• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫେବୃଆରୀ ୨୪ରୁ ମାର୍ଚ୍ଚ ୨୪ ହେଲା ! ଫେବୃଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ଋଷ । ଆଉ ଆଜି ହେଉଛି ମାର୍ଚ୍ଚ ୨୪ । ମାସେ ଭିତରେ ଏହି ଯୁଦ୍ଧ ୟୁକ୍ରେନ୍‌କୁ ଯେତିକି କ୍ଷତିଗ୍ରସ୍ତ କଲାଣି, ବିଶ୍ୱକୁ ବି ସେତିକି ପ୍ରଭାବିତ କଲାଣି । ପାଶ୍ଚାତ୍ୟ ଓ ୟୁରୋପୀୟ ଦେଶଙ୍କ ବିଭିନ୍ନ ପନ୍ଥାରେ ଚାପ ସତ୍ତ୍ୱେ ଋଷ ରାଷ୍ଟ୍ରପତି ପୁଟିନ ନିଜ ଜିଦ୍‌ରେ ଅଟଳ । ଏଣେ ୟୁକ୍ରେନ୍ ବି ଅସମ୍ଭବ କ୍ଷୟକ୍ଷତି ସହିବା ସତ୍ତ୍ୱେ ଅସ୍ତ୍ରତ୍ୟାଗ ପାଇଁ ନାରାଜ । ଏହା ଭିତରେ ଆଜି ୟୁକ୍ରେନ୍ ପ୍ରସଙ୍ଗରେ ଆଲୋଚନା ପାଇଁ ବେଲଜିୟମ ରାଜଧାନୀ ବ୍ରୁସେଲ୍‌ସରେ ଏକାଠି ହୋଇଛନ୍ତି ନାଟୋ, ୟୁରୋପୀୟ ସଂଘ ଓ G7 ନେତା ।

ଋଷୀୟ ଆକ୍ରମଣର ମାସେ ଭିତରେ ଅମାପ କ୍ଷୟକ୍ଷତି ସହିଲାଣି ୟୁକ୍ରେନ୍ । ଅକଥନୀୟ ଯନ୍ତ୍ରଣା ସହିଲେଣି ୟୁକ୍ରେନ୍‌ର ସାଧାରଣ ନାଗରିକ । ରାଜଧାନୀ କିଭ୍ ଓ ବନ୍ଦରନଗରୀ ମାରିଉପୋଲର ଦୃଶ୍ୟ ଦେଖିଲେ ଠିକ୍‌ ଏମିତି କିଛି ମନେ ହୁଏ । ମାସକର ଯୁଦ୍ଧରେ କିଭ୍‌ର ୮୭ଟି ରେସିଡେନ୍ସିଆଲ୍ ବିଲ୍ଡିଂ, ୧୦ଟି ପ୍ରାଇଭେଟ୍ ହାଉସ, ୧୨ଟି ସ୍କୁଲ ଓ ୬ଟି କିଣ୍ଡରଗାର୍ଡେନ୍‌ ଧ୍ୱଂସ ହୋଇଛି । ୭୩ କିଭ୍‌ବାସୀ ପ୍ରାଣ ହରାଇଛନ୍ତି ଓ ୨୯୭ ଆହତ ହୋଇଛନ୍ତି ।

କିଭ୍‌ରେ ଜଣେ ଋଷୀୟ ସାମ୍ବାଦିକା ଓକ୍ସାନା ବାଉଲିନାଙ୍କ ମୃତ୍ୟୁ ଘଟିଛି । ରାଜଧାନୀ ଉପକଣ୍ଠରେ ଘମାଘୋଟ ଲଢ଼େଇ ଜାରି ରହିଥିବା ବେଳେ, ୟୁକ୍ରେନ୍ ସେନା ଛୋଟଛୋଟ ଜାଭେଲିନ୍ ମିଜାଇଲ୍‌କୁ କାନ୍ଧରୁ ଫାୟାର୍ କରି ଋଷୀୟ ଟ୍ୟାଙ୍କ୍‌କୁ ଟାର୍ଗେଟ୍ କରୁଛନ୍ତି । କିଭ୍ ମେୟର୍ ଭିତାଲି କ୍ଲିଟୋସ୍କୋ ଦୃଢ଼ କଣ୍ଠରେ କହିଛନ୍ତି, ଆମେ ମରିଯିବୁ ପଛେ, ଋଷ ଆଗରେ ଆଣ୍ଠେଇବୁ ନାହିଁ । ତେଣେ ଯୁଦ୍ଧର ମାସପୂର୍ତ୍ତିରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି ଭିଡିଓ ଜାରି କରି ବିଶ୍ୱବ୍ୟାପୀ ପ୍ରତିବାଦ ପାଇଁ ଆହ୍ୱାନ ଦେଇଛନ୍ତି । ସେ ଅପିଲ୍ କରିଛନ୍ତି, ସମସ୍ତେ ନିଜ ଘରୁ, ଅଫିସ୍‌ରୁ, ସ୍କୁଲ ଓ ୟୁନିଭର୍ସିଟିରୁ ବାହାରି ୟୁକ୍ରେନ୍ ସମର୍ଥନରେ ଛକ ଓ ରାସ୍ତାକୁ ଓହ୍ଲାନ୍ତୁ ।

ୟୁକ୍ରେନ୍ ବିରୋଧରେ ଏକାଧିକ ହାଇପର୍ସୋନିକ୍ ମିଜାଇଲ୍ ପ୍ରୟୋଗ କରିଥିବା ଋଷ ସ୍ୱୀକାର କରିଥିବା ବେଳେ, ୟୁକ୍ରେନ୍ ଅଭିଯୋଗ କରିଛି ଯେ ପୁଟିନ ଆଉ କେତେକ ସ୍ଥାନରେ ଅତି ଶକ୍ତିଶାଳୀ ବୋମା ମାଡ଼ ମଧ୍ୟ କରାଇଛନ୍ତି । ଭୀଷଣ କ୍ଷୟକ୍ଷତି ସହିଥିବା ମାରିଉପୋଲରେ ମଙ୍ଗଳବାର ଦୁଇ ଦୁଇଟି ଅତି ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଥିବା ଅଭିଯୋଗ ହୋଇଛି । ସେଠାରେ ଏବେବି ୨ ଲକ୍ଷ ଲୋକ ଫସି ରହିଛନ୍ତି । ସେପଟେ ଲୋହାନ୍‌ସରେ ଋଷୀୟ ସେନା ଫସ୍‌ଫରସ୍ ବୋମା ବିସ୍ଫୋରଣ କରାଇଥିବା ମଧ୍ୟ ସେଠାକାର ଗଭର୍ଣ୍ଣର୍ ଅଭିଯୋଗ କରିଛନ୍ତି । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମାରିଉପୋଲ ନିକଟସ୍ଥ ବର୍ଡିୟାନ୍‌ସକ ବନ୍ଦରରେ ମଧ୍ୟ ବଡ଼ ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି ।

ସେଠାରେ ଋଷୀୟ ସେନା ଇନ୍ଧନ ଟାଙ୍କି ଉଡ଼ାଇ ଦେଇଥିବା କୁହାଯାଉଥିବା ବେଳେ, ଋଷୀୟ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଚର୍ଚ୍ଚା ହେଉଛି । ତେଣେ ୟୁକ୍ରେନ୍ ଆକ୍ରମଣ ନିଷ୍ପତ୍ତିଙ୍କୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ବି ତାଙ୍କ ପାଖ ଲୋକଙ୍କଠାରୁ ବିରୋଧର ସାମ୍ନା କରିବାକୁ ପଡ଼ୁଛି । ପୁଟିନଙ୍କ ପରାମର୍ଶଦାତା ଆନାଟୋଲି ଚୁବେସ୍ ନିଜ ପଦ ସହ ଦେଶ ଛାଡ଼ିଥିବା ବେଳେ, ଋଷ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମୁଖ୍ୟ ଏଲ୍‌ଡିରା ନାବିଉଲିନା ମଧ୍ୟ ପଦରୁ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ତାଙ୍କୁ ପଦ ଛାଡ଼ିବା ପାଇଁ ମନା କରିଦେଇଛନ୍ତି ପୁଟିନ । ତେଣେ ବ୍ରୁସେଲ୍‌ସରେ ୟୁକ୍ରେନ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଏକାଠି ହୋଇଛନ୍ତି ନାଟୋ, ୟୁରୋପୀୟ ସଂଘ ଓ ଜି-୭ ନେତା ।