Nepal
ନେପାଳରେ ପରିସ୍ଥିତି ଧୀରେ ଧୀରେ ଶାନ୍ତ ହେଉଥିବା ବେଳେ ରାମେଛାପ ଜିଲ୍ଲା ଜେଲରୁ କିଛି କଏଦୀ ଖସି ପଳାଉଥିବା ସମୟରେ ଗୁଳିଚାଳନା କରିଛି ସେନା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ଡଜନରୁ ଅଧିକ କଏଦୀ ଆହତ ହୋଇଛନ୍ତି।
ମୁଖ୍ୟ ଜିଲ୍ଲା ଅଧିକାରୀ ଶ୍ୟାମ କୃଷ୍ଣ ଥାପା କହିଛନ୍ତି ଯେ କଏଦୀମାନେ ଜେଲର ତାଲା ଭାଙ୍ଗି ମୁଖ୍ୟ ଦ୍ୱାର ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ତା’ପରେ ସୁରକ୍ଷା ବାହିନୀ ଗୁଳି ଚଳାଇଥିଲା। ମୁଖ୍ୟ ଦ୍ୱାରରେ ପହଞ୍ଚିବା ପରେ ସେନା ଗୁଳି ଚଳାଇଥିଲା, ଯେଉଁଥିରେ ପ୍ରାୟ ୧୨ ରୁ ୧୩ ଜଣ କଏଦୀ ଆହତ ହୋଇଥିଲେ। ପୋଲିସ ପରେ କହିଛି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାଠମାଣ୍ଡୁ, ପୋଖରା ଏବଂ ଲଲିତପୁରର ଜେଲଗୁଡ଼ିକରୁ ଶହ ଶହ କଏଦୀ ପଳାୟନ କରିଛନ୍ତି।
ଭାରତର ସଶସ୍ତ୍ର ସୀମା ବାହିନୀ (ଏସଏସବି) ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ନିକଟସ୍ଥ ଭାରତ-ନେପାଳ ସୀମାରେ ୩୫ ଜଣ ନେପାଳୀ କଏଦୀଙ୍କୁ ଅଟକ ରଖାଯାଇଛି। ସଶସ୍ତ୍ର ସୀମା ବଳ ଦ୍ବାରା ସୀମାନ୍ତ ଉତ୍ତର ପ୍ରଦେଶରୁ ସର୍ବାଧିକ ୨୨ କଏଦୀ ଧରାପଡ଼ିଲେଣି। ସେହିପରି ବିହାରରେ ୧୦ ଓ ପଶ୍ଚିମବଙ୍ଗ ସୀମାରୁ ୩ କଏଦୀ ଧରାପଡ଼ିଛନ୍ତି।
ନେପାଳରେ ହିଂସା ଆରମ୍ଭ ହେବା ପରେ ଏସଏସବି ଉଚ୍ଚ ସତର୍କ ଅବସ୍ଥାରେ ଅଛି। ପେଟ୍ରୋଲିଂ ବଢ଼ାଯାଇଛି, ଅଧିକ ସଶସ୍ତ୍ର ସୀମା ବଳ ନିୟୋଜିତ କରାଯାଇଛି ଏବଂ ସୀମାକୁ ସିଲ୍ କରାଯାଇଛି।
ଏଦିଗରେ, କାଠମାଣ୍ଡୁ ମେୟର ବାଲେନ ଶାହ ଗୁରୁବାର ଦିନ ନେପାଳର ଜେନ ଜେଡ ଏବଂ ସାଧାରଣ ଜନତାଙ୍କୁ ଶାନ୍ତ ରହିବାକୁ ଅପିଲ କରିଛନ୍ତି। ଦେଶ ଏକ ଅନ୍ତରୀଣ ପ୍ରଶାସନ ଏବଂ ନୂତନ ନିର୍ବାଚନ ଆଡ଼କୁ ଅଗ୍ରସର ହେଉଛି।
ଏକ୍ସରେ ଏକ ପୋଷ୍ଟରେ ଶାହ ଏହି ମୁହୂର୍ତ୍ତକୁ “ଅଭୂତପୂର୍ବ” ବୋଲି ଅଭିହିତ କରି ଯୁବ ବିଦ୍ରୋହୀମାନଙ୍କୁ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି।
ନେପାଳରେ ସୋସିଆଲ ମିଡିଆ ଉପରେ ସ୍ୱଳ୍ପକାଳୀନ ନିଷେଧାଜ୍ଞା ଏବଂ ଦୀର୍ଘଦିନ ଧରି ଚାଲିଆସୁଥିବା ଦୁର୍ନୀତି ବିରୋଧରେ ଆକ୍ରୋଶ ଯୋଗୁଁ ଜେନ ଜେଡ ମାନେ ତୀବ୍ର ଆନ୍ଦୋଳନ କରିଥିଲେ। ତେଣୁ କାଠମାଣ୍ଡୁ ଏବଂ ଅନ୍ୟ ସହରଗୁଡ଼ିକରେ ସଂଘର୍ଷ ତୀବ୍ର ହେବା ପରେ କର୍ଫ୍ୟୁ ଲାଗୁ କରାଯିବା ସହ ଏବଂ ଅତିରିକ୍ତ ସେନା ମୁତୟନ କରାଯାଇଥିଲା। ଏହି ବିଦ୍ରୋହରେ ପ୍ରାୟ ୨୫ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Nepal_1757570602.jpg)