ଚନ୍ଦ୍ରପୃଷ୍ଠରେ ଗଡ଼ିବ ଟ୍ରେନ୍‌, ନାସା ତିଆରି କରିବ ରେଲୱେ ଷ୍ଟେସନ୍‌

ଚନ୍ଦ୍ର ପୃଷ୍ଠରେ ଚାଲିବାକୁ ଥିବା ଟ୍ରେନ୍‌ ପୃଥିବୀ ପୃଷ୍ଠରେ ଚାଲୁଥିବା ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

Railway Station on Moon

ଏବେ ଦୁନିଆର ପ୍ରମୁଖ ଦେଶର ସ୍ପେସ୍‌ ଏଜେନ୍ସି ଚନ୍ଦ୍ର ପୃଷ୍ଠକୁ ଯାଉଛନ୍ତି । ଚୀନ୍‌ ଶୁକ୍ରବାର ଜହ୍ନକୁ ନେଇ ଆଉ ଏକ ମିଶନ୍‌ ଆରମ୍ଭ କରିଛି । ସେହିପରି ନାସା ପୁଣି ଥରେ ମଣିଷକୁ ଚନ୍ଦ୍ରକୁ ପଠାଇବାକୁ ଏବଂ ସେଠାରେ ବସତି ସ୍ଥାପନ କରିବାକୁ ଚାହୁଁଛି । ତେବେ ଅନ୍ୟ ଦେଶର ସ୍ପେସ୍‌ ଏଜେନ୍ସି ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡ କରିବାକୁ ସ୍ୱପ୍ନ ଦେଖୁଥିବାବେଳେ ଆମେରିକା ଆଉ ଏକ ପାଦ ଆଗକୁ ଯାଇଛି । ଚନ୍ଦ୍ର ପୃଷ୍ଠରେ ନାସା ଏକ ରେଲୱ ଟ୍ରାକ୍‌ ନିର୍ମାଣ କରିବାକୁ ଚାହୁଁଛି ଯାହା ଦ୍ୱାରା ମଣିଷ ଚନ୍ଦ୍ର ପୃଷ୍ଠରେ ଅଧିକ ଦୂରତା ଯାତ୍ରା କରିପାରିବ । ଯଦି ଏଥିରେ ସଫଳ ହୁଏ ତେବେ ନାସାକୁ ମିଳିବ ଆଉ ଏକ ବଡ଼ ଉପଲବ୍ଧି।

ଚନ୍ଦ୍ର ପୃଷ୍ଠରେ ଚାଲିବାକୁ ଥିବା ଟ୍ରେନ୍‌ ପୃଥିବୀ ପୃଷ୍ଠରେ ଚାଲୁଥିବା ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରାକ୍ ପ୍ରସ୍ତୁତ ହେବ। ନାସା ଏହାର ନାମ ‘FLOAT’ ଅର୍ଥାତ୍ Flexible Levitation on a Track ଦେଇଛି । ଏହା ଏକ ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ର ପରି ଆପଣଙ୍କୁ ଲାଗୁଥାଇ ପାରେ କିନ୍ତୁ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ବାସ୍ତବ ରୂପ ନେଇପାରେ । ନାସାର ଏକ ବ୍ଲଗ୍ ପୋଷ୍ଟରେ ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀର ରୋବୋଟିକ୍ସ ଇଞ୍ଜିନିୟର ଏଥେଲ ସ୍କେଲର ଏହି ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ତୃତୀୟ ଥର ପାଇଁ ମହାକାଶ ଯାଇ ଇତିହାସ ରଚିବେ ସୁନୀତା, ନାସା ଦେଲା ସୂଚନା

ନାସାର ପ୍ରାରମ୍ଭିକ ଡିଜାଇନ୍ ଅନୁଯାୟୀ, ‘FLOAT’ରେ ୩ ​​ସ୍ତରୀୟ ଫିଲ୍ମ ଟ୍ରାକ ଉପରେ ବାୟୁରେ ଚୁମ୍ବକୀୟ ରୋବଟ୍ ଉଡ଼ିବ। ଏହି ଟ୍ରାକରେ ଏକ ଗ୍ରାଫାଇଟ୍ ସ୍ତର ରହିବ ଯାହା ରୋବଟଗୁଡ଼ିକୁ ଡାଇମାଗ୍ନେଟିକ୍ ଲେଭିଟେସନ୍ ମାଧ୍ୟମରେ ଭାସମାନ କରିବ । ଦ୍ୱିତୀୟ ସ୍ତର ଫ୍ଲେକ୍ସ-ସର୍କିଟ୍ ହେବ ଯାହା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଥ୍ରଷ୍ଟ ସୃଷ୍ଟି କରିବ ଯାହା ଦ୍ୱାରା ରୋବଟଗୁଡିକ ଆଗକୁ ବଢ଼ିପାରିବ । ସୌର ପ୍ୟାନେଲର ଏକ ପତଳା ସ୍ତର ରହିବ ଯାହା ସୂର୍ଯ୍ୟ କିରଣରୁ ଶକ୍ତି ଉତ୍ପାଦନ କରିବ । ନାସା କହିଛି ଯେ ଏହି ରୋବଟଗୁଡିକ ଉପରେ କାର୍ଟ ଲଗାଯିବ। ସେମାନଙ୍କର ଗତି ଘଣ୍ଟା ପ୍ରତି ୧.୬୧ କିଲୋମିଟର ହେବ । ଏହା ନାସାର ଫ୍ୟୁଚର୍‌ ବେସ୍‌ରୁ ଦିନକୁ ପ୍ରାୟ ୧୦୦ ଟନ୍‌ ସାମଗ୍ରୀ ଘୁଞ୍ଚାଇବାକୁ ସକ୍ଷମ ହେବ।

ନାସା ୨୦୨୬ ସୁଦ୍ଧା ଆର୍ଟେମିସ୍ ମିଶନ୍ ମାଧ୍ୟମରେ ମନୁଷ୍ୟକୁ ପୁନର୍ବାର ଚନ୍ଦ୍ରକୁ ପଠାଇବାକୁ ଚାହୁଁଛି । ଭବିଷ୍ୟତର ମହାକାଶ ମିଶନ ପାଇଁ ଚନ୍ଦ୍ରପୃଷ୍ଠରେ ଏକ ସ୍ଥାୟୀ ବେସ୍‌ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।