/odishatv-khabar/media/post_attachments/uploadimage/library/16_9/16_9_0/everest_1749636255.jpg)
everest
ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଉପରୁ ଅହିରାଜ ଓ କୋଳଥିଆ ନାଗ ଉଦ୍ଧାର କରାଯାଇଛି। ପରିବେଶ ପ୍ରଦୂଷଣ ଶିଖରରେ ପହଞ୍ଚି ସାରିଥିବା ବେଳେ ବିଶ୍ବ ଧ୍ବଂସ ଅଭିମୁଖେ ଯାଉଥିବା ନେଇ ପରିବେଶବିତ ମାନେ ଆକଳନ କରିଛନ୍ତି। ବିଗତ ଏକ ମାସ ମଧ୍ୟରେ ଏଭରେଷ୍ଟ ଉପରୁ ୯ଟି ଅହିରାଜ ଓ ଗୋଟିଏ କୋଳଥିଆ ନାଗ ଉଦ୍ଧାର ହୋଇଥିବା ବେଳେ ଏହା ପରିବେଶବିତ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମାଉଣ୍ଟ ଏଭରେଷ୍ଟରୁ ମାତ୍ର ୧୬୦ କିମି ଦୂର ନେପାଳର କାଠମାଣ୍ଡୁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସାଧାରଣତଃ ଗ୍ରୀଷ୍ମପ୍ରବଣ ଓ ଜଙ୍ଗଲିଆ ଇଲାକାରେ ଅହିରାଜ ସାପ ଦେଖିବାକୁ ମିଳୁଥିବା ବେଳେ ସମତଳ ଓ ସନ୍ତସନ୍ତିଆ ଅଞ୍ଚଳରେ ଦେଖିବାକୁ ମିଳିଥାଏ ନାଗ ସାପ।
ଏହି ଦୁଇଟି ପ୍ରଜାତିର ସାପ ଏହି ଅଞ୍ଚଳରୁ ଉଦ୍ଧାର ହେବା ଫଳରେ ଏହା ଗ୍ଲୋବାଲ ୱାର୍ମିଂ ଆଡକୁ ଇଶାରା କରୁଛି। ନେପାଳର ରାଜଧାନୀରେ ଏହି ଦୁଇ ବିଷଧର ସାପ ଦେଖାଯିବା ପରିବେଶର ବିବିଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣତଃ ଏଭଳି ବିଷଧର ସାପ ଥଣ୍ଡା ପରିବେଶରେ ବଞ୍ଚି ପାରନ୍ତି ନାହିଁ। ଏଭଳି ଘଟଣା ଦୁଇଟି ଦିଗକୁ ଇଙ୍ଗିତ କରୁଛି। ହୁଏତ ଏହି ସାପ ଗୁଡିକ ଥଣ୍ଡା ପରିବେଶ ସହିତ ଖାପ ଖୁଆଇବା ଶିଖି ଯାଇଛନ୍ତି ଅଥବା ହିମାଳୟର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି।
ଉଭୟ ପରସ୍ଥିତିରେ ଏହା ବିଶ୍ବ ପାଇଁ କ୍ଷତି କାରକ। ବରଫ ଅଞ୍ଚଳରେ ବିଷଧର ସାପଙ୍କ ଉପସ୍ଥିତି ଭୟଙ୍କର ସାବ୍ୟସ୍ତ ହୋଇପାରେ। ତେବେ ଏହା ଠାରୁ ଅଧିକ ଭୟଙ୍କର ହେଉଛି ଯଦି ହିମାଳୟ ଅଞ୍ଚଳର ତାପମାତ୍ରା ବୃଦ୍ଧି ପାଇଥିବ। ଯଦି ତାପମାତ୍ରା ବୃଦ୍ଧି ପାଇଥାଏ ତେବେ ଆଗାମୀ ଦିନରେ ଗ୍ଲେସିୟର ତରଳିବାରେ ଏହା ପ୍ରମୁଖ କାରଣ ପାଲଟିବ। ଏପରି ହେଲେ ପୃଥିବୀକୁ ଧ୍ବଂସ ହେବାରୁ କେହି ମଧ୍ୟ ବଞ୍ଚାଇ ପାରିବେ ନାହିଁ। ବିଶ୍ବର ବିବିଧତା ଉପରକୁ ପ୍ରଶ୍ନ ଆସିଥିବା ବେଳେ ଗ୍ଲୋବାଲ ୱାର୍ମିଂକୁ ଦୂର କରିବା ଦିଗରେ ସମଗ୍ର ବିଶ୍ବ ତତ୍ପର ହେବା ଉଚିତ ନଚେତ ପୃଥିବୀକୁ ଧ୍ବଂସ ହେବାରୁ କେହି ବଞ୍ଚାଇ ପାରିବେ ନାହିଁ।
ଅହିରାଜ- ବିଶ୍ବର ସବୁଠାରୁ ଲମ୍ବା ବିଷଧର ସାପ ହେଉଛି ଅହିରାଜ। ୧୮ ଫୁଟ ପର୍ଯ୍ୟନ୍ତ ଲମ୍ବରେ ବଢୁଥିବା ଏହି ସାପ କେବଳ ବିଷାକ୍ତ ନୁହେଁ ବରଂ ଏହା ମଣିଷ ଶରୀରର ସ୍ନାୟବିକ ବ୍ୟବସ୍ଥାକୁ ମଧ୍ୟ ଆକ୍ରମଣ କରିଥାଏ। ଏହି ସାପ ସାଧାରଣତଃ ଅଧିକ ଗରମ ପଡୁଥିବା ସ୍ଥାନରେ ଥିବା ଜଙ୍ଗଲରେ ଦେଖିବାକୁ ମିଳିଥାଏ। ଭାରତ, ଦକ୍ଷିଣ ପୂର୍ବ ଏସିଆ ଓ ଫିଲିପାଇନ୍ସରେ ଏହି ସାପ ସବୁଠାରୁ ଅଧିକ ରହିଥାନ୍ତି। ଏହି ସାପ ନେପାଳରୁ ମିଳିଥିବା ବେଳେ ବିଶ୍ବ ପାଣିପାଗରେ ବଡ ପରିବର୍ତ୍ତନ ଆଡକୁ ଏହା ଇସାରା କରୁଛି।
କୋଳଥିଆ ନାଗ- ଏହି ସାପର ମୁଣ୍ଡରେ କଠଉର ଚିହ୍ନ ରହିଥାଏ। ମୁଖ୍ୟତଃ ଏହି ସାପ ସମତଳ ଓ ତଳୁଆ ଅଞ୍ଚଳରେ ଦେଖିବାକୁ ମିଳିଥାଏ। ତେବେ ସମୁଦ୍ର ପତନରୁ ଏତେ ଉଚ୍ଚରେ ଏଭଳି ବିଷାକ୍ତ ସରୀସୃପଙ୍କ ଉପସ୍ଥିତି ଚିନ୍ତା ବଢାଇଛି।
ଏଭଳି ଅଦ୍ଭୂତ ପରିବର୍ତ୍ତନକୁ ନେଇ ବୈଜ୍ଞାନିକ ମାନେ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ପରିବେଶ ପରିବର୍ତ୍ତନ କାରଣରୁ ନିଜର ପ୍ରାକୃତିକ ବାସସ୍ଥାନ ଛାଡି ସାପ ମାନେ ଏଭଳି ସ୍ଥାନକୁ ଯାଉଥିବା ଅନୁମାନ କରାଯାଉଛି। ସେହିପରି ହିମାଳୟ ପର୍ବତମାଳାରେ ତାପମାତ୍ରା ପ୍ରତି ବର୍ଷ ବୃଦ୍ଧି ପାଉଛି। ପ୍ରତିବର୍ଷ ଏଠାକାର ତାପମାତ୍ରା ୦.୦୫ ଡିଗ୍ରୀ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତି ଲାଗି ରହିଲେ ଗ୍ଳେସିୟର ତରଳି ସମଗ୍ର ପୃଥିବୀ ଅଥଳ ଜଳ ରାଶିରେ ଲୀନ ହେବାର ସମ୍ଭାବନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)