• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ଆସନ୍ତାକାଲି ଅଗ୍ନି ପରୀକ୍ଷା । ଆସନ୍ତାକାଲି ନ୍ୟାସନାଲ୍ ଆସେମ୍ଲିରେ ଅନାସ୍ଥା ଭୋଟିଂ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିରେ ଇମ୍ରାନଙ୍କ ପରାଜୟ ଏକପ୍ରକାର ନିଶ୍ଚିତ ଥିବା ବେଳେ, ତା ପୂର୍ବରୁ ସେ ପଦରୁ ଇସ୍ତଫା ଦେବେ କି ନାହିଁ, ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି ।

ତେବେ ତା ପୂର୍ବରୁ କ୍ୟାବିନେଟ୍ ମିଟିଂର ଅଧ୍ୟକ୍ଷତା କରିଛନ୍ତି ଇମ୍ରାନ୍ । ଏହାପରେ ଆଜି ସେ ସାରା ଦେଶକୁ ସମ୍ବୋଧନ କରିବେ ବୋଲି ମଧ୍ୟ ସୂଚନା ମିଳିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ମିଳିତ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେବା ତ୍ରୁଟିପୂର୍ଣ୍ଣ ଏବଂ ପାକିସ୍ତାନ ନ୍ୟାସନାଲ ଆସେମ୍ଳି ଉପବାଚସ୍ପତି କ୍ୱାସିମ୍ ଖାନ୍ ସୁରୀଙ୍କ ନିଷ୍ପତ୍ତି ବୈଧ ନୁହେଁ ବୋଲି ଗତକାଲି ପାକିସ୍ତାନ ସୁପ୍ରିମକୋର୍ଟ କହିଥିଲେ ।

ଉପବାଚସ୍ପତିଙ୍କ ନିଷ୍ପତ୍ତି ସମ୍ବିଧାନର ଧାରା ୯୫ର ଉଲ୍ଲଙ୍ଘନ କରୁଥିବା କୋର୍ଟ ନିଜ ରାୟରେ କହିଛନ୍ତି । ଏଥିସହ ନ୍ୟାସନାଲ ଆସେମ୍ଲି ଭଙ୍ଗ ଲାଗି ରାଷ୍ଟ୍ରପତି ଆରିଫ୍ ଆଲିଭ୍‌ଙ୍କ ନିଷ୍ପତ୍ତି ମଧ୍ୟ ନ୍ୟାୟ ସଂଗତ ନୁହେଁ ବୋଲି ମଧ୍ୟ ପାକିସ୍ତାନ ସୁପ୍ରିମକୋର୍ଟ କହିଛନ୍ତି ।

୩୪୪ ଆସନ ବିଶିଷ୍ଟ ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ବହୁମତ ଲାଗି ଦରକାର ୧୭୨ ସଦସ୍ୟଙ୍କ ସମର୍ଥନ । ମାତ୍ର ଇମ୍ରାନ୍‌ଙ୍କୁ ତେହରିକ୍-ଏ-ଇନସାଫ୍ ପାର୍ଟି ପାଖରେ ୧୫୫ ସାଂସଦ ଥିବା ବେଳେ, ତାଙ୍କୁ ସମର୍ଥନ କରୁଥିବା ୬ କ୍ଷୁଦ୍ର ଦଳ ଓ ସ୍ୱାଧୀନ ସାଂସଦ ବିରୋଧୀ କ୍ୟାମ୍ପରେ ସାମିଲ ହୋଇଛନ୍ତି ।

ସେହିପରି ଇମ୍ରାନଙ୍କ ନିଜ ଦଳର ଦୁଇ ଡର୍ଜନ୍‌ରୁ ଅଧିକ ସାଂସଦ ମଧ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବା ଆଶଙ୍କା କରାଯାଉଛି । ତେବେ ନିଶ୍ଚିତ ପରାଜୟ ଜାଣିବା ସତ୍ତ୍ୱେ ଇମ୍ରାନ୍ ଯଦି ଇସ୍ତଫା ନଦିଅନ୍ତି, ତେବେ ସେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାରେ ପ୍ରଥମ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ।