• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ସାରା ବିଶ୍ୱ ଶୋକ ପ୍ରକାଶ କରୁଛି । ବିଶ୍ୱର ବିଭିନ୍ନ ଭାଗରୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଗଣ କୁଇନ୍ ଏଲିଜାବେଥ୍‌ଙ୍କ ସ୍ମୃତିଚାରଣ କରୁଛନ୍ତି । ସେପଟେ ସ୍କଟଲାଣ୍ଡର ବାଲମୋରରେ ଥିବା ରୟଲ୍ ଇଷ୍ଟେଟ୍ ଆଗରେ ଆଜି ସକାଳେ ଫୁଲତୋଡା ଦେଇ ଲୋକମାନେ ନିଜ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଗତକାଲି ରାଣୀ ଏଲିଜାବେଥ୍‌ଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ଦୀର୍ଘ ୭୦ ବର୍ଷ ଧରି ସେ ବ୍ରିଟେନର ଶାସନ ଗାଦିରେ ବସିଥିଲେ । ରାଣୀ ଏଲିଜାବେଥ୍ ଦ୍ୱିତୀୟ ଙ୍କ ମୃତ୍ୟୁ ପରେ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲ୍ସ ରାଜା ହୋଇଛନ୍ତି ।

ବିଧିବଦ୍ଧ ଭାବେ ଆସନ୍ତାକାଲି ଆସେସନ୍ କାଉନ୍ସିଲ୍ ଦ୍ୱାରା ଚାର୍ଲ୍ସଙ୍କୁ ରାଜା ଭାବେ ଅଭିଷିକ୍ତ କରାଯିବ ବୋଲି ଜଣାପଡ଼ିଛି । ସେ ବାଲମୋରରୁ ଆଜି ହିଁ ଲଣ୍ଡନ ଫେରିବେ ଓ ଦେଶବାସୀଙ୍କୁ ସମ୍ବୋଧନ କରିବେ । ମହାରାଣୀ ଏଲିଜାବେଥଙ୍କ ପାର୍ଥିବ ଶରୀରକୁ ମଧ୍ୟ ଆଜି ବାଲମୋରରୁ ପ୍ରଥମେ ଏଡିନବର୍ଗ ନିଆଯିବ । ସେଠାରୁ ଲଣ୍ଡନ ଅଣାଯିବ ।

ରାଣୀଙ୍କ ମୃତ୍ୟୁରେ ବ୍ରିଟେନ ସରକାର ୧୦ ଦିନ ଶୋକ ପାଳନ କରିବେ । ହାଇଡ୍ ପାର୍କରେ ତୋପ ସଲାମି ଦିଆଯିବ । ସେହିପରି ୱେଷ୍ଟମିନଷ୍ଟର ଆବେରେ ଥିବା ଚର୍ଚ୍ଚର ବେଲ୍ ବଜାଯିବ । ୟୁନିୟନ ଫ୍ଲାଗ୍ ଅର୍ଦ୍ଧନମିତ ରହିବ । ଶେଷ ଥର ପାଇଁ ରାଣୀ ଏଲିଜାବେଥଙ୍କୁ ଗତ ୬ ତାରିଖରେ ଦେଖିବାକୁ ମିଳିଥିଲା । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍‌ଙ୍କୁ ସେ ବାଲମୋର୍ ପ୍ୟାଲେସରେ ହିଁ ନିଯୁକ୍ତ କରିଥିଲେ ।

ବିଶ୍ୱର ସର୍ବ ପୂରାତନ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ବ୍ରିଟେନ୍‌ର ରାଜ ପରିବାରର ବଡ଼ ଭୂମିକା ରହିଛି । ଦେଶରେ ନିର୍ବାଚିତ ସରକାର ଥିଲେ ସୁଦ୍ଧା ରାଜ ପରିବାରର ସମ୍ମାନାର୍ଥେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରଦାନ କରାଯାଇଥାଏ । ଭାରତରେ ରାଷ୍ଟ୍ରପତିଙ୍କ ପରି ଭୂମିକା ବ୍ରିଟେନ୍‌ର ମହାରାଣୀ ତୁଲାଇଥାନ୍ତି । ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତ କରିବା ଭଳି କ୍ଷମତା ମହାରାଣୀଙ୍କ ନିକଟରେ ରହିଥାଏ ।

ରାଣୀ ଏଲିଜାବେଥଙ୍କ ଜନ୍ମ ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନରେ ହୋଇଥିଲା । ନୌସେନା ଅଧିକାରୀ ଫିଲିପ୍‌ଙ୍କ ସହ ତାଙ୍କର ବିବାହ ହୋଇଥିଲା । ତାଙ୍କର ୪ ସନ୍ତାନ ପ୍ରିନ୍ସ ଚାର୍ଲସ, ପ୍ରିନ୍ସ ଆନି, ପ୍ରିନ୍ସ ଆଣ୍ତ୍ର୍ୟୁ ଏବଂ ପ୍ରିନ୍ସ ଏଡୱାର୍ଡ ଅଛନ୍ତି । ୨୦୨୧ ଏପ୍ରିଲରେ ସ୍ୱାମୀ ଫିଲିପଙ୍କ ୯୯ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା ।

୧୯୫୨ରେ ପିତା ଜର୍ଜ ସିକ୍ସଥଙ୍କ ମୃତ୍ୟୁ ପରେ ୨୫ ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ୍ । ସେ ବ୍ରିଟେନ୍ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ଆଣ୍ଟିଗୁଆ, ବର୍ମୁଡା, ବାହାମାସ୍, ବ୍ରାଜିଲ, ସେଣ୍ଟ ଲୁସିଆ ଓ ସେଣ୍ଟ ଭିନସେଣ୍ଟ ଭଳି ୧୫ଟି ଦେଶର ରାଣୀ ଥିଲେ । ରାଣୀ ଏଲିଜାବେଥ୍  ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ୭୩ ବର୍ଷିୟ ବଡପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନ୍‌ର ନୂଆ ରାଜା ହୋଇଛନ୍ତି ।  

ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମୋଦି ନିଜର ବ୍ରିଟେନ୍ ଗସ୍ତ ବେଳେ ମହାରାଣୀଙ୍କୁ ଭେଟିଥିବା ସମୟର ମୁହୂର୍ତ୍ତକୁ ମନେ ପକାଇଛନ୍ତି ।

ମହାରାଣୀ ଏଲିଜାବେଥ୍ ଶାସନ ଗାଦିରେ ବସିବା ପରଠାରୁ ବହୁଥର ଭାରତ ଗସ୍ତରେ ଆସିଛନ୍ତି । ପ୍ରଥମ ଥର ସେ ୧୯୬୧ ମସିହାରେ ଭାରତକୁ ଆସିଥିଲେ । ଏହି ବର୍ଷ ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ସେ ସମ୍ମାନତି ଅତିଥି ଭାବେ ଯୋଗ ଦେଇଥିଲେ । ୧୯୮୩, ୧୯୯୭ ମସିହାରେ ମଧ୍ୟ ଭାରତ ଗସ୍ତରେ ଆସିଥିଲେ କୁଇନ୍ ଏଲିଜାବେଥ୍ ।