• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ମା’ ହୋଇ ପିଲାଙ୍କୁ ଖାଇବା ମୁଠେ ଦେଇପାରୁନି । ମୋ ପିଲାଙ୍କୁ ଭୋକରେ ମାରିଦେବି କି ? ଘର ପାଇଁ ଡାଲି, ଅଟା, ଚିନି କିଣିବା ସତେ କି ସ୍ୱପ୍ନ । ମାସକ ଘର ଭଡ଼ା ୨୦ ହଜାର, ଇଲେକ୍ଟ୍ରି ବିଲ୍‌ ଆସୁଛି ୧୫ ହଜାର । କେଉଁଠୁ ଆଣିବି ଏତେ ଟଙ୍କା । ଘର ଭଡ଼ା ଦେବି ନା ରୋଷେଇ ସାମଗ୍ରୀ କିଣିବି ? ମିର୍ଗି ରୋଗରେ ପୀଡ଼ିତ ମୋ ଛୁଆ ପାଇଁ ଔଷଧ ଟୋପାଏ ବି କିଣି ପାରୁନି । ମୋର ଏପରି ସ୍ଥିତି ପାଇଁ ଦାୟୀ କିଏ ? ମୋତେ ଉତ୍ତର ଦିଅ ଶେହବାଜ୍‌ ସରକାର . . । ତୁମକୁ କ’ଣ ଖୁଦାଙ୍କର ଭୟ ନାହିଁ କି ’ବୋଲି ପ୍ରଶ୍ନ କରିଛନ୍ତି ଜଣେ ପାକିସ୍ତାନୀ ମହିଳା । ଭିଡିଓ ତିଆରି ନିଜର ଅସହାତର ବଖାଣିବା ସହ ପାକ୍‌ ସରକାରଙ୍କ ପୋଲ୍‌ ଖୋଲିଛନ୍ତି ।

ଦରଦାମ ବୃଦ୍ଧି ଭିତରେ ଜଣେ ପାକିସ୍ତାନୀ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ବିଭିନ୍ନ ସାମଗ୍ରୀର ଦାମ ବୃଦ୍ଧି ପାଉଥିବା ଯୋଗୁଁ ସେ ପିଲାଙ୍କୁ ଖାଇବାକୁ ଦେଇ ପାରୁନାହାନ୍ତି । ମା’ ହୋଇ ଏକଥା ତାଙ୍କୁ ସହ୍ୟ ହେଉନି । ପିଲାଙ୍କ ଭୋକିଲା ଆଖି ତାଙ୍କୁ ବ୍ୟତିବ୍ୟସ୍ତ କରିପକାଉଛି । କାନ୍ଦି କାନ୍ଦି ସେ ସୋସିଆଲ ମିଡିଆରେ ନିଜ ଦୁଃଖ ଜଣାଉଛନ୍ତି । ପାକିସ୍ତାନର ସ୍ଥିତି ଦିନକୁ ଦିନ ଅଣାୟତ ହେଉଛି । ଦେଶରେ ମେଡିସିନ୍‌, ଖାଦ୍ୟସାମଗ୍ରୀ, ବିଜୁଳି ଦର ବଢ଼ି ବଢ଼ି ଚାଲିଛି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ସେହବାଜ ଶରିଫଙ୍କୁ ଦାୟୀ କରିଛନ୍ତି ।

ଭିଡିଓରେ ଥିବା ମହିଳା ଜଣଙ୍କ କରାଚିରେ ରୁହନ୍ତି । ତାଙ୍କ ନାଁ ରାବିୟା । ସେ ଦୁଇଟି ପିଲାର ମା’ । ତାଙ୍କ ପିଲା ମିର୍ଗୀ ରୋଗରେ ପୀଡ଼ିତ । ହେଲେ ଗତ ଚାରି ମାସ ହେଲା ସରକାର ଔଷଧ ଦାମ୍‌ ବଢ଼ାଇ ଦେଇଛନ୍ତି । ୟୁନିଟ୍‌ ପିଛା ବିଦ୍ୟୁତ୍‌ ବିଲରେ ବୃଦ୍ଧି କରିଛନ୍ତି । ପିଲାଙ୍କ ପାଇଁ ମେଡିସିନ୍‌ କିଣିଲେ ଖାଇବା କିଣି ପାରୁନାହାନ୍ତି । ଏପରି ସ୍ଥିତିରେ ସେ କ’ଣ ପିଲାଙ୍କୁ ମାରି ଦେବେ ବୋଲି ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ।

ଭିଡିଓକୁ ସେୟାର କଲେ ପାକିସ୍ତାନୀ ସାମ୍ବାଦିକ ହମିଦ ମୀର

ପାକିସ୍ତାନରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କରାଚି ମହିଳା ଜଣକୁ ଦରଦାମ୍‌ ଆକାଶଛୁଆଁ ହେବା ପରେ ସରକାରଙ୍କ ନୀତି ଉପରେ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି । ଏହି ଭିଡିଓକୁ ପାକିସ୍ତାନୀ ସାମ୍ବାଦିକ ହମିଦ ମୀର ସେୟାର କରିଛନ୍ତି । ମହିଳା ଜଣକ ସରକାରଙ୍କୁ ପଚାରୁଛନ୍ତି, ମୁଁ ପିଲାଙ୍କ ମୁହଁରେ ତ ଦାନା ଦେଇ ପାରୁନି । ଏବେ କରିବି କ’ଣ ? ଏବେ ପିଲାମାନଙ୍କୁ ଖାଇବାକୁ ନ ଦେଇ ନିଜ ଜୀବନକୁ ଶେଷ କରିଦେବା ଉଚିତ୍ କି?

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନ ଅର୍ଥମନ୍ତ୍ରୀ ସଫେଇ ଦେଇଛନ୍ତି । ସରକାର ଜୁନ୍ ମାସରେ ବିଦ୍ୟୁତ୍ ଦର କିମ୍ବା ଔଷଧ ଉପରେ ନୂଆ ଟିକସ ଲାଗୁ କରିନାହାଁନ୍ତି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ପଡ଼ୋଶୀ ପାକିସ୍ତାନ । ଶ୍ରୀଲଙ୍କା ଭଳି ଋଣଗ୍ରସ୍ତ ପାକିସ୍ତାନ । ରୁଗଣ ଅର୍ଥବ୍ୟବସ୍ଥା, ନିମ୍ନଗାମୀ ମୁଦ୍ରା ମୂଲ୍ୟ ବଢ଼ାଇଛି ଚିନ୍ତା । ଦେଶର ଭୁଶୁଡ଼ି ପଡ଼ିଥିବା ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର କିଛି ଦିନ ପୂର୍ବରୁ ବଡ଼ ପଦକ୍ଷେପ ନେଉଥିବା କୁହାଯାଉଥିଲା । କିନ୍ତୁ ବାସ୍ତବରେ ଲୋକଙ୍କ ଆର୍ଥିକ ମାନଦଣ୍ଡରେ କୌଣସି ସୁଧାର ଆସିପାରିନାହିଁ।