nimisha priya
କେରଳର ନର୍ସ ନିମିଶା ପ୍ରିୟାଙ୍କ ମୁକ୍ତି ପାଇଁ ତାଙ୍କ ୧୩ ବର୍ଷୀୟା ଝିଅ ମିଶେଲ ୟେମେନରେ ପହଞ୍ଚିଛନ୍ତି । ତାଙ୍କ ସହ ତାଙ୍କ ବାପା ବାପା ଟମି ଥୋମାସ ଓ ଗ୍ଲୋବାଲ ପିସ୍ ଇନିସିଏଟିଭ୍ ପ୍ରତିଷ୍ଠାତା ଡକ୍ଟର କେସି ପଲ୍ ମଧ୍ୟ ଯାଇଛନ୍ତି । ଜେଲରେ ଥିବା ତାଙ୍କ ମାଆଙ୍କ ତରଫରୁ ସେ କ୍ଷମା ଆବେଦନ କରୁଛନ୍ତି । ମିଶେଲ୍ ଏକ ଆବେଗଭରା ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ ତାଙ୍କ ମାଆଙ୍କୁ ଭଲ ପାଉଥିବା ଓ ମିସ୍ କରୁଥିବାର ସେଥିରେ କହିଛନ୍ତି । ମୋ ମାଆଙ୍କୁ ଘରକୁ ଫେରାଇ ଆଣନ୍ତୁ ବୋଲି ସେ ସମସ୍ତଙ୍କୁ ଅପିଲ୍ କରିଛନ୍ତି ।
ନିମିଶା ପ୍ରିୟା ହେଉଛନ୍ତି କେରଳର ଜଣେ ନର୍ସ । ୨୦୧୭ରେ ଜଣେ ୟେମେନୀ ନାଗରିକ ତଲାଲ ଅବଦୋ ମାହଦୀଙ୍କୁ ହତ୍ୟା ଅଭିଯୋଗରେ ୨୦୨୦ ମସିହାରେ ୟେମେନରେ ସେ ମୃତ୍ୟୁଦଣ୍ଡ ପାଇଛନ୍ତି । ତାଙ୍କୁ ୟେମେନର ରାଜଧାନୀ ସାନାର କେନ୍ଦ୍ରୀୟ ଜେଲରେ ରଖାଯାଇଛି। ନିମିଶାଙ୍କ ଝିଅ ମିଶେଲ ତାଙ୍କ ମାଆଙ୍କୁ ମୃତ୍ୟୁଦଣ୍ଡରୁ ବଞ୍ଚାଇବା ପାଇଁ ୟେମେନରେ ପହଞ୍ଚିଛନ୍ତି।
ନିମିଶା ପ୍ରିୟା ୧୯୮୭ ମସିହାରେ କେରଳର ପାଲକ୍କଡ ଜିଲ୍ଲାର କୋଲେଙ୍ଗୋଡରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାରର ଆର୍ଥିକ ସ୍ୱଚ୍ଛଳତା ନଥିଲା । ସେ ନର୍ସିଂ ପାଠ୍ୟକ୍ରମ ପଢିଥିଲେ ।
୨୦୦୮ ମସିହାରେ ୧୯ ବର୍ଷ ବୟସରେ ନିମିଶା ଉନ୍ନତ ଜୀବନ ଓ ଆର୍ଥିକ ସ୍ଥିତି ପାଇଁ ୟେମେନକୁ ଚାଲି ଯାଇଥିଲେ । ସେ ସାନାର ଏକ ସରକାରୀ ହସ୍ପିଟାଲରେ ନର୍ସ ଭାବେ କାମ କରିଥିଲେ।
୨୦୧୧ରେ ନିମିଶା କେରଳକୁ ଫେରି ଟମି ଥୋମାସଙ୍କୁ ବିବାହ କରିଥିଲେ। ୨୦୧୨ ମସିହାରେ ତାଙ୍କର ଝିଅ ମିଶେଲ ଜନ୍ମ ହୋଇଥିଲା । ଆର୍ଥିକ ସମସ୍ୟା ଓ ୟେମେନରେ ଗୃହଯୁଦ୍ଧ କାରଣରୁ ଟମି ଓ ମିଶେଲ ୨୦୧୪ରେ କେରଳକୁ ଫେରିଥିଲେ, କିନ୍ତୁ ନିମିଶା ୟେମେନରେ ରହିଥିଲେ।
୨୦୧୪ରେ ନିମିଶା ନିଜର କ୍ଲିନିକ ଖୋଲିବାକୁ ଚାହିଁଥିଲେ, କିନ୍ତୁ ୟେମେନୀ ନିୟମ ଅନୁସାରେ ତାଙ୍କୁ ଜଣେ ସ୍ଥାନୀୟ ବ୍ୟବସାୟୀ ଭାବେ ତଲାଲ ଅବଦୋ ମାହଦୀଙ୍କୁ ପାର୍ଟନର କରିବାକୁ ପଡିଥିଲା। ପ୍ରାରମ୍ଭରେ ସେମାନଙ୍କ ସମ୍ପର୍କ ଭଲ ଥିଲା, କିନ୍ତୁ ପରେ ତଲାଲ ନିମିଶାଙ୍କୁ ହଇରାଣ କରିବା, ତାଙ୍କ ପାସପୋର୍ଟ ଜବତ କରିବା ଓ କ୍ଲିନିକର ଆୟ ହଡପ କରିବା ଆରମ୍ଭ କରିଥିଲା। ନିମିଶାଙ୍କ ଅଭିଯୋଗ ଅନୁସାରେ, ତଲାଲ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ।
୨୦୧୭ରେ ନିମିଶା ତାଙ୍କ ପାସପୋର୍ଟ ଫେରାଇବା ପାଇଁ ତଲାଲଙ୍କୁ ସେଡେଟିଭ ଇଞ୍ଜେକସନ ଦେଇଥିଲେ। କିନ୍ତୁ ଅତ୍ୟଧିକ ଡୋଜ କାରଣରୁ ତଲାଲଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ନିମିଶା ଓ ଜଣେ ସ୍ଥାନୀୟ ମହିଳା ହାନାନ ମିଶି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ପାଣିଟାଙ୍କିରେ ଫିଙ୍ଗି ଦେଇଥିଲେ। ନିମିଶାଙ୍କୁ ୟେମେନ-ସାଉଦି ସୀମା ନିକଟରୁ ଗିରଫ କରାଯାଇଥିଲା।
୨୦୧୮ରେ ନିମିଶାଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ୨୦୨୦ରେ ମୃତ୍ୟୁଦଣ୍ଡ ଘୋଷଣା କରାଯାଇଥିଲା। ୨୦୨୩ରେ ୟେମେନର ସୁପ୍ରିମ ଜୁଡିସିଆଲ କାଉନସିଲ ତାଙ୍କ ଅପିଲ ଖାରଜ କରିଥିଲା।
ମିଶେଲଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତାଙ୍କ ମାଆଙ୍କ ମୃତ୍ୟୁଦଣ୍ଡକୁ ରୋକିବା ଏବଂ ତାଙ୍କୁ ଭାରତକୁ ଫେରାଇ ଆଣିବା। ସେ ୟେମେନରେ ହୁଥି ନିୟନ୍ତ୍ରିତ ଅଞ୍ଚଳରେ ଥିବା ତଲାଲଙ୍କ ପରିବାର ସହ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି, ଯେଉଁମାନେ ଶରିଆ ନିୟମ ଅନୁସାରେ ନିମିଶାଙ୍କୁ କ୍ଷମା କରିପାରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753713633.jpg)