ପାକିସ୍ତାନ କାନ୍ଦିବ ରକ୍ତର କାନ୍ଦ !
ସୀମାପାର ଆତଙ୍କବାଦର ଖୋଇ ଛାଡ଼ି ନପାରି ଭୀଷଣ ପସ୍ତେଇବାକୁ ଯାଉଛି ପାକିସ୍ତାନ । ପହଲଗାମରେ ନିରୀହ ଛାତିରୁ ରକ୍ତ ବୁହାଇ, ଆଗକୁ ନିଜେ କାନ୍ଦିବ ରକ୍ତର କାନ୍ଦଣା । କୌଣସି ସାମରିକ ପଦକ୍ଷେପ ପୂର୍ବରୁ କୂଟନୈତିକ ମାଷ୍ଟରଷ୍ଟ୍ରୋକ୍ ଖେଳିଛି ଭାରତ । ସିନ୍ଧୁ ଜଳ ଚୁକ୍ତି ରଦ୍ଦ ଓ ଅଟ୍ଟାରୀ ସୀମା ବନ୍ଦ ଭଳି ପଦକ୍ଷେପ ଫଳରେ, ପାକିସ୍ତାନ କେବଳ ସମସ୍ୟା ଭୋଗିବାକୁ ଯାଉନି, ବରଂ ତା' ସତ୍ତା ଏବେ ସଂକଟ ଘେରରେ ।
ଉଭୟ ଭାରତ ଓ ପାକିସ୍ତାନ ଦେଇ ବହୁଥିବା ୬ଟି ନଦୀର ଜଳ ଭାଗବଣ୍ଟା ପାଇଁ ୧୯୬୦ରେ ସ୍ବାକ୍ଷରିତ ହୋଇଥିଲା ସିନ୍ଧୁ ଜଳ ଚୁକ୍ତି । ଯାହା ଉପରେ ଗତକାଲି ରୋକ୍ ଲଗାଇ ପାକିସ୍ତାନ ଛାତିରେ ମହାପ୍ରହାର କରିଛନ୍ତି ମୋଦି ସରକାର । ଏଣିକି ନିଜ ନିୟନ୍ତ୍ରଣରେ ଥିବା ବ୍ୟାସ୍, ରାବି ଓ ସତଲେଜ୍ ସହ ପାକିସ୍ତାନ ହାତରେ ଥିବା ସିନ୍ଧୁ, ଚେନାବ ଓ ଝେଲମ୍ ଜଳକୁ ବି ନିୟନ୍ତ୍ରଣ କରିପାରେ ଭାରତ । ସବୁଯାକ ନଦୀ ଭାରତ ଦେଇ ପାକିସ୍ତାନକୁ ବହୁଥିବାରୁ, ଉପରମୁଣ୍ଡ ନଦୀବନ୍ଧ ଗୁଡ଼ିକରେ ବିନା କୌଣସି ଅଙ୍କୁଶରେ ଜଳ ରୋକାଗଲେ, ପାକିସ୍ତାନରେ ହାହାକାର ପଡ଼ିଯିବ । ପୂର୍ବରୁ ଇଣ୍ଡସ୍ ସିଷ୍ଟମରେ ବହୁଥିବା ସମୁଦାୟ ଜଳର ମାତ୍ର ୩୦ ଭାଗ ଭାରତ ପାଉଥିଲା । ୭୦ ଭାଗ ଜଳ ପାକିସ୍ତାନକୁ ଯାଉଥିଲା।
ଏହାସତ୍ତ୍ବେ, କେବଳ ପାକିସ୍ତାନୀ ଜନସାଧାରଣଙ୍କ ମୁହଁକୁ ଚାହିଁ ତିନି ତିନିଟି ଯୁଦ୍ଧ ସମୟରେ ବି ଏହି ଚୁକ୍ତିରେ ହାତ ମାରିନଥିଲା ନୂଆଦିଲ୍ଲୀ । ହେଲେ ପାକିସ୍ତାନ ବର୍ବରତାର ସବୁ ସୀମା ଟପିଯିବା ପରେ, ଭାରତ ପାଇଁ ବି ଭାଙ୍ଗିଗଲା ଧୈର୍ଯ୍ୟର ବନ୍ଧ । ପାକିସ୍ତାନର ଲାଇଫଲାଇନ କୁହାଯାଉଥିବା ଏବଂ ୨୫ ପ୍ରତିଶତ ଜିଡିପି ନିର୍ଭର କରୁଥିବା ସିନ୍ଧୁ ରିଭର୍ ସିଷ୍ଟମରେ ଜଳ କମିଲେ ପାକିସ୍ତାନର ୧୦ କୋଟିରୁ ଅଧିକ ଜନସଂଖ୍ୟା ଓ ୮୦ ପ୍ରତିଶତ କୃଷି ପ୍ରଭାବିତ ହେବ । ଗହମ, ଧାନ, ଆଖୁ ଓ ତୁଳା ଆଦି ଚାଷ ହେଉଥିବା ୧ କୋଟି ୬୦ ଲକ୍ଷ ହେକ୍ଟର ଜମିକୁ ପାଣି ମିଳିବନି । ମରୁଡ଼ି ପଡ଼ିବ, ଖାଦ୍ୟ ଉତ୍ପାଦନ ଭୁଶୁଡ଼ିଯିବ ।
ଅଧିକ ପଢ଼ନ୍ତୁ: ଭାରତର ଆକ୍ସନ ପରେ ଭୟରେ ପାକିସ୍ତାନ୍, ପାକ୍ ପ୍ରଧାନମନ୍ତ୍ରୀ ଡାକିଲେ ଜରୁରୀ ବୈଠକ
ପଞ୍ଜାବ୍ ଓ ସିନ୍ଧ୍ ପ୍ରଦେଶ ସହ ପ୍ରମୁଖ ସହର କରାଚୀ, ଲାହୋର ଓ ମୁଲତାନରେ ଶୋଷ ମେଣ୍ଟାଇବାକୁ ପାଣି ମିଳିବନି । ତାରବେଲା ଓ ମଙ୍ଗଲା ହାଇଡ୍ରୋପାୱାର ପ୍ଲାଣ୍ଟ୍ ଅଚଳ ହୋଇ ଘୋର ବିଦ୍ୟୁତ ସଂକଟ ସୃଷ୍ଟି ହେବ । କଳ କାରଖାନା ଠପ୍ ପଡ଼ିବ । ପାକିସ୍ତାନ ଏବେ ଆର୍ଥିକ ସଂକଟ ସହ ଯୁଝୁଛି । ଏଭଳି ପରିସ୍ଥିତିରେ ଖାଦ୍ୟ, ପାଣି ଓ ବିଜୁଳି ସଂକଟ ଯୋଗୁଁ ଆଭ୍ୟନ୍ତରୀଣ ଅସ୍ଥିରତା ଆହୁରି ବୃଦ୍ଧି ପାଇବ । ଅପରପକ୍ଷେ ଭାରତ-ପାକ୍ ଅଟାରୀ-ୱାଘା ବର୍ଡର୍ ପଞ୍ଜାବ ଅମୃତସର ନିକଟ ଅଟାରୀ ଚେକ୍ ପୋଷ୍ଟ ବନ୍ଦ ଘୋଷଣା ଫଳରେ, ପର୍ଯ୍ୟଟକ ଓ ବାଣିଜ୍ୟ ପରିବହନ ବି ଠପ୍ ହୋଇଯାଇଛି ।
ଯଦିଓ ଏହାଦ୍ବାରା ଭାରତର ଆମଦାନୀ-ରପ୍ତାନୀ ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହେବ, ତଥାପି ପାକିସ୍ତାନ ନିଜ ବଦମାସୀ ପାଇଁ ଭୋଗିବ ଆଉ ଏକ ଚରମ ପରିଣାମ । ଏହି ବାଟ ଦେଇ ପାକିସ୍ତାନକୁ ସୋୟାବିନ୍, କୁକୁଡ଼ା ଦାନା, ପନିପରିବା, ଶୁଖିଲା ଲଙ୍କା, ପ୍ଲାଷ୍ଟିକ୍ ଦାନା ଓ ପ୍ଲାଷ୍ଟିକ୍ ସୂତା ଆଦି ରପ୍ତାନୀ ହେଉଥିବା ବେଳେ, ଏସବୁ ବନ୍ଦ ହୋଇଯିବ । ଏହି ବାଣିଜ୍ୟ ପଥ ଦେଇ ୨୦୨୩-୨୪ରେ ୬ ହଜାର ୮୭୧ ଥର ମାଲ୍ ପରିବହନ ହୋଇଛି ଏବଂ ୩ ହଜାର ୮୮୬ କୋଟିରୁ ଅଧିକ ଟଙ୍କାର ବାଣିଜ୍ୟ ହୋଇଛି ।
ସେପଟେ ଏହି ବାଟେ ବୈଧ ଭାବେ ସୀମା ଡେଇଁଥିବା ଲୋକଙ୍କୁ ନିଜ ଦେଶକୁ ମେ ୧ ପୂର୍ବରୁ ଫେରିବାକୁ କୁହାଯାଇଛି । ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ଆଜି ୱାଘା ସୀମା ବନ୍ଦ କରିବା ସହ ଭାରତ ପାଇଁ ଆକାଶମାର୍ଗ ବନ୍ଦ ଘୋଷଣା କରିଛି । ଭାରତର ୪୮ ଘଣ୍ଟିଆ ଡେଡଲାଇନ୍ ଜାରି ପରେ, ନିଜ ଦେଶକୁ ଫେରୁଛନ୍ତି ସାର୍କ ଭିସା ଏକଜେମ୍ପସନ୍ ସ୍କିମ୍ ବା SVES ଅଧୀନରେ ଆସିଥିବା ପାକ୍ ନାଗରିକ ।
ଏଥିସହ ଆଜି ଘୋଷଣା ହୋଇଛି ଯେ, ପାକିସ୍ତାନୀ ନାଗରିକମାନେ ପାଇଥିବା ସମସ୍ତ ପ୍ରକାର ଭିସା ୨୭ ତାରିଖ ଯାଏଁ ବୈଧ ରହିବ । କେବଳ ମେଡିକାଲ୍ ଭିସାରେ ଥିଲେ ଆସନ୍ତା ୨୯ରୁ ତାହା ରଦ୍ଦ ହେବ । ସେହିପରି ଭାରତୀୟ ନାଗରିକଙ୍କୁ ପାକିସ୍ତାନ ଗସ୍ତ ନ କରିବାକୁ ଏବଂ ଯେଉଁମାନେ ପାକିସ୍ତାନରେ ଅଛନ୍ତି ଦେଶକୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ବୈଦେଶିକ ମନ୍ତ୍ରାଳୟ ।
ଭାରତରେ ପାକିସ୍ତାନ ସରକାରଙ୍କ ସମସ୍ତ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟ ବ୍ୟାନ କରାଯିବା ସହ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସର ସର୍ବୋଚ୍ଚ କୂଟନୀତିଜ୍ଞ ସାଦ୍ ଅହମ୍ମଦ ୱାରେଚଙ୍କୁ ଭାରତ ଛାଡ଼ିବା ପାଇଁ ପର୍ସୋନା ନନ୍ ଗ୍ରାଟା ନୋଟିସ୍ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745511281.jpg)