• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁଦ୍ଧର ଜ୍ୱାଳା ଅସହ୍ୟ ହେଉଛି । ନିଜ ଲୋକଙ୍କ କ୍ରନ୍ଦନ ରାତିରେ ଶୁଆଇ ଦେଉନି । ରୁଷ-ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ୮୦ ଦିନ ବିତିଗଲାଣି, ତଥାପି ଥମିବାର ନାଁ ନେଉନି । ଘନ ଘନ ଆକ୍ରମଣରେ ଜୀବନ ହରାଉଛନ୍ତି ନୀରିହ ଜନତା । ୟୁକ୍ରେନର ଅନେକ ସହର ଉପରେ ପୁଟିନ୍‌ ସରକାର ଘନ ଘନ ଆକ୍ରମଣ ଜାରି ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧ ପାଇଁ ଉଭୟ ଦେଶରରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ଆଉ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ୟୁକ୍ରେନର ଚାମ୍ପିଅନ୍ ସୁଟର ତଥା ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା କ୍ରିଷ୍ଟିନା ଦିମିତ୍ରେକୋ ଦେଶ ସୁରକ୍ଷାରେ ଜୀବନ ଦେବାକୁ ଆଗେଇ ଆସିଛି । ହାତରେ ବନ୍ଧୁକ ଧରି ବୀରଦର୍ପରେ ବାହାରିଛନ୍ତି । 

ଗୋଲ୍ଡ ମେଡାଲିଷ୍ଟ କ୍ରିଷ୍ଟିନା ଦିମିତ୍ରେକୋ । ଗୁଳିବର୍ଷାକୁ ଭୟ ନାହିଁ, ମୃତ୍ୟୁ ଆଖିରେ ଆଖି ମିଶାଇବାକୁ ସେ ପ୍ରଣ କରିଛନ୍ତି । ଋଷ ବିରୋଧରେ ଯୁଦ୍ଧ ପାଇଁ ୟୁକ୍ରେନର କ୍ରିଷ୍ଟିନା ବର୍ତ୍ତମାନ ସାମରିକ ତାଲିମ ନେଉଛନ୍ତି । ୨୨ ବର୍ଷୀୟା ଯୁବତୀ ଜଣକ ଯୁଦ୍ଧକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଯୁଦ୍ଧଭୂମିକୁ ଯିବା ପୂର୍ବରୁ ହିଁ ସେ ରଣହୁଙ୍କାର ଦେଲେଣି । ସେ ପୁଟିନ୍‌ ସରକାରଙ୍କ ସେନାକୁ ଚେତାବନୀ ଦେଇଛନ୍ତି । ଋଷ୍‌ ସେନାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି କରିବା ସମୟରେ ହାତ ଥରିବ ନାହିଁ ବୋଲି କହିଛନ୍ତି ।

ଖେଳ ଟ୍ରେନିଂ ଛାଡି ଦେଶ ସୁରକ୍ଷା ପାଇଁ ଶସ୍ତ୍ର ଉଠାଇଲେ . . .

ୟୁକ୍ରେନ-ଋଷ ମଧ୍ୟରେ ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, କ୍ରିଷ୍ଟିନା ଦିମିତ୍ରେକୋ ଉତ୍ତର ଚେରିନିଭରେ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିଲେ । ତା’ପରେ ଫେବୃଆରୀ ୨୪ରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ଦେଶ ଉପରେ ଆକ୍ରମଣ ହୋଇଥିବା କଥା ଜାଣିପାରିଥିଲେ । ଦେଶରେ ଲୋକଙ୍କ ସହ ହେଉଥିବା ବର୍ବରତାର ଭିଡିଓ ତାଙ୍କ ପାଖକୁ ଯାଇଥିଲା । ତା’ପରେ ସେ ନିଜ ମାଟି ପାଇଁ ଲଢ଼ିବାକୁ ମନସ୍ଥ କରିଥିଲେ । ବର୍ତ୍ତମାନ ସେ ନିଜ ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ ନ୍ୟାସନାଲ ଗାର୍ଡ ସହିତ ଡ୍ୟୁଟିରେ ଅଛନ୍ତି ।

କ୍ରିଷ୍ଟିନା ଦିମିତ୍ରକେ କହିଛନ୍ତି, ସେ ତାଙ୍କ ଜୀବନରେ କେବେ ଭାବି ନଥିଲେ ଯେ ଏପରି ଘଟିବ । ଯୁଦ୍ଧ ବିଭୀଷିକା ସମ୍ପର୍କରେ ବୋଧହୁଏ କେହି ଚିନ୍ତା କରିନଥିବେ । ସେ ଭଲ ସୁଟିଂ କରିପାରନ୍ତି, ଦେଶ ପାଇଁ ଅନେକ ମେଡାଲ ମଧ୍ୟ ଆଣିଛନ୍ତି । ତେଣୁ ତାଙ୍କ ହାତରୁ ଆକ୍ରମଣକାରୀମାନେ ଖସିଯିବାର ସୁଯୋଗ ପାଇବେ ନାହିଁ । ଶେଷ ରକ୍ତବିନ୍ଦୁ ଥିବା ଯାଏ ଦେଶ ପାଇଁ ଲଢ଼ିବି, ବିଜୟ ଆମର ହେବ ବୋଲି ସେ କହିଛନ୍ତି ।

ସେପଟେ ନିଜ ଦେଶକୁ ରକ୍ଷା କରିବା ପାଇଁ ସାଧାରଣ ନାଗରିକଙ୍କୁ ସେନାବାହିନୀରେ ଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି ଭୋଲଡିମିର ଜେଲେନସ୍କି । ମାତୃଭୂମିର ସୁରକ୍ଷା ପାଇଁ ୟୁକ୍ରେନ କ୍ରୀଡ଼ାବିତ୍, ଅଧିକାରୀ, ଚଳଚ୍ଚିତ୍ର ଅଭିନେତା ଏବଂ ମଡେଲମାନେ ମଧ୍ୟ ଏକତ୍ରୀତ ହେଉଛନ୍ତି ।