ବିଶ୍ୱର ୧୬ ପ୍ରତିଶତ ଜମିର ମାଲିକ । ଖାଲି ଜମି ନୁହେଁ, ୧୬ ପ୍ରତିଶତ ଅନ୍ୟାନ୍ୟ ସମ୍ପତ୍ତିର ବି ମାଲିକ । ବିସ୍ତୃତ ବନ୍ୟକ୍ଷେତ୍ର, ଘଞ୍ଚ ଜଙ୍ଗଲ, ଆବାସିକ ଉପନିବେଶ, ବିସ୍ତୀର୍ଣ୍ଣ ସମୁଦ୍ର ତଟ । ଏମିତି କେତେ ସମ୍ପତ୍ତିର ମାଲିକାନା ତାଙ୍କ ହାତରେ । ଦିନ ଥିଲା, ଏହି ପରିବାର ସାମ୍ନାରେ ବିଶ୍ୱର ଅଧା ଦେଶର ମୁଣ୍ଡ ନଇଁ ଯାଉଥିଲା । ତେବେ ଆସନ୍ତୁ ଜାଣିବା, କିଏ ସେହି ପରିବାର ? କେଉଁ କେଉଁ ଇଲାକାରେ ବ୍ୟାପିଛି ତାଙ୍କର ସମ୍ପତ୍ତି ?
ବିଶ୍ୱର ସବୁଠାରୁ ବଡ ଜମିଦାର
ଏହି ପରିବାରକୁ ବିଶ୍ୱର ସବୁଠାରୁ ବଡ ଜମିଦାର ବୋଲି କୁହାଯାଏ । ଏହି ଜମିଦାର ବିଶ୍ୱର ୧୬ ପ୍ରତିଶତ ସମ୍ପତ୍ତିର ମାଲିକ । ବିଶ୍ୱର ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସବୁଆଡେ ବ୍ୟାପିଛି ତାଙ୍କ ସମ୍ପତ୍ତି । ଏହି ସମ୍ପତ୍ତି ମଧ୍ୟରେ କେଉଁଠି ଚାଷଜମି ତ କେଉଁଠି ଜଙ୍ଗଲ ରହିଛି । ସହରୀ ଇଲାକାରେ ବି ବେଶ ଦାମୀ ଜମି ଏବଂ ଅନ୍ୟ ସମ୍ପତ୍ତି ରହିଛି । ଏଥି ସହିତ ବିସ୍ତୀର୍ଣ୍ଣ ସମୁଦ୍ର ତଟ ବି ତାଙ୍କ ମାଲିକାନାରେ ରହିଛି । ସାରା ବିଶ୍ୱରେ ଥିବା ଏହି ସମ୍ପତ୍ତିର ଦେଖାଶୁଣା କରିବା ପାଇଁ ତାଙ୍କର ଏକ ନିଜସ୍ୱ କମ୍ପାନୀ ରହିଛି ଯାହାର ନାଁ ‘ଦ କ୍ରାଉନ ଇଷ୍ଟେଟ‘।
ଏତେ ସମ୍ପତ୍ତି କିନ୍ତୁ ବ୍ୟକ୍ତିଗତ ମାଲିକ ନୁହଁନ୍ତି
କିଙ୍ଗ ଚାର୍ଲସ ମା’ କୁଇନ ଏଲିଜାବେଥ ତୃତୀୟଙ୍କ ମୃତ୍ୟୁ ପରେ ବିଶ୍ୱର ସବୁଠାରୁ ବିଶାଳ ସମ୍ପତ୍ତିର ମାଲିକ ହୋଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ସମ୍ପତ୍ତି ଥାଇ ବି ବି ସେ ଏହାର ବ୍ୟକ୍ତିଗତ ମାଲିକ ନୁହଁନ୍ତି । ଯେତେଦିନ ଯାଏ ସେ ରାଜା ରହିବେ ସେତେଦିନ ଯାଏ ଏହି ସମ୍ପତ୍ତର ମାଲିକାନା ତାଙ୍କ ହାତରେ ରହିବ । ଇନସାଇଡର ଏବଂ କେତେକ ୱେବସାଇଟ ତଥ୍ୟରୁ ଜଣାଯାଏ, ପ୍ରିନ୍ସ ଚାର୍ଲସ ସାରା ବିଶ୍ୱର ୬.୬ ଅରବ ଏକର ଜମି ଓ ସମ୍ପତ୍ତିର ମାଲିକ । ତାଙ୍କର ଏହି ସମ୍ପତ୍ତି ଗ୍ରେଟ ବ୍ରିଟେନ, ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ, ସ୍କଟଲାଣ୍ଡ, ୱେଲ୍ସ, କାନାଡା ଏବଂ ଆହୁରି ଅନେକ ଦେଶରେ ରହିଛି । ବିଶ୍ୱର ମୋଟ କ୍ଷେତ୍ରଫଳର ୧୬.୬ ପ୍ରତିଶତ ସମ୍ପତ୍ତି ବ୍ରିଟିଶ ରାଜାଙ୍କର ଅଟେ । ‘ଦ୍ର କ୍ରାଉନ ଇଷ୍ଟେଟ’ ଏହି ସମ୍ପତ୍ତିର ଦେଖାଶୁଣା କରିଥାଏ । ବ୍ରିଟିଶ ରାଜ ପରିବାର ପାଖରେ ନିଜ ସମ୍ପତ୍ତି ସମେତ ଇଂଲଣ୍ଡରେ ଥିବା ଅନ୍ୟ ଦୁଇ ରୟାଲ ଡଚିଙ୍କ ମାଧ୍ୟମରେ ୨୫୦,୦୦୦ ଏକର ଜମିର ମାଲିକାନା ରହିଛି ।
ଅଧିକ ପଢ଼ନ୍ତୁ: ତଳିତଳାନ୍ତ କରିଦେଲେ ସରକାର : ଦିନେ ଥିଲେ ଜମିଦାର, ଆଜି ସେ ଯାଯାବର
ଏହି ସମ୍ପତ୍ତି ମଧ୍ୟରେ ରହିଛି ୧୧୫,୦୦୦ ଏକର ଚାଷ ଜମି ଓ ବନ୍ୟ ଭୂମି । ଏହାବ୍ୟତୀତ ସାରା ବିଶ୍ୱରେ ତାଙ୍କର ଜମି, ସମୁଦ୍ର ତଟ, ଆବାସିକ କ୍ଷେତ୍ର, ଅଫିସ କମ୍ପ୍ଲେକ୍ସ ପରି ଅନେକ ସମ୍ପତ୍ତି ରହିଛି । ଦ କ୍ରାଉନ ଇଷ୍ଟେଟ କମ୍ପାନୀ ସମ୍ପତ୍ତିର ଦେଖାଶୁଣା କରିବା ସହ ବାଲି, ବଜୁରୀ, ଚୁନାପଥର, ଗ୍ରାନାଇଟ, ଇଟା, ମାଟି, କୋଇଲା ଏବଂ ସ୍ଲେଟ ବ୍ୟବସାୟର ଡିଲ ମଧ୍ୟ କରିଥାଏ । ରାଜାଙ୍କୁ ଡଚି ଅଫ ଲେକେଷ୍ଟର ନାମକ ଏକ ବ୍ୟକ୍ତିଗତ ସମ୍ପତ୍ତିରୁ ବି କିଛି ଅଂଶ ମିଳିଛି । ଏଥିରେ ମଧ୍ୟ-ଲଣ୍ଡନର ସମ୍ପତ୍ତି ସହିତ ୧୮,୦୦୦ ହେକ୍ଟର ଜମି ରହିଛି । ଏହାର ମୂଲ୍ୟ ୬୫୪ ମିଲିୟନ ପାଉଣ୍ଡରୁ ଅଧିକ ହେବ । ଏହି ସମ୍ପତ୍ତିରୁ ପ୍ରତିବର୍ଷ ୨୦ ମିଲିଅନ ପାଉଣ୍ଡ ଲାଭ ମିଳିଥାଏ । ୨୦୨୨ ସେପ୍ଟେମ୍ବରରେ ଯେତେବେଳେ ଚାର୍ଲସ ତୃତୀୟ ସିଂହାସନରେ ବସିଲେ ସେତେବେଳେ ସେ ୪୬ ବିଲିଅନ ଡଲାରର ସାମ୍ରାଜ୍ୟକୁ ନିୟନ୍ତ୍ରଣ କରିବାର ଅଧିକାର ନିଜ ହାତକୁ ନେଇଥିଲେ । ଏଥିରୁ ଅଧିକାଂଶ ରିଅଲ ଇଷ୍ଟେଟ ଥିଲା ।
ଦ କ୍ରାଉନ ଇଷ୍ଟେଟ ପ୍ରତିବର୍ଷ ମୋଟା ଅଙ୍କର ଲାଭ ଆଦାୟ କରୁଛି । ୨୦୨୨ରେ କମ୍ପାନୀ ଏହି ସମ୍ପତ୍ତିରୁ ୪୯୦.୮ ମିଲିୟନ ଡଲାର ଲାଭ ପାଇଥିଲା । ସବୁକୁ ମିଶାଇ ଦେଖିଲେ ଏହି ରାଜ ପରିବାରର ସମ୍ପତ୍ତିର ମୂଲ୍ୟ ୧୫.୬ ବିଲିଅନ ଡଲାର ହେବ । ବ୍ରିଟିଶ ରାଜ ପରିବାର ପରେ ଆଉ ଏକ ରାଜ ପରିବାର ଅଛି ଯିଏ ଏହିପରି ଅଚଳାଚଳ ସମ୍ପତ୍ତିର ମାଲିକ । ସେ ହେଉଛନ୍ତି ସାଉଦି ଆରବର କିଙ୍ଗ ଅବଦୁଲ୍ଲା । ସେ ବ୍ୟକ୍ତିଗତ ଭାବେ ୮,୩୦,୦୦୦ ବର୍ଗ ମାଇଲ ଜମି ଉପରେ ଶାସନ କରନ୍ତି । ତାଙ୍କର ମଧ୍ୟ ବିରାଟ ସମ୍ପତ୍ତି ଏବଂ ଭୂଭାଗ ରହିଛି` । ଏହା ବ୍ୟତୀତ ଆରବ ସମ୍ରାଟଙ୍କ ତେଲର ଖେଳ ବିଶ୍ୱସ୍ତରରେ ତାଙ୍କୁ ଆହୁରି ଶକ୍ତିଶାଳୀ କରି ଦେଇଛି ।