• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାରିଆଡ଼େ ହାହାକାର । ବାହାରେ ବୁଲୁଛନ୍ତି ମୃତ୍ୟୁର ଦୂତ । ଯୁଦ୍ଧ ପାଇଁ କାହାର ସିନ୍ଦୂର ପୋଛି ହୋଇଯାଇଛି ତ କିଏ ବାପାମା’ଙ୍କୁ ହରାଇଛି । ପୁଣି ଆଉ କାହାର କୁନି କୁନି ପିଲାଙ୍କ ଜୀବନ ଚାଲିଯାଇଛି । ଋଷିଆ ଓ ୟୁକ୍ରେନ୍‌ ଯୁଦ୍ଧକୁ ବର୍ତ୍ତମାନ ଏକମାସରୁ ଅଧିକ ହୋଇଯାଇଛି, ତଥାପି ଥମୁନି ଆକ୍ରମଣ । ଋଷିଆର ଘନଘନ ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସସ୍ତୁପରେ ପରିଣତ ହୋଇସାରିଛି। ଶହ ଶହ ସାଧାରଣ ନାଗରିକଙ୍କ ସମତେ କୁନି କୁନି ପିଲା ଯୁଦ୍ଧର ଶିକାର ହେଉଛନ୍ତି ।

ୟୁକ୍ରେନର ଲୋକପାଳ ସୂଚନା ଅନୁସାରେ ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ପୂର୍ଣ୍ଣକାଳୀନ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ୧୪୩ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧୬ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି । କାରଣ ତୀବ୍ର ସଂଘର୍ଷ ଯୋଗୁଁ ୟୁକ୍ରେନ ଅଧିକାରୀମାନେ ଅନେକ ସହରରେ ପହଞ୍ଚିପାରୁ ନାହାନ୍ତି ।

ସେପଟେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର ରାତିରେ ଦେଶବାସୀଙ୍କୁ ସମ୍ବୋଧନରେ କହିଛନ୍ତି । ଚଳିତ ସପ୍ତାହରେ ଋଷିଆ ସହିତ ତୁର୍କୀରେ ହେବାକୁ ଥିବା ଆଲୋଚନାରେ ୟୁକ୍ରେନର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।

ବିଳମ୍ବ ନକରି ଆମେ ଶାନ୍ତି ଚାହୁଁ ବୋଲି କହିଛନ୍ତି ଜେଲେନସ୍କି । ତୁର୍କୀରେ ମୁହାଁମୁହିଁ କଥାବାର୍ତ୍ତା ଏକ ସୁଯୋଗ ଏବଂ ଆବଶ୍ୟକତା । ଏହି ଆଲୋଚନାରେ ଫଳ ବାହାରିବ ବୋଲି ଆଶା ରହିଛି । ଏହାସହ ୟୁକ୍ରେନର ସଶସ୍ତ୍ର ବାହିନୀକୁ ଧନ୍ୟବାଦ ଜଣାଇଛନ୍ତି ଜେଲେନସ୍କି । ପୁଟିନ୍‌ ସରକାର କବଜା କରିଥିବା ସହରଗୁଡ଼ିକୁ ଦେଶର ସୈନ୍ୟମାନେ ପୁଣି ଅକ୍ତିଆର କରୁଛନ୍ତି । କେତେକ ଅଞ୍ଚଳରେ ସେମାନେ ଲଗାତାର ମାତ୍ ଦେଉଛନ୍ତି । ଏହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଛନ୍ତି ।