• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୪ ବର୍ଷ ପରେ ନିଜ ଦେଶ ପାକିସ୍ତାନକୁ ଫେରିଲେ ନୱାଜ ସରିଫ । ଚାରି ବର୍ଷ ହେଲା ସେ ଲଣ୍ଡନରେ ଆତ୍ମନିର୍ବାସନରେ ରହୁଥିଲେ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ୨୦୧୬ରେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏଥିରେ ୧୦ ବର୍ଷ ପାଇଁ କୌଣସି ପଦପଦବୀ ରହିବା ଉପରେ କଟକଣା ଜାରି କରାଯାଇଥିଲା ।

ଏହି ଘଟଣା ପରେ ନୱାଜ୍‌ ଲଣ୍ଡନ ଚାଲିଯାଇଥିଲେ । ଆଜି ସେ ଫେରିଛନ୍ତି । ପୁଣି ରାଜନୀତିରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନ ଏବେ ଗୁରୁତର ଆର୍ଥିକ ଓ ରାଜନୈତିକ ସଂକଟ ଦେଇ ଗତି କରୁଛି । ଏପରି ସମୟରେ ନୱାଜ ସରିଫଙ୍କ ପ୍ରତ୍ୟାବର୍ତ୍ତନ ପାକିସ୍ତାନ ରାଜନୀତିକୁ ନୂଆ ମୋଡ ଦେଇପାରେ । ତାଙ୍କ ତୀବ୍ର ବିରୋଧୀ ଭାବେ ଜଣାଶୁଣା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଏବେ ଜେଲରେ ଅଛନ୍ତି । ଜାନୁଆରୀ ଶେଷ ସପ୍ତାହରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାର ଅଛି ।

ନଓ୍ୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସ୍‌ଲିମ ଲିଗ-ନଓ୍ୱାଜର ବରିଷ୍ଠ ନେତା ଖ୍ୟାଜା ମହମ୍ମଦ ଆସିଫ କହିଛନ୍ତି, ଏହା ଉତ୍ସାହର ସମୟ । ନଓ୍ୱାଜ ସରିଫଙ୍କ ଘର ବାହୁଡା ପାକିସ୍ତାନର ଅର୍ଥବ୍ୟବସ୍ଥା ଓ ସେଠାକାର ଲୋକଙ୍କ ପାଇଁ ଭଲ ସଙ୍କେତ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦଳ ଜାରି କରିଥିବା ବୟାନ ମୁତାବକ, ନଓ୍ୱାଜ ସରିଫ ବହୁ ଦିନ ଧରି ଦୁବାଇରେ ଥିଲେ। ସେଠାରୁ ସେ ଲଣ୍ଡନ ଯାଇଥିଲେ । ଏବେ ସେଠାରୁ ସେ ରାଜଧାନୀ ଇସଲାମାବାଦ ପାଇଁ ଉଡାଣ ଭରିବେ ।

୨୦୧୯ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଜାମିନରେ ଜେଲରୁ ଫେରିଥିଲେ । ଏହାପରେ ସେ ପାକିସ୍ତାନ ଛାଡି ବ୍ରିଟେନ ଚାଲିଯାଇଥିଲେ । ତେବେ ସେ ପାକିସ୍ତାନ ଫେରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ପୂର୍ବରୁ କୁହାଯାଉଥିଲା । କିନ୍ତୁ ତାଙ୍କୁ ଏଥିରେ ଏବେ ମୁକ୍ତି ମିଳିଛି। ତାଙ୍କ ଗିରଫଦାରୀ ଉପରେ ୨୪ ଅକ୍ଟୋବର ଯାଏ କୋର୍ଟ ରୋକ ଲଗାଇ ଦେଇଛନ୍ତି ।

ନୱାଜ ସରିଫଙ୍କୁ ୨୦୧୮ରେ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷିତ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା । ଏହା ପରେ, ୨୦୧୯ରେ ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ କୋର୍ଟ ଅନୁମତି ଦେଇଥିଲେ । ଏହାପରେ ନୱାଜ ସରିଫ ପାକିସ୍ତାନ ବାହାରେ ଅଛନ୍ତି ।

ନୱାଜ ସରିଫ ରାଜନୀତିରେ ପ୍ରବେଶ କରିବା ପରଠାରୁ କ୍ରମାଗତ ଭାବରେ ଅନେକ ବିବାଦରେ ଘେରି ରହିଛନ୍ତି । ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କ ବିରୋଧରେ ଅନେକ ପ୍ରକାରର ଅଭିଯୋଗ ଆସିଛି । ଅନେକ ଥର ଜେଲରେ ରହି ନିର୍ବାସନର ସମ୍ମୁଖୀନ ହୋଇଥିବା ୭୩ ବର୍ଷିୟ ନୱାଜ ସରିଫଙ୍କ ବିରୋଧରେ ଏବେ ମଧ୍ୟ ଅନେକ ମାମଲା କୋର୍ଟରେ ବିଚାରାଧିନ ରହିଛି ।