ଫ୍ରାନ୍ସରେ ଅଟକିଲା ବିମାନ, ମାନବଚାଲାଣ ସନ୍ଦେହ; ଥିଲେ ଭାରତୀୟ

୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବଚାଲାଣ ସନ୍ଦେହରେ ଏହାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସ ।

Flight

୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବଚାଲାଣ ସନ୍ଦେହରେ ଏହାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସ । ୟୁରୋପୀୟ ଦେଶ ରୋମାନିଆରେ ପଞ୍ଜୀକୃତ ଏହି ଚାଟାର୍ଡ ଫ୍ଲାଇଟଟି ଦୁବାଇରୁ ଛାଡ଼ିଥିଲା ଏବଂ କେନ୍ଦ୍ରୀୟ ଆମେରିକାର ନିକରାଗୁଆ ଯିବାର ଥିଲା ।

ତେବେ ଏହା ଫ୍ରାନ୍ସର ଏକ ଛୋଟ ବିମାନ ବନ୍ଦର ଭ୍ୟାଟ୍ରିରେ ଇନ୍ଧନ ଭର୍ତ୍ତି କରିବାକୁ ଓହ୍ଲାଇଥିଲା । ସେଥିରେ ୩୦୩ ଜଣ ଭାରତୀୟ ଥିଲେ । ଏହି ବିମାନକୁ ଭ୍ୟାଟ୍ରି ଏୟାରପୋର୍ଟରେ ଅଟକାଇ ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସର ସଂଗଠିତ ଅପରାଧ ନିରୋଧୀ ୟୁନିଟ୍ ଜୁନାଲକୋ ।

ଗୁପ୍ତ ସୂତ୍ରରୁ ଖବର ପାଇ ଏହି ବିମାନରେ ମାନବ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ତେଣୁ ବିମାନଟି କେଉଁ କାରଣରୁ ନିକରାଗୁଆ ଯାଉଥିଲା, ଏହି ଯାତ୍ରାର ଅଭିପ୍ରାୟ କଣ, ତାହା ଜାଣିବାକୁ ଚେଷ୍ଟା ଚାଲିଛି ।

ସନ୍ଦେହ କରାଯାଉଛି ଯେ, ସେମାନେ ନିକରାଗୁଆରୁ ଆମେରିକା କିମ୍ବା କାନାଡ଼ାକୁ ଅବୈଧ ଅନୁପ୍ରବେଶ କରିବା ଉଦ୍ଦେଶ୍ୟରେ ଯାଉଥିଲେ । ତେବେ ତଦନ୍ତ ସମୟରେ ଯେପରି ଯାତ୍ରୀମାନେ କୌଣସି ସମସ୍ୟା ନଭୋଗନ୍ତି ସେଥିପାଇଁ ଏୟାରପୋର୍ଟ ଏଣ୍ଟ୍ରିହଲ ରିସେପସନ ଏରିଆକୁ ୱେଟିଂ ଏରିଆରେ ପରିଣତ କରାଯାଇଛି ।