• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ । ଘମାଘୋଟ୍ ଲଢ଼େଇ ମଧ୍ୟରେ ଜାରି ରହିଛି ବୋମାବର୍ଷା । ଆଉ ତାହାରି ଭିରେ ନିର୍ଭୟ ଓ ନିର୍ବିକାର ଭାବରେ ନିଜ ଲୋକ, ଦେଶର ଲୋକଙ୍କୁ ଉଦ୍ଧାର କରୁଛନ୍ତି ଜଣେ ଭାରତୀୟ । ମୃତ୍ୟୁକୁ ଭୟ ନାହିଁ । ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ପାଇଁ ସେ ଦେବଦୂତ ସହ ସମାନ । ଘନ ଘନ ବୋମାବର୍ଷା ମଧ୍ୟରେ ସମସ୍ତଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି । କାରଣ ଯେଉଁଠାରେ କ୍ଷଣ କ୍ଷଣକେ ମୃତ୍ୟୁ ତାଣ୍ଡବ ରଚୁଛି, ସେଠାରେ ଲୋକଙ୍କ ବିଷୟରେ ଚିନ୍ତା କରିବା ସବୁଠାରୁ ବଡ଼ କଥା ।

ରୋନକ୍‌ ୟୁକ୍ରେନ ଭିତରେ ପଶି ଜଣେ ଭାରତୀୟ ମହିଳା ଏବଂ ତାଙ୍କର ଦୁଇ ମାସର ଶିଶୁକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି । କେବଳ ମା’ ଓ ପିଲାଙ୍କୁ ନୁହେଁ ୟୁକ୍ରେନରୁ ଅନେକ ସଂଖ୍ୟକ ଲୋକଙ୍କୁ ଉଦ୍ଧାର କରୁଛନ୍ତି ସେ । ଡେନମାର୍କରେ ରହୁଥିବା ଭାରତୀୟ ବଂଶଦ୍ଦଭୋବ ରୋନକ୍‌ ରାୱଲ ଯୁଦ୍ଧର ଏହି କଠିନ୍‌ ସମୟରେ ଅସହାୟ ଲୋକଙ୍କ ପାଇଁ ଭଗବାନ ରୂପରେ ଉଭା ହେଇଛନ୍ତି ।

ଗୁଳିମାଡ଼, ଏୟାର ଷ୍ଟ୍ରାଇକ୍‌ ମଧ୍ୟରେ ଲୋକଙ୍କୁ ନୂଆ ଜୀବନ ଦେଉଛନ୍ତି । ରୋନକ୍‌ ୟୁକ୍ରେନରୁ ମହିଳା ଏବଂ ଶିଶୁମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇ ଯାଉଛନ୍ତି । ତେବେ ସେହି ସମୟର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଭିଡିଓରେ ରୋନକ୍‌ କହିଛନ୍ତି, ଆଜି ମୁଁ ଦୁଇ ମାସର ଶିଶୁକୁ ବଞ୍ଚାଇବା ପାଇଁ ୟୁକ୍ରେନ ଯାଇଥିଲି । ଶିଶୁଟି ମା ସହିତ ୟୁକ୍ରେନ ସୀମାରେ ଫସି ରହିଥିଲା । ଭିଡିଓ ରେ ଉଭୟ ମା’ଓ ପିଲାଙ୍କୁ ଦେଖିବାକୁ ମିଳୁଛି । ସେମାନେ ରୋନକ୍‌ ଧନ୍ୟବାଦ ଜଣାଇଛନ୍ତି । 

ମୃତ୍ୟୁ ଭୟ ଭିତରେ ଲୋକଙ୍କୁ ନୂଆ ଜୀବନ ପ୍ରଦାନ କରିବା ପାଇଁ ଅଦମ୍ୟ ସାହସିକତା ଆବଶ୍ୟକ । ଆଉ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମୃତ୍ୟୁର ଆଁରୁ ଲୋକଙ୍କୁ ବଞ୍ଚାଇବା କିଛି ଛୋଟ କଥା ନୁହେଁ । ରୋନକଙ୍କ ଏପରି ମହାନ୍‌ କାମ ପାଇଁ ତାଙ୍କୁ ସମସ୍ତେ କୃତଜ୍ଞତା ଜଣାଇବା ସହ ଭୁରି ଭୁରି ପ୍ରଶଂସା କରୁଛନ୍ତି ।