଘେ  ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି  ଏକ ସର୍ବଦଳୀୟ ସରକାରକୁ ସେ ନିଜ କ୍ଷମତା ହସ୍ତାନ୍ତର କରିବେ ବୋଲି ଘୋଷଣା କରିଛନ୍ତି  । ପ୍ରଧାନମନ୍ତ୍ରୀଙ୍କ ପୈତୃକ ବାସଭବନରେ ଆନ୍ଦୋଳନକାରୀମାନେ ଅଗ୍ନିକାଣ୍ଡ ଘଟାଇବା ପରେ ରାନିଲ୍ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି  
 
ଶ୍ରୀଲଙ୍କା ସଂକଟର ତ୍ରାଣକର୍ତ୍ତା ହେବେ କି ବିରୋଧୀ? କାମରେ ଆସିବ କି ସର୍ବଦଳୀୟ ଅନ୍ତରୀଣ ସରକାର? ଟ୍ରାକ୍କୁ ଫେରିବ କି ଦେଶର ଅର୍ଥନୀତି, ରାଜନୀତି ଓ ସାମାଜିକ ସମାନତା? ଏସବୁ ପ୍ରଶ୍ନ ଏଇଥି ପାଇଁ ସାମ୍ନାକୁ ଆସିଛି କାହିଁକିନା ଗତକାଲି ସମସ୍ତ ବିରୋଧୀ ଦଳର ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସରିଛି  । ଏହି ବୈଠକରେ ଶ୍ରୀଲଙ୍କା ସଙ୍କଟ ଦୂର ପାଇଁ ଏକ ସର୍ବଦଳୀୟ ଅନ୍ତରୀଣ ସରକାର ଗଠନ ପାଇଁ ସହମତି ପ୍ରକାଶ ପାଇଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦ୍ୱୟ ନିଜ ନିଜ ଗାଦି ଛାଡ଼ିବାକୁ ଘୋଷଣା କରିବା ଏବଂ ସେମାନେ ଏକ ମିଳିତ ସରକାରକୁ ସମର୍ଥନ ନେଇ ଘୋଷଣା ପରେ ଏହି ନିଷ୍ପତ୍ତି ନେଇଛନ୍ତି ବିରୋଧୀ। ଏନେଇ ଆଜି ପୁଣି ଥରେ ଚର୍ଚ୍ଚା କରିବେ ଶ୍ରୀଲଙ୍କାର ସମସ୍ତ ବିରୋଧୀ ଦଳ।  ଏହି ବୈଠକରେ କିଏ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ତାକୁ ନେଇ ହିଁ ପ୍ରଥମେ ମାନସ ମନ୍ଥନ ହେବ ବୋଲି ଜଣାପଡ଼ିଛି ।ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଜି ସମସ୍ତ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି  

 
ଅର୍ଥାଭାବର କଷଣରେ ଜର୍ଜରିତ ଶ୍ରୀଲଙ୍କାବାସୀଙ୍କୁ କିନ୍ତୁ ଚକିତ କରିଛି ରାଷ୍ଟ୍ରପତିଙ୍କ ବାସଭବନରୁ ଏକ ସୁଡ଼ଙ୍ଗ ଓ ବିଡା ବିଡା ନୋଟ ମିଳିବା ଘଟଣା  । ରାଷ୍ଟ୍ରପତିଙ୍କ ବାସଭବନରୁ ଆନ୍ଦୋଳନକାରୀମାନେ ଏକ ହାଇ ସୁକୁ୍ୟରିଟି ବଙ୍କର୍ ବା ସୁଡ଼ଙ୍ଗ ଭଳି ଗୁପ୍ତ କୋଠରୀ ଠାବ କରିଥିବା ବେଳେ, ଅନ୍ୟଟିରେ ଦେଖିବାକୁ ମିଳୁଛି ବିଡ଼ା ବିଡ଼ା ଟଙ୍କା  । ଆନ୍ଦୋଳନକାରୀମାନେ ନୋଟ୍ ଗଣୁଥିବା ଦେଖିବାକୁ ମିଳୁଛି  ସେମାନେ ନଗଦ ପ୍ରାୟ ୧ କୋଟି ୭୮ ଲକ୍ଷ ସିଂହଳୀ ନୋଟ୍ ପାଇ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିବା ଶ୍ରୀଲଙ୍କା ଗଣମାଧ୍ୟମରେ କୁହାଯାଇଛି  ।
 
ଶ୍ରୀଲଙ୍କା ସଂକଟ ପାଇଁ ଚାଲିଥିବା ବିଦ୍ରୋହରେ ସାମିଲ ହୋଇଥିଲେ ପୂର୍ବତନ କ୍ରିକେଟର ସନଥ୍ ଜୟସୁରୀୟା  । ଆଉ ଆଜି ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କାହିଁକି ବିଦ୍ରୋହରେ ସାମିଲ ହେଲେ କହିଛନ୍ତି  । ଏହା ସହ ଦେଶର ଅର୍ଥନୀତି ଓ ରାଜନୀତି ସମ୍ପର୍କରେ ନିଜ ଖୋଲା ମତ ରଖିଛନ୍ତି ।  ଦେଶବାସୀ ରାଷ୍ଟ୍ରପତିଙ୍କ ବହିସ୍କାର ଦାବି କରି ଆନ୍ଦୋଳନକୁ ଓଲ୍ହାଇଥିବାରୁ ଲଙ୍କାର ହିତ ପାଇଁ ରାସ୍ତାକୁ ଓଲ୍ହାଇଥିବା କହିଛନ୍ତି ସନଥ ଜୟସୁରୀୟା ।  ଲଙ୍କାବାସୀ ବହୁତ ଦୁଃଖ କଷ୍ଟରେ ଅଛନ୍ତି  ସେମାନଙ୍କ ଏହି ଆନ୍ଦୋଳନରେ କେବଳ ମୋ ଭଳି କ୍ରୀଡାବିତ୍ ନୁହେଁ ବରଂ ଅନେକ ଆଥଲେଟ୍, ସେଲିବ୍ରିଟି, ସାଧାରଣ ଜନତା ଓ ବୁଦ୍ଧିଜୀବୀ ସାମିଲ ହୋଇଛନ୍ତି  । ଖୁବ ଶୀଘ୍ର ଶ୍ରୀଲଙ୍କା ନୂଆ ନେତୃତ୍ୱରେ ସ୍ଥିତି ସମ୍ଭାଳିବାକୁ ସକ୍ଷମ ହେବ ବୋଲି ସେ ଆଶା ରଖିଛନ୍ତି  ।

ଧିରେ ଧିରେ ରସାତଳକୁ ଯାଇଥିବା ଶ୍ରୀଲଙ୍କାର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଛି  । ୨କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ  ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାରେ ଏବେ ଲୋକଙ୍କ ପାଖରେ ନା ଟଙ୍କା ଅଛି ନା ଖାଇବାକୁ ଖାଦ୍ୟ, ସ୍ବାସ୍ଥ୍ୟ ପାଇଁ ମେଡିସିନ୍, ଜରୁରୀ ସାମଗ୍ରୀ, ପେଟ୍ରୋଲ, ଡିଜେଲ  କିଛି ବୋଲି କିଛି ହିଁ ନାହିଁ  ଏଭଳି ସ୍ଥଳେ ସରକାର ଉପରେ ଆସ୍ଥା ହରାଇ କିଛି ଏଭଳି କାଣ୍ଡ ଘଟାଇଛନ୍ତି ଆନ୍ଦୋଳନକାରୀ  । ରାଷ୍ଟ୍ରପତିଙ୍କ  ବାସଭବନରେ ମଉଜମସ୍ତି, ପ୍ରଧାନମନ୍ତ୍ରୀଙ୍କ ପୈତୃକ ବାସଭବନରେ ଲଙ୍କାପୋଡ଼ି, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ପରିସରରେ ରୋଷେଇ ଆଉ ତା ସାଙ୍ଗକୁ କ୍ୟାରମ ଖେଳ । ବିଗୁଡ଼ିଥିବା ପରିସ୍ଥିତି ମଧ୍ୟରେ ଆଜି କିଛି ସ୍ବେଚ୍ଛାସେବୀ ରାଷ୍ଟ୍ରପତିଙ୍କ ବାସଭବନରେ ଆନ୍ଦୋଳନକାରୀଙ୍କ ଦ୍ୱାରା କରାଯାଇଥିବା 
ଆଳିଆ ଆବର୍ଜନାକୁ ସଫା ସୁତୁରା କରୁଥିବା ଭଳି ଚିତ୍ର ସାମ୍ନାକୁ ଆସିଛି । 
 
ଅନ୍ୟପଟେ ଶ୍ରୀଲଙ୍କା ସ୍ଥିତିକୁ ନେଇ ୱେଟ୍ ଆଣ୍ଡ ୱାଚ୍ ସ୍ଥିତିରେ ରହିଛି ଭାରତ।  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର  କହିଛନ୍ତି, ଶ୍ରୀଲଙ୍କାକୁ ଆମେ ସବୁବେଳେ ସହଯୋଗ କରିଆସିଛୁ  । ସେମାନେ ଏବେ ନିଜ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଚଳାଇଛନ୍ତି  । ତେଣୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ଏବଂ ସ୍ଥିତି ଉପରେ ନଜର ରଖିବାକୁ ପଡ଼ିବ  ।ଏବେ କୌଣସି ଶରଣାର୍ଥୀ ସମସ୍ୟା ଉପୁଜିନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜୟଶଙ୍କର  ।

(ରାମକୃଷ୍ଣ ଡାକୁଆ)