ଭୟଙ୍କର ହେଲାଣି ଯୁଦ୍ଧ ! ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପ୍ଲାଣ୍ଟରେ ବିସ୍ଫୋରଣ, ସ୍ଥିତି ହୋଇପାରେ ସାଂଘାତିକ

ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ଅପିଲ୍ କରାଯାଇଛି । ଏହା ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ବୋଲି କୁହାଯାଉଛି ।

Nuclear Power Plant Blast

ୟୁକ୍ରେନ୍‌ରେ ଥିବା ୟୁରୋପର ସର୍ବବୃହତ ନ୍ୟୁକ୍ଳିଅର ପାଓ୍ୱର ପ୍ଲାଣ୍ଟ ଉପରେ ରୁଷ ସେନାର ଭିଷଣ ଆକ୍ରମଣ । ୟୁକ୍ରେନ୍‌ର ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ଏହି ଆକ୍ରମଣ ହୋଇଛି । ଯଦି ବିସ୍ଫୋରଣ ହୁଏ ତାହେଲେ ଚେର୍ଣ୍ଣୋବିଲ ଜିଜାଷ୍ଟରର ୧୦ ଗୁଣା ହେବ ବୋଲି ଆଶଙ୍କା କରାଯାଉଛି । ଏନେଇ ସତର୍କ କରାଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ଅପିଲ୍ କରାଯାଇଛି । ଏହା ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ବୋଲି କୁହାଯାଉଛି ।

ଗୁରୁବାର ରାତିରୁ ଜାପୋରିଝଝିଆରେ ରୁଷ ବୋମା ମାଡ଼ କରିଚାଲିଛି । ଆକ୍ରମଣ ଚାଲିଥିବା ବେଳେ ହଠାତ୍‌ ପ୍ଲାଣ୍ଟର ଗୋଟିଏ ଜେନେରେଟିଂ ୟୁନିଟରେ ବୋମା ମାଡ଼ ହୋଇଥିଲା । ଫଳରେ ପ୍ଲାଣ୍ଟର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା । ଏବେ ପ୍ଲାଣ୍ଟ ନିକଟରେ ରୁଷ ସୈନ୍ୟମାନେ ରହି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା କର୍ମଚାରୀଙ୍କୁ ଗୁଳି କରୁଛନ୍ତି ।

ଯଦି ସଂପୂର୍ଣ୍ଣ ନ୍ୟୁକ୍ଲିୟର ପ୍ଳାଣ୍ଟରେ ନିଆଁ ଲାଗିଯିବ, ତା’ହେଲେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମତ୍ରୋ କୁଲେବା କହିଛନ୍ତି। ସେ କହିଛନ୍ତି, “ନିଆଁ ପ୍ଲାଣ୍ଟର ଗୋଟିଏ ୟୁନିଟରୁ ଆଉ ଗୋଟିଏ ୟୁନିଟକୁ ବ୍ୟାପୁଛି । ତେଣୁ ରୁଷ ତୁରନ୍ତ ଯୁଦ୍ଧ ବିରତି ଲାଗୁ କରୁ। ଅଗ୍ନିଶମ କର୍ମଚାରୀଙ୍କୁ ସେଠାକୁ ଯିବାର ଅନୁମତି ଦେଉ ଓ ଉକ୍ତ ଅଞ୍ଚଳରେ ସିକ୍ୟୁରିଟି ଜୋନ ତିଆରି କରାଯାଉ ।”

ଜାପୋରିଝଝିଆକୁ ଲାଗି ରହିଥିବା ଆଉ ଏକ ସହରର ମେୟର ମଧ୍ୟ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ ଲାଗିଥିବା କଥାକୁ ସ୍ୱୀକାର କରିଛନ୍ତି । ଏଥିସହ ରୁଷର ଗୁଳି ଓ ବୋମା ମାଡ଼ରେ ଅନେକ ସୁରକ୍ଷାକର୍ମୀ ଓ ସାଧାରଣ ଲୋକ ମୃତାହତ ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି । ହେଲେ ସେ ପ୍ରକୃତ ମୃତାହତଙ୍କ ସଂଖ୍ୟା ସମ୍ପର୍କରେ କିଛି ବି କହି ନାହାନ୍ତି ।