• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀଲଙ୍କାରେ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଛି । ପେଟ୍ରୋଲ, ଡିଜେଲ ସମସ୍ୟା ଏତେ ଗମ୍ଭୀର ହୋଇଛି ଯେ ଦୁଇ ସପ୍ତାହ ପାଇଁ ସରକାର ସବୁ ସରକାରୀ ଅଫିସ, ସ୍କୁଲ, କଲେଜ ସବୁ ବନ୍ଦ କରି ଦେଇଛନ୍ତି । ଏଥିସହ ସର୍ବସାଧାରଣ ଯାତାୟତ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । କେବଳ ଇନ୍ଧନ ନୁହେଁ, ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଗମ୍ଭୀର ରହିଛି । ସେପଟେ ସେମ୍ବେର ବେଳକୁ ଶ୍ରୀଲଙ୍କାରେ ଖାଦ୍ୟ ସଂକଟ ଆହୁରି ବଢିବା ଆଶଙ୍କା ଥିବାରୁ ବଢିଲାଣି ଲୋକଙ୍କ ଚିନ୍ତା ।

ଧୀରେ ଧୀରେ ଅଣାୟତ୍ତ ହେଉଛି ଶ୍ରୀଲଙ୍କାର ଆର୍ଥିକ ସ୍ଥିତି । ପେଟ୍ରୋଲ, ଡିଜେଲ ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେଉଛନ୍ତି । ଏକ ପ୍ରକାର ଠପ୍ ହୋଇଯାଇଛି ଜୀବନଯାତ୍ରା । ଇନ୍ଧନ ସମସ୍ୟା ଏତେ ଗୁରୁତର ହୋଇଛି ଯେ, ଗାଡିରେ ତେଲ ପକାଇବା ପାଇଁ ଟାଙ୍କିରେ ଆବଶ୍ୟକ ତେଲ ମହଜୁଦ ନାହିଁ । ପରିସ୍ଥିତିକୁ ଦେଖି ସରକାରଙ୍କ ପକ୍ଷରୁ ଦୁଇ ସପ୍ତାହ ପାଇଁ ସବୁ ସରକାରୀ ଅଫିସ୍ ଓ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି । ସର୍ବସାଧାରଣ ଯାତାୟତ ବ୍ୟବସ୍ଥାକୁ ପୁରା ବନ୍ଦ କରାଯାଇଛି । ଲୋକମାନେ ଯିବା ଆସିବା କରିବା ପାଇଁ କିଛି ବି ମାଧ୍ୟମ ନାହିଁ ।

ସରକାରଙ୍କ ପକ୍ଷରୁ କଟକଣା ସତ୍ତ୍ୱେ ବି ପେଟ୍ରୋଲ୍ ଟାଙ୍କିରେ ତେଲ ପକାଇବାକୁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଶିକ୍ଷକମାନେ ଅନଲାଇନ୍ ମୋଡରେ ପାଠ ପଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏଥିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ବିଦ୍ୟୁତ ସେବା । ଗତ କିଛି ମାସ ଧରି ସେଠାରେ ୧୦ରୁ ୧୨ ଘଣ୍ଟା ବିଦ୍ୟୁତ କାଟ ହେଉଛି । କେବଳ ଜରୁରୀକାଳୀନ ସେବାକୁ କଟକଣାରୁ ବାଦ ଦିଆଯାଇଛି । ଆଗକୁ ସରକାରୀ କର୍ମଚାରୀମାନେ ସପ୍ତାହକୁ ଚାରିଦିନ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଫଳରେ ସେମାନେ ଘରେ ରହିବ କୃଷିକାଯର୍ୟ ପାଇଁ କିଛି ସମୟ ଦେଇପାରିବେ ବୋଲି ଆଶା କରାଯାଉଛି ।

କେବଳ ଇନ୍ଧନ ନୁହେଁ, ଶ୍ରୀଲଙ୍କାରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଅତ୍ୟନ୍ତ ଗମ୍ଭୀର ରହିଛି । ଏପରିକି ନବଜାତ ଶିଶୁମାନଙ୍କୁ ସର୍ବନିମ୍ନ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରୁନି । ଶ୍ରୀଲଙ୍କାର ଶିଶୁ ବିଶେଷଜ୍ଞ ଡାକ୍ତର ସମନ କୁମାର କହିଛନ୍ତି, କୋଭିଡ୍ ସମୟରେ ଦେଶରେ ସ୍ୱାସ୍ଥ୍ୟ ସମସ୍ୟା ଅତ୍ୟନ୍ତ ଗୁରୁତର ହୋଇ ପଡିଥିବା ବେଳେ ଏବେ ତାଠାରୁ ସ୍ଥିତି ଆହୁରି ଉଦବେଗଜନକ ରହିଛି । ନବଜାତକମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସର୍ବନିମ୍ନ ଯନ୍ତ୍ରାଂଶ ଏବେ ମିଳୁନାହିଁ । ଏଥିଯୋଗୁଁ ଅନେକ ଶିଶୁଙ୍କ ଅକାଳରେ ମୃତ୍ୟୁ ହେଉଛି । ଏଥିପାଇଁ ଡାକ୍ତର ସମନ କୁମାର ବିଭିନ୍ନ ଦେଶରେ ରହୁଥିବା ତାଙ୍କ ସାଙ୍ଗମାନଙ୍କର ସହାୟତା ଲୋଡିଛନ୍ତି । କେବଳ ଶିଶୁମାନେ ଅନ୍ୟ ରୋଗୀମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ଲୋକମାନେ ଚିକିତ୍ସା ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ।

ଶ୍ରୀଲଙ୍କାରେ ପ୍ରଥମେ ରାଜନୈତିକ ସଂକଟ ଆରମ୍ଭ ହେବା ପରେ ଅର୍ଥନୀତି ଭୁଶୁଡିବାରେ ଲାଗିଥିଲା । ଧୀରେ ଧୀରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଲୋକମାନଙ୍କୁ ନାକେଦମ୍ ହେବାକୁ ପଡିଲା । ଏବେ ଖାଦ୍ୟ, ଇନ୍ଧନ, ବିଜୁଳି ସମସ୍ୟା ଉଗ୍ରରୂପ ଧାରଣ କରିଛି । ଏଭଳି ସଂକଟ ସମୟରେ ଅଧିକାରୀମାନେ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଉପରେ ନିର୍ଭର ନକରି ଅନ୍ୟ ଉପାୟ ଆପଣାଉଛନ୍ତି । ସୋସିଆଲ ମିଡିଆରେ ସହାୟତା ପାଇଁ ଅପିଲ୍ କରୁଛନ୍ତି । ସେପଟେ ଆସନ୍ତା ସେମ୍ବେର ବେଳକୁ ଶ୍ରୀଲଙ୍କାରେ ଖାଦ୍ୟ ସଂକଟ ଆହୁରି ଗୁରୁତର ହେବା ଆଶଙ୍କା କରାଯାଉଛି । ଏହାକୁ ନେଇ କିଛି ରାଜନେତା ଚେତାବନୀ ଦେବା ପରେ ଲୋକଙ୍କ ଚିନ୍ତା ବଢିଲାଣି ।