• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶରେ 5G ଯୁଗର ଲଗ୍ ଇନ୍ ଲମ୍ବା ପ୍ରତୀକ୍ଷା ପରେ ଆଜିଠୁ ଆରମ୍ଭ ହୋଇଯାଇଛି ୫ ଜି ସେବା । ଦିଲ୍ଲୀର ପ୍ରଗତି ମୈଦାନରେ ଷଷ୍ଠ ମୋବାଇଲ୍ କଂଗ୍ରେସର ଉଦଘାଟନ ସହିତ ୫ଜି କ୍ରାନ୍ତିର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରାରମ୍ଭିକ ପର୍ଯ୍ୟାରେ ଏହି ସେବା ଦିଲ୍ଲୀ, ମୁମ୍ବାଇ କୋଲକାତା ଓ ଚେନ୍ନାଇ ଭଳି ପ୍ରମୁଖ ୧୩ଟି ସହରରେ ଆରମ୍ଭ ହେବାକୁ ଥିବା ବେଳେ ଆଗାମୀ ଦୁଇବର୍ଷ ଭିତରେ ଦେଶର କୋଣ ଅନୁକୋଣକୁ ପହଞ୍ଚାଯିବାର ଲକ୍ଷ୍ୟ ରହିଛି ।

ଦେଶରେ ୫ଜି ସେବାର ଶ୍ରୀଗଣେଶ ପରେ ପରେ ଆଜି ତାର ପରିଣାମକୁ ଏମିତି ସାମ୍ନାକୁ ଆଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀରେ ଥାଇ ଚଳାଇଛନ୍ତି ସ୍ୱିଡେନରେ ଥିବା କାର୍ ୫ଜି ଟେକ୍ନୋଲଜି ବଳରେ । ଏଣିକି ସବୁ ଅସମ୍ଭବ ସମ୍ଭବ । ଦିଲ୍ଲୀର ପ୍ରଗତି ମୈଦାନରେ ଦେଶରେ ୫ ଜି ଯୁଗକୁ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି- ଦେଶର ଦ୍ୱାରରେ ଏହା ନୂଆ ଯୁଗର ଦସ୍ତକ୍ । ପ୍ରତି ଭାରତୀୟଙ୍କ ପାଇଁ ଅସୀମ ସମ୍ଭାବନାର ଆରମ୍ଭ । ନୂଆ ଭାରତ ଏଣିକି ଟେକ୍ନୋଲଜିର କେବଳ ଖାଉଟି ହୋଇ ରହିବନି ବରଂ ଏହାର ବିକାଶ ଓ ପ୍ରୟୋଗରେ ସକ୍ରିୟ ଭୂମିକା ଗ୍ରହଣ କରିବ ।

ଟୁଜି, ଥ୍ରୀଜି, ଫୋର୍ ଜି କାଳରେ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା । କିନ୍ତୁ ଫାଇଭ୍ ଜି ସହିତ ପ୍ରଥମ ଥର ପାଇଁ ଟେଲିକମ୍ ଟୋକ୍ନୋଲଜି ଏକ ଗ୍ଲୋବାଲ୍ ଷ୍ଟାଣ୍ଡାର୍ଡ ପ୍ରସ୍ତୁତ କରି ପାରିଛୁ । ଏଥିସହ ମୋଦି ଇଣ୍ଟରନେଟ୍ ଫର୍ ଅଲ୍ ବା ସମସ୍ତଙ୍କ ପାଇଁ ଇଣ୍ଟରନେଟର ସ୍ଲୋଗାନ୍ ଦେଇ ନୂଆ ଭାରତ ନିର୍ମାଣ କ୍ଷେତ୍ରରେ ୫ ଜି ବେଶ୍ ସହାୟକ ହେବ ବୋଲି କହିଛନ୍ତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜିଓ, ଏୟାରଟେଲ୍ ଓ ଅନ୍ୟ କମ୍ପାନିଙ୍କ ଷ୍ଟଲ ପରିଦର୍ଶନ କରିବା ସହ ୫ଜି ପ୍ରୟୋଗରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ନିର୍ମାଣ, ବ୍ୟାଙ୍କିଂ ଭଳି କ୍ଷେତ୍ରରେ ହେବାକୁ ଥିବା ପରିବର୍ତ୍ତନର ଡେମୋ ଦେଖିଥିଲେ ।

ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ସମେତ ଦେଶର ୧୩ଟି ସହରରେ ୫ଜି ସେବା ଉପଲବ୍ଧ ହେବ । ଏହାପରେ ଆସନ୍ତାବର୍ଷ ଶେଷସୁଦ୍ଧା ଏହି ସେବା ଦେଶର ସବୁ ସହର ଓ ଗାଁ ଗାଁରେ ପହଞ୍ଚିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି । ତେବେ ଓଡ଼ିଶାର କୌଣସି ସହର ପ୍ରଥମ ପଯର୍ୟାୟ ୫ଜି ସେବାରେ ସାମିଲ ନଥିଲେ ବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଗାଁ ମୟୂରଭଞ୍ଜର ପାହା଼ଡପୁରବାସିନ୍ଦାଙ୍କୁ ମିଳିଛି । ଏଇ ସେବାର ଅନୁଭୂତି ଦିଲ୍ଲୀରେ ସେବାର ଶୁଭାରମ୍ଭ ସମୟରେ ରାଜ୍ୟର ପ୍ରଥମ ସ୍କୁଲ ଭାବେ ପାହାଡ଼ପୁରର ଏସ୍ଏସ୍ଏସ୍ ମେମୋରିଆଲ୍ ସ୍କୁଲର ଛାତ୍ରଛାତ୍ରୀମାନେ ରିଲାଏନ୍ସ ଜିଓର ୫ଜି ନେଟ୍ଓ୍ୱର୍କ ଜରିଆରେ ଏଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଆଖି ପିଛୁଳାକେ ଡାଉନଲୋଡିଂ, ବିଜୁଳି ବେଗରେ ସର୍ଫିଂ । ନଜର ପକାନ୍ତୁ ଇଣ୍ଟରନେଟ୍ ଦୁନିଆରେ ବୈପ୍ଲବିକ ପରିବର୍ତ୍ତନ ଆଣୁଥିବା ଏଇ ଫାଇଭ୍ ଜି ସେବାର ଫାଇଦା ଉପରେ . .

୫ ଜି ଟେକ୍ନୋଲଜିରେ ମୋବାଇଲ୍ ଇଣ୍ଟରନେଟର ସ୍ପିଡ୍ ୪ଜି ତୁଳନାରେ ୧୦ ଗୁଣା ଅଧିକ ରହିବ ଯାହାର ପ୍ରଭାବରେ ମାତ୍ର ୧୦ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲ୍ଡ୍ ହୋଇପାରିବ । ଏହାର ପ୍ରୟୋଗରେ ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ, ବ୍ୟାଙ୍କିଂ ସବୁ କ୍ଷେତ୍ରରେ ଅଭୂତପୂର୍ବ ପରବିର୍ତ୍ତନ ହେବ । ଯେମିତି ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେଲିମେଡିସିନ୍ ଓ ରୋବଟର ବ୍ୟବହାର ବଢ଼ିବ । ଦୁର୍ଗମ ପାହାଡ଼ି ଇଲାକାରେ ଭିଡିଓ କନଫରେନ୍ସିଂ ଜରିଆରେ ଚିକିତ୍ସାସେବା ପହଞ୍ଚାଯାଇ ପାରିବ । ହୋଟେଲ୍ ଓ ହସ୍ପିଟାଲିଟି କ୍ଷେତ୍ରରେ ବି ରୋବୋଟର ବ୍ୟବହାର ବୃଦ୍ଧି ପାଇବ । ସେହିପରି ଗାଁ ଗାଁରେ ହାଇସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚିବା ଫଳରେ ଶିକ୍ଷା ବିଶେଷକରି ଅନଲାଇନ୍ ଶିକ୍ଷାରେ ଡେଣା ଲାଗିବ । କୃଷିକ୍ଷେତ୍ରରେ ପ୍ରଭାବୀ ଢଙ୍ଗରେ ଡ୍ରୋନ୍ର ବ୍ୟବହାର ସମ୍ଭବ ହେବା ସାଙ୍ଗକୁ ପୂର୍ବାପେକ୍ଷା ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ପାଣିପାଗର ସଠିକ୍ ସୂଚନା ମିଳିପାରିବ । ଭବିଷ୍ୟତରେ ଭାରତରେ ଡ୍ରାଇଭର ଲେସ୍ କାର୍ ଓ ଡ୍ରାଇଭର ଲେସ୍ ମେଟ୍ରୋ ଚଳାଚଳ ପାଇଁ ବି ବାଟ ଫିଟାଇବ ଫାଇଭ୍ ଜି ।

୨୦୧୯ ଏପ୍ରିଲରେ ଦକ୍ଷିଣ କୋରିଆରେ ଆରମ୍ଭ ହୋଇଥିବା ୫ଜି ସେବା ଏବେ ୭୦ଟି ଦେଶରେ ଉପଲବ୍ଧ ଅଛି । ତେବେ ଚୀନ୍, ଆମେରିକା, ଫିଲିପିନ୍ସ ,ଦକ୍ଷିଣ କୋରିଆ ଓ କିଛି ୟୁରୋପୀୟ ଦେଶରେ ଏହାର ବହୁଳ ବ୍ୟବହାର ଆରମ୍ଭ ହୋଇଥିଲା ବେଳେ ଏବେ ତାଲିକାରେ ଯୋଡ଼ି ହୋଇଛି ଭାରତ ।