• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନ ରାଜନୀତିରେ ଜାରି ରହିଛି ଅଚଳାବସ୍ଥା । ପାକ୍ ରାଜନୈତିକ ସଙ୍କଟ ମାମଲାର ପୁଣି ଶୁଣାଣିକୁ ସ୍ଥଗିତ ରଖିଥିଲେ ସୁପ୍ରିମକୋର୍ଟ । ଆଜି ଏହି ମାମଲାର ପୁଣି ଶୁଣାଣି ହେବ । ଏପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନାସ୍ଥା ଭୋଟିଂ ଏଡାଇ ଯିବା ପରେ ଉଭୟ ପକ୍ଷରୁ ଚାଲିଛି ଗୋଟିକ ପରେ ଗୋଟିଏ ଗୋଟି ଚାଳନା । ତେଣୁ ଇମ୍ରାନଙ୍କ ଭାଗ୍ୟ କଣ ହେବ ତାହା ଏବେଠୁ କହିବା ମୁସ୍କିଲ । ତେବେ ସବୁଠୁ ବଡ଼ ଖବର ହେଉଛି ୩ ମାସ ଭିତରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହୋଇପାରିବ କି ନାହିଁ ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା ।

ରାଜନୈତିକ ଘମାସାନ ଲାଗି ରହିଥିବା ପାକିସ୍ତାନରେ ପରବର୍ତ୍ତୀ ନିର୍ବାଚନକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ୯୦ ଦିନ ଅର୍ଥାତ୍ ୩ ମାସ ଭିତରେ ପୁଣି ନିର୍ବାଚନ ହେବ ବୋଲି ଘୋଷଣା ହୋଇସାରିଥିବା ବେଳେ, ଏହା ଆଦୌ ସମ୍ଭବ ନୁହେଁ ବୋଲି ପାକିସ୍ତାନ ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀ କହିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, କିଛି ନିର୍ବାଚନ ମଣ୍ଡଳୀର ନବୀକରଣ ଲାଗି ଏତେ ଶୀଘ୍ର ନିର୍ବାଚନ ସମ୍ଭବ ନୁହେଁ । ବିଶେଷ କରି ଖାଇବର ପାଖତୁନଖ୍ବାରେ ୨୬ତମ ସଂଶୋଧନରେ ଆସନ ସଂଖ୍ୟା ବଢିଛି ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀ ଗୁଡ଼ିକର ବିଭାଜନ ହୋଇଛି ।

ତେଣୁ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ପ୍ରାୟ ୬ ମାସ ସମୟ ଅବଶ୍ୟକ । ଏପରି କ୍ଷେତ୍ରରେ ୩ ମାସ ମଧ୍ୟରେ ନିର୍ବାଚନ କରିବା ନେଇ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ସମ୍ଭବ ନୁହେଁ ବୋଲି କୁହାଯାଇଛି । ଏପଟେ ଏକ ଟ୍ୱିଟ୍ ଯୋଗେ ପାକିସ୍ତାନ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି, ନିର୍ବାଚନ ନେଇ ଆମ ପକ୍ଷରୁ କୌଣସି ବିବୃତ୍ତି ଜାରି ହୋଇନି । ଇମ୍ରାନ ଖାନଙ୍କ ପ୍ରସ୍ତାବ କ୍ରମେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି ଗତ ରବିବାର ଦିନ ପାକିସ୍ତାନ ସଂସଦକୁ ଭାଙ୍ଗି ଦେଇଥିଲେ ।

ପାକିସ୍ତାନରେ ସରକାର ବଦଳାଇବାକୁ ବିଦେଶୀ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରି ବାରମ୍ବାର ଆମେରିକାକୁ ଟାର୍ଗେଟ୍ କରୁଛନ୍ତି ଇମ୍ରାନ୍ । ଏଥିସହ ବିରୋଧୀ ଟଙ୍କା ଦେଇ ଲୋକଙ୍କୁ କିଣୁଥିବା ଆରୋପ ଲଗାଇଛନ୍ତି । ଏପଟେ ରାଷ୍ଟ୍ରପତି ଆରିଫ ଆଲଭି ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସମ୍ବିଧାନର ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ପ୍ରତିଆକ୍ରମଣ କରିଛନ୍ତି ବିରୋଧୀ ଦଳ ନେତା ଶେହବାଜ ଶରିଫ୍ । ତାସହ ପାକିସ୍ତାନ ଅର୍ଥନୀତିକୁ ବିପଦ ପହଞ୍ଚିଛି । ୧କୋଟି ଲୋକଙ୍କୁ ଚାକରି ଏବଂ ୫୦ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦିଆଯାଇଥିବା ପ୍ରତିଶ୍ରୁତି ଫେଲ ମାରିଛି ବୋଲି କହିଛନ୍ତି ଶେହବାଜ ।

ସେପଟେ ଇମ୍ରାନ୍ ଆଣିଥିବା ବିଦେଶୀ ଷଡଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରିଥିଲା ଆମେରିକା । ପାକିସ୍ତାନର ସାମ୍ବିଧାନିକ ବିଚାର ବ୍ୟବସ୍ଥାକୁ ଆମର ସମର୍ଥନ ରହିଛି, ଷଡଯନ୍ତ୍ର ଅମୂଳକ ବୋଲି ହ୍ୱାଇଟହାଉସ୍ ପକ୍ଷରୁ କୁହାଯାଇଥିଲା ।

ସେହିପରି ପାକିସ୍ତାନ ରାଜନୈତିକ ସଂକଟ ବେଳେ ଇସ୍ତଫା ଦେଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ । ଏଭଳି ପଦବୀରେ କାମ କରିବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ସେ ଖୁବ୍ ସନ୍ତୁଷ୍ଟ ଏବଂ ଉଚ୍ଚ କାର୍ଯ୍ୟାଳୟରେ ନିଜ ଦେଶର ସେବା କରିବାର ସୁଯୋଗ ପାଇବା ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଜୁଟେ ବୋଲି ଟ୍ୱିଟ୍ କରିଛନ୍ତି ମୋଇଦ ୟୁସୁଫ୍ । ତେଣେ ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କ ନାଁ ପ୍ରସ୍ତାବ ଦିଆଯିବା ପରେ ତାକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି । ତାଙ୍କୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାକୁ ଅପିଲ୍ କରିଛି ସିନ୍ଧ୍ ହାଇକୋର୍ଟ ବାର୍ ଆସୋସିଏସନ୍ ।

ଇମ୍ରାନଙ୍କ ସଂସଦ ଭଙ୍ଗ ନିଷ୍ପତ୍ତିକୁ ନିନ୍ଦା କରିବା ସହ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏକ ରାଜନୈତିକ ଦଳର ନିଷ୍ପତ୍ତି କ୍ରମେ କାମଚଳା ପ୍ରଧାନମନ୍ତ୍ରୀ ହେଲେ, ଲୋକଙ୍କୁ ଭୁଲ୍ ବାର୍ତ୍ତା ଯିବ ବୋଲି ସଂଘ ଚିଠିରେ ଦର୍ଶାଇଛି । ମାତ୍ର ୨ ମାସ ତଳେ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିବା ଗୁଲଜାର ଅହମ୍ମଦ ପୂର୍ବରୁ ମଧ୍ୟ ସରକାରଙ୍କ ବିରୋଧରେ ରାୟ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଶୁଣାଣି ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି ।