• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଖି ସାମ୍ନାରେ ଥିଲା ନିଶ୍ଚିତ ମୃତ୍ୟୁ । ପାନରୁ ଚୁନ ଖସିଲେ ଫୁଟିବ ଗୁଳି । ତଥାପି ବନ୍ଧୁକ ଗୁଳିକୁ ଭୟ କଲେନି । ପରିଣତ ବୟସରେ ବାହାଦୂରୀ ଦେଖାଇଲେ ବୃଦ୍ଧ ଦମ୍ପତି । ଶତ୍ରୁ ସେନା ବିରୋଧରେ ବୃଦ୍ଧ ଦମ୍ପତିଙ୍କ ହଲ୍ଲା ବୋଲ୍ । ଗୋଳାବାରୁଦର କୋଳାହଳ ଭିତରେ ନିଜ ଘର ସାମ୍ନାରେ ଢ଼ାଲ ହୋଇ ଛିଡ଼ା ହୋଇଗଲେ । ଆଧୁନିକ ଅସ୍ତ୍ରଶସ୍ତ୍ର ଧରି ଘରକୁ ପଶି ଆସିଥିବା ଋଷୀୟ ସୈନ୍ୟଙ୍କୁ କଡ଼ା ଜବାବ ଦେଲେ । ହାତରେ ବଡ଼ ବଡ଼ ବନ୍ଧୁକ ଧରି ଘର ଖାଲି କରାଇବାକୁ ଆସିଥିଲେ ପୁଟିନ୍‌ଙ୍କ ସୈନ୍ୟ । ଆଉ ବୃଦ୍ଧ ଦମ୍ପତିଙ୍କ ଦମ୍ଭ ଆଗରେ ତାଙ୍କୁ ହାର୍ ମାନି ଫେରିବାକୁ ପଡ଼ିଲା ।

ହାତରେ ହାତେ ହାତେ ବନ୍ଧୁକ ଧରି ୟୁକ୍ରେନ୍‌ର ମାଇକୋଲାଇଭ ଓବ୍ଲାଷ୍ଟ ପ୍ରାନ୍ତର ବୋଜେସେସ୍କ ସହରକୁ ପଶି ଆସିଥିଲେ ଚାରିଜଣ ଋଷୀୟ ସୈନିକ । ସହରରେ ପହଞ୍ଚିବା ପରେ ଅଲଗା ଅଲଗା ହୋଇ ୟୁକ୍ରେନ୍ ସୈନ୍ୟମାନଙ୍କୁ ଖୋଜିବାରେ ଲାଗିପଡ଼ିଥିଲେ । ତେବେ ସହରରେ ଥିବା ଏକ ଘର ଭତରକୁ ବଳପୂର୍ବକ ପଶିବାକୁ ଚେଷ୍ଟା କରିଥିଲେ । ତିନି ଜଣ ଘର ଭିତରକୁ ପଶି ଯାଇଥିବା ବେଳେ ଜଣେ ବାହାରେ ଅପେକ୍ଷା କରିଥିଲେ । ଘର ଭିତରେ ସୈନ୍ୟଙ୍କୁ ଦେଖି ରାଗ ତମତମ ହୋଇଯାଇଥିଲେ ବୃଦ୍ଧ ଦମ୍ପତି । ଗୁଳିଗୋଳା ଭୟରେ ଘର ଭିତରେ ନଲୁଚି ବାହାରକୁ ଆସି ଉଚିତ୍ ଜବାବ ଦେଇଛନ୍ତି ।

ଭିଡିଓ ଫୁଟେଜରେ ଦେଖିବାକୁ ମିଳୁଛି ଦମ୍ପତିଙ୍କୁ ଭୟଭୀତ କରିବା ପାଇଁ ଋଷୀୟ ସୈନ୍ୟମାନେ ଫାଙ୍କା ଗୁଳି ଚାଳନା କରନ୍ତି ହେଲେ ଗୁଳି ଶବ୍ଦ ଶୁଣି ମଧ୍ୟ ଉଭୟେ ଭୟଭୀତ ହୁଅନ୍ତିନି । ବରଂ ମୃତ୍ୟୁ ଆଖିରେ ଆଖି ମିଶାଇ ଶତ୍ରୁ ସେନାକୁ ଘରୁ ବାହାରକୁ ଯିବାକୁ କୁହନ୍ତି । ସେମାନଙ୍କ ମଧ୍ୟରେ ବେଶ୍ କିଛି ସମୟ ଯୁକ୍ତିତର୍କ ମଧ୍ୟ ହୁଏ । ଶେଷରେ ରୁଷୀୟ ସୈନିକମାନେ ଦମ୍ପତିଙ୍କ ଆଗରେ ହାର ମାନି ଘର ବାହାରକୁ ଚାଲିଯାନ୍ତି ।

ତେବେ ୟୁକ୍ରେନ ଦମ୍ପତି ଋଷୀୟ ସୈନିକଙ୍କ ପଛେ ପଛେ ଗୋଡ଼ାଇ ଘରର ମୁଖ୍ୟ ଫାଟକ ଯାଏ ଘଉଡ଼ାଇ ଦିଅନ୍ତି । ଆଉ ଏହି ସମୟରେ ତାଙ୍କ ଘରେ ଥିବା କୁକୁର ମଧ୍ୟ ସୈନ୍ୟଙ୍କୁ ଦେଖି ଭୁକିବା ଆରମ୍ଭ କରେ । ସୋସିଆଲ ମିଡିଆରେ ସାହସୀ ବୃଦ୍ଧ ଦମ୍ପତିଙ୍କ ଭିଡିଓକୁ ବହୁଳ ଭାବରେ ଭିଡିଓ ସେୟାର କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓ ଦେଖିଛନ୍ତି । ଦମ୍ପତିଙ୍କ ସାହସିକତାକୁ ସୋସିଆଲ ମିଡିଆରେ ଭୁରି ଭୁରି ପ୍ରଶଂସା କରାଯାଉଛି । କେତେକ ଟୁଇଟର ବ୍ୟବହାରକାରୀ ଏହାକୁ ଏକ ଆଶ୍ଚର୍ଯ୍ୟଜନକ ବୋଲି କହୁଛନ୍ତି ।