ଭୟଙ୍କର ହେଲାଣି ଶ୍ରୀଲଙ୍କା ସ୍ଥିତି ! ମିଳୁନି ଖାଦ୍ୟ ପାନୀୟ; ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରିଲେ ଲକ୍ଷାଧିକ ଛାତ୍ରଛାତ୍ରୀ

ଶ୍ରୀଲଙ୍କାରେ ବିଭିନ୍ନ ସାମଗ୍ରୀର ଦରଦାମ ଦେଖିବା ଯଦି, ଏବେ ଚା କପ୍‌ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା ।

Sri lanka Situation

ଗୋଟିଏ ପଟେ ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର, ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ । ଗୁରୁତର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ । ଦେଶରେ ନା ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ନା କିଣିବାକୁ ଲୋକଙ୍କ ପାଖରେ ଅର୍ଥ । ଏମିତିକି ଥିଲା ବାଲା ଲୋକେ ବି ଅତ୍ୟାବଶ୍ୟକ ସାମଗ୍ରୀ ଦରକୁ ନେଇ ଅତିଷ୍ଠ ।

ଶ୍ରୀଲଙ୍କାରେ ବିଭିନ୍ନ ସାମଗ୍ରୀର ଦରଦାମ ଦେଖିବା ଯଦି, ଏବେ ଚା କପ୍‌ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା । ସେହିଭଳି ଗହମ କିଲୋ ପିଛା ଦର ୧୯୦, ଚିନି ୨୪୦ ଓ କ୍ଷୀରଗୁଣ୍ଡ କିଲୋ ପ୍ରତି ୧୯ଶହ ଟଙ୍କା ପାର ହୋଇଛି । ନଡ଼ିଆ ତେଲ ଲିଟର ପିଛା ୮୫୦ ଟଙ୍କା ଛୁଇଁଥିବା ବେଳେ ପେଟ୍ରୋଲ-ଡିଜେଲ ତ ;ଦୌ ନମିଳିବା ସ୍ଥିତିରେ  ତେବେ ଏ ଉତ୍କଟ ଅଭାବ ଭିତରେ ଚିନ୍ତା ବଢାଇଛି ସ୍ୱାସ୍ଥ୍ୟସେବା କ୍ଷେତ୍ର । ମେଡିକାଲରେ ଲୋକଙ୍କୁ ସେବା ଦେବାକୁ ସରକାରଙ୍କ ପାଖରେ ସାଧନ ନଥିବା ବେଳେ ମେଡିସିନ ଓ ମେଡିକାଲ ସାମଗ୍ରୀ ପାଇଁ ଅନ୍ୟ ଦେଶର ସାହାଯ୍ୟକୁ ଅପେକ୍ଷା ରଖୁଛି ଶ୍ରୀଲଙ୍କା ।

ଏପଟେ ଆର୍ଥିକ ସଙ୍କଟ ଭିତରେ ଦେଶରେ ଗମ୍ଭୀର ହେବାର ଲାଗିଛି ରାଜନୈତିକ ସଙ୍କଟ । ଦେଶର ଏ ଦୁଃସ୍ଥିତି ପାଇଁ ଲୋକେ କ୍ଷମତାଶୀନ ସରକାରକୁ ଦାୟୀ କରି ଦେଶବ୍ୟାପୀ ବିକ୍ଷୋଭ ଓ ନାରାବାଜୀ କରୁଥିବା ବେଳେ ଏହାକୁ ପ୍ରତିହତ କରିବାକୁ କର୍ଫ୍ୟୁ, ଜରୁରୀକାଳୀନ ସ୍ଥିତି ଲାଗୁ କରିଛନ୍ତି ସରକାର । ଏହା ସତ୍ୱେ ଥମିନି ଲୋକଙ୍କ ଆକ୍ରୋଶର ନିଆଁ । ଗତକାଲିଠୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କ ବାସଭବନ ଘେରିଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ଛାତ୍ରଛାତ୍ରୀ । ତେବେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମୁହ ଇସ୍ତଫା ପରେ ବି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଛନ୍ତି ରାଜପାକ୍ସେ ଭାଇ ।

ଶ୍ରୀଲଙ୍କାର ଜାତୀୟ ଅର୍ଥନୀତିର ଏ ଅଧୋଗତିରେ ସୁଧାର ଲାଗି ଦେଶ ଏବେ ବିଭିନ୍ନ ବିଦେଶୀ ରାଷ୍ଟ୍ରର ସହାୟତାକୁ ଅପେକ୍ଷା କରିଛି । ଅନ୍ୟପଟେ ଦେଶର ଅର୍ଥନୈତିକ ଓ ରାଜନୈତିକ ସ୍ଥିତିକୁ ନୀରିକ୍ଷଣ କରାଯାଉଥିବା କହିଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ।