• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୋକର ଆଁରେ ଶ୍ରୀଲଙ୍କା । ଚାରିଆଡ଼େ ନାହିଁ ନାହିଁର ହାହାକାର । ଲୋକଙ୍କୁ ଖାଦ୍ୟ ମିଳୁନି, ତେଲ ମିଳୁନି, କାଗଜ ମିଳୁନି । ଦରଦାମ ବୃଦ୍ଧି ଆକାଶ ଛୁଆଁ ହେବା ପରେ ସରକାର ବିରୋଧୀ ଜନଅସନ୍ତୋଷ ବି ଚରମସୀମାରେ ପହଞ୍ଚିଛି । ହେଲେ ଶ୍ରୀଲଙ୍କା ସରକାର ବି ଏକପ୍ରକାର ନାଚାର । ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଥିବାରୁ, ଘୋର ଅର୍ଥନୈତିକ ସଂକଟ ଭାରତର ଏହି ପଡ଼ୋଶୀ ରାଷ୍ଟ୍ରରେ ଶୋଚନୀୟ ସ୍ଥିତି ସୃଷ୍ଟି କରିଛି । ତେବେ ଶ୍ରୀଲଙ୍କାକୁ ଗରିବୀ ପଞ୍ଝାରୁ ମୁକୁଳାଇବା ପାଇଁ ବିଭିନ୍ନ ସମୟରେ ସହାୟତା ଯୋଗାଇ ଆସୁଛି ଭାରତ । ଏଭିତରେ ସୂଚନା ମିଳିଛି ଯେ, ଶ୍ରୀଲଙ୍କା ଭାରତକୁ ପୁଣି ଶହେ କୋଟି ଡଲାରର ସହାୟତା ମାଗିଛି ।

ଚାଉଳ ନାହିଁ, ଗହମ ନାହିଁ, କାଗଜ ନାହିଁ । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ବି ନାହିଁ । ଯେଉଁଠି ଦେଖିବ ଅତ୍ୟାବଶକ ସାମଗ୍ରୀ କିଣିବା ଲାଗି ଲୋକଙ୍କ ଲମ୍ବା ଲାଇନ୍। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁର ଆମଦାନୀ ଲାଗି ଶ୍ରୀଲଙ୍କା ସରକାର ପାଖରେ ଟଙ୍କା ବି ନାହିଁ। ଶୋଚନୀୟ ହୋଇପଡ଼ିଛି ଭାରତ ମହାସାଗରରେ ଅବସ୍ଥିତ ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତି । ପେଟ୍ରୋଲିୟମ କିଣିବା ଲାଗି ଶ୍ରୀଲଙ୍କାକୁ ନିକଟରେ ଭାରତ ୫ଶହ ମିଲିୟନ ଡଲାର ଅର୍ଥ ଯୋଗାଇ ଦେଇଥିଲା । ତେବେ ଏହା ସମୁଦ୍ରକୁ ଶଙ୍ଖେ । ତେଣୁ ପୁଣିଥରେ ଖାଦ୍ୟ ପଦାର୍ଥ ଓ ପେଟ୍ରୋଲିୟମ କିଣିବା ଲାଗି ଶ୍ରୀଲଙ୍କା ସରକାର ଆଉ ଶହେ କୋଟି ଅର୍ଥାତ୍ ୧ ବିଲିୟନ ଡଲାର ଅର୍ଥ ଯୋଗାଇ ଦେବାକୁ ଭାରତକୁ ଅନୁରୋଧ କରିଛନ୍ତି ।

ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଥିବା ବେଳେ, ଚଳିତ ବର୍ଷ ଶ୍ରୀଲଙ୍କାକୁ ୭ ବିଲିୟନ ଡଲାର୍ର ଋଣ ସୁଝିବାକୁ ପଡିବ । ଏଥିମଧ୍ୟରୁ ଆସନ୍ତା ଜୁଲାଇରେ ପୈଠ କରିବାକୁ ହେବ ୧ ବିଲିୟନ ଡଲାର୍ । ୨୦୨୦ ପର ଠାରୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୭୦ ପ୍ରତିଶତ ହ୍ରାସ ପାଇଛି । ଫେବ୍ରୁଆରୀ ମାସରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ପରିମାଣ ମାତ୍ର ୨.୩୧ ବିଲିୟନରେ ପହଞ୍ଚିଛି । ତେଣୁ ଅତ୍ୟାବଶକ ସାମଗ୍ରୀ କିଣିବା ଲାଗି ସରକାରଙ୍କ ନିକଟରେ ବୈଦେଶିକ ମୁଦ୍ରାର ଘୋର ଅଭାବ ଦେଖାଦେଇଛି।

କୌଣସି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଯଦି କମ୍ ସୁଧରେ ବଡ଼ ଧରଣର ଆର୍ଥିକ ସହାୟତା ନଦିଅନ୍ତି, ତେବେ ଆଗାମୀ ଦିନରେ ଶ୍ରୀଲଙ୍କାରେ ଖାଦ୍ଯ ଓ ତୈଳ ସଂକଟ ଉତ୍କଟ ରୂପ ଧାରଣ କରିବ । ହେଲେ ସେଠାକାର ସରକାର ଏଯାଏଁ କୌଣସି ଆର୍ଥିକ ସଂସ୍ଥାଠାରୁ ସହାୟତା ପ୍ରତିଶ୍ରୁତି ପାଇନାହାନ୍ତି ।

ଶ୍ରୀଲଙ୍କାର ଦୟନୀୟ ସ୍ଥିତି ବେଳେ, ବାରମ୍ବାର ସହାୟତା ଯୋଗାଇଆସୁଛି ଭାରତ । ପୂର୍ବରୁ ଭାରତ ଶ୍ରୀଲଙ୍କାକୁ ୨ ବିଲିୟନ ଡଲାରର ଋଣ ସୁବିଧା ସହିତ ୪ଶହ ମିଳିୟନ ଡଲାରର ମୁଦ୍ରା ବିନିମୟ ସୁବିଧା ଯୋଗାଇ ଦେଇଥିଲା । ସେହିପରି ପେଟ୍ରୋଲିୟମ କିଣିବା ଲାଗି ଅତିରିକ୍ତ ୫ଶହ ମିଲିୟନ ଡଲାର ମଧ୍ୟ ପ୍ରଦାନ କରିଥିଲା । ଚୀନ୍ ବି ଯୋଗାଇ ଦେଇଥିଲା ୧.୫ ବିଲିୟନ ଡଲାରର ମୁଦ୍ରା ବିନିମୟ ସୁବିଧା । ମାତ୍ର ଏସବୁ ସାମୟିକ ଆଶ୍ୱସ୍ତି ଆଣିଥିଲେ ମଧ୍ୟ, ଦୀର୍ଘ ମିଆଦି ଆବଶ୍ୟକତା ମେଣ୍ଟାଇବା ଲାଗି ଏହା ଆଦୌ ପର୍ଯ୍ୟାପ୍ତ ନୁହେଁ ।