• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବିସ୍ତୀର୍ଣ୍ଣ ପ୍ରାନ୍ତର । ଚାରିପଟେ ସବୁଜ ବନାନୀ । ଏହା ଭିତରେ ହସୁଛି ସୁଦୃଶ୍ୟ ବିମାନ ବନ୍ଦର । ଯେମିତି ହାତଠାରି ଡାକୁଛି । ହେଲେ ଏଠି ନା ଅଛି ବିମାନ ନା ଲାଗିଛି ଯାତ୍ରୀଙ୍କ ଭିଡ । ସବୁଆଡ଼ ଖାଁ ଖାଁ…ଖାଲି ନୀରବତା ।  ଏ ହେଉଛି କୋଟି କୋଟି ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ପାକିସ୍ତାନର ରହସ୍ୟମୟ ବିମାନ ବନ୍ଦରର କଥା ।

ହେଲେ ଏ ନିର୍ଜନ ପ୍ରାନ୍ତରରେ କାହିଁକି ଛିଡା ହୋଇଛି ଏ ଭବ୍ୟ ଆନ୍ତର୍ଜାତିକ ବିମାନ ବନ୍ଦର ? ବିମାନ ବନ୍ଦରଟି ନିଉ ଗ୍ୱାଦର ସହରରେ ୨୪୦ ମିଲିୟନ ଡଲାରରେ ନିର୍ମାଣ କରାଯାଇଛି । ସମ୍ପୂର୍ଣ୍ଣ ଚାଇନା ପାଣ୍ଠିରେ ଏହା ନିର୍ମାଣ କରା ଯାଇଛି । ୨୦୨୪ ଅକ୍ଟୋବର ମାସରୁ ବିମାନ ବନ୍ଦରର ନିର୍ମାଣ କାମ ଶେଷ ହେଲାଣି । କିନ୍ତୁ କେବେ ଏହା ବ୍ୟାବସାୟିକ ଭାବେ କାମ କରିବ ତାହା କେହି ଜାଣି ନାହାନ୍ତି ।

ଉପକୂଳବର୍ତ୍ତୀ ସହର ଗ୍ୱାଦରରେ ଅବସ୍ଥିତ ଏହି ବିମାନବନ୍ଦର  ଗରିବ, ଅଶାନ୍ତ ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନର ବିପରୀତ ଦିଗରେ ରହିଛି । ଗତ ଏକ ଦଶନ୍ଧି ଧରି ଚାଇନା ଏହି ଗ୍ୱାଦାର ଏବଂ ବାଲୋଚିସ୍ଥାନରେ ଟଙ୍କା ଢାଳି ଚାଲିଛି ।  ବହୁ ବିଲୟନ ଡଲାର ପ୍ରକଳ୍ପ ଚାଇନା-ପାକିସ୍ତାନ ଇକୋନମି କରିଡର ବା ସିପିଇସିର ଏକ ଅଂଶ ହେଉଛି ଗ୍ୱାଦର । ଏହି ପ୍ରକଳ୍ପ ଦ୍ୱାରା ପଶ୍ଚିମ ଜିନଜିଆଙ୍ଗ ପ୍ରଦେଶକୁ ଆରବ ସାଗର ସହିତ ସଂଯୋଗ କରାଯାଇ ପାରିବ ।  

ଏହି ପ୍ରକଳ୍ପକୁ ଏକ  ପରିବର୍ତ୍ତନକାରୀ ଯୋଜନା ବୋଲି କୁହାଯାଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।  କିନ୍ତୁ ଗ୍ୱାଦରରେ ସେପରି କିଛି ପରିବର୍ତ୍ତନ ଅଦ୍ୟାବଧି ହୋଇନାହିଁ ବା ହେବାର ସମ୍ଭବନା ମଧ୍ୟ ନାହିଁ ।  କାରଣ ଏବେ ବି  ଏହି ସହର ଜାତୀୟ ଗ୍ରୀଡ୍ ସହିତ ସଂଯୋଗ ହୋଇ ପାରିନାହିଁ  । ଏଠାରେ ଏବେ ବି ଇରାନରୁ ବିଦ୍ୟୁତ୍ ଆସିଥାଏ  । ନଚେତ ସୌର ପ୍ୟାନେଲରୁ ଆସେ  । ଏହି ସହରରେ ପାନୀୟ ଜଳ ସଙ୍କଟ ଏବେ ବି ହାହାକାର ପରିସ୍ଥିତି ସୃଷ୍ଟି କରୁଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସହରର ୯୦ ହଜାର ଲୋକଙ୍କ ପାଇଁ ୪ ଲକ୍ଷ ଯାତ୍ରୀ କ୍ଷମତା ବିଶିଷ୍ଟ ବିମାନ ବନ୍ଦରର କି ଆବଶ୍ୟକତା ରହିଛି ? ଅନ୍ତରାଷ୍ଟ୍ରୀୟ ସମ୍ପର୍କ ବିଶେଷଜ୍ଞ ତଥା ପାକିସ୍ତାନ-ଚୀନ ସମ୍ପର୍କ ବିଶେଷଜ୍ଞ ଅଜୀମ ଖାଲିଦ କହିଛନ୍ତି, ଏହି ବିମାନ ବନ୍ଦର ପାକିସ୍ତାନ କିମ୍ବା ଗ୍ୱାଦର ପାଇଁ ନୁହେଁ । ଏହା ଚୀନ ନିଜ ପାଇଁ  କରିଛି । ନିଜ ଦେଶ ନାଗରିକମାନେ କିପରି ସୁରକ୍ଷିତ ଭାବେ ଗ୍ୱାଦର ଏବଂ ବାଲୁଚିସ୍ତାନ ଯାଇପାରିବେ ସେଥିପାଇଁ ଚୀନ ଏହି ବହୁମଲ୍ୟ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରିଛି ।

ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଫସି ରହିଛି ବିମାନବନ୍ଦର ଭାଗ୍ୟ

ବେଲୁଚିସ୍ତାନରେ ଦଶନ୍ଧି ଧରି ଚାଲିଥିବା ବିଦ୍ରୋହକୁ ଚାଇନା-ପାକିସ୍ତାନ ଇକୋନମି କରିଡର ବା CPEC ନିଆଁରେ ଘିଅ ଢାଳିବା ପରି ହୋଇଛି  । ସ୍ଥାନୀୟ ଲୋକଙ୍କ ଖର୍ଚ୍ଚରେ ରାଷ୍ଟ୍ର ଶୋଷଣ ବୋଲି କହି ବିଚ୍ଛିନ୍ନତାବାଦୀମାନେ ଏହାକୁ ବିରୋଧ କରିଛନ୍ତି । ଏହି ପ୍ରକଳ୍ପକୁ ବିରୋଧ କରି ସଂଗ୍ରାମ ଚଳାଇଛନ୍ତି  । ସେମାନେ ବିଭିନ୍ନ ସ୍ଥାନରେ ପାକିସ୍ତାନୀ ସେନା ଏବଂ ଚୀନ ଶ୍ରମିକଙ୍କୁ ଟାର୍ଗେଟ କରୁଛନ୍ତି  ।

ପାକିସ୍ତାନର ମୂଳ ବାଲୁଚ୍ ସଂଖ୍ୟାଲଘୁ ସଂପ୍ରଦାୟ ଅଭିଯୋଗ କରନ୍ତି ଯେ ସେମାନେ ସରକାରଙ୍କ ଦ୍ୱାରା ବୈଷମ୍ୟତାର ସମ୍ମୁଖୀନ ହେଉଛନ୍ତି  ।  ଦେଶର ଅନ୍ୟତ୍ର ଉପଲବ୍ଧ ସୁଯୋଗରୁ ସେମାନେ ବଞ୍ଚିତ ହେଉଛନ୍ତି ।  ଅବଶ୍ୟ ସରକାର ଏପରି ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି  ।

ସେତିକି ନୁହେଁ, ଚୀନର ନିବେଶକୁ ସୁରକ୍ଷା ଦେବା ଲାଗି ପରସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ଗ୍ୱାଦରରେ ନିଜର ସାମରିକ ସ୍ଥିତି ବୃଦ୍ଧି କରିଛି । ସହରର ବିଭିନ୍ନ ସ୍ଥାନରେ  ଚେକ୍ ପଏଣ୍ଟ କରିବା ସହ  କଣ୍ଟା ତାର ଗୁଡାଯାଇଛି ।  ସେନା ମୁତୟନ କରାଯାଇଛି । ଏଥିସହିତ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଏବଂ ୱାଚ୍ ଟାୱାର ମଧ୍ୟ କରାଯାଇଛି  । ଚୀନ୍ ଶ୍ରମିକ ଏବଂ ପାକିସ୍ତାନୀ ଭିଆଇପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସପ୍ତାହରେ ଯେ କୌଣସି ଦିନ ଯେ କୌଣସି ସମୟରେ ରାସ୍ତାଗୁଡ଼ିକ  ବନ୍ଦ କରି ଦିଆଯାଉଛି ।

ଗ୍ୱାଦର ନିଉଜ କଭରେଜ ପାଇଁ ଯାଉଥିବା ସାମ୍ବାଦିକମାନଙ୍କ ଉପରେ ଗୁପ୍ତଚର ଅଧିକାରୀମାନେ କଡା ନଜର ରଖିଥାନ୍ତି । ସହରର ମାଛ ବଜାର କଭରେଜ୍ ଅତ୍ୟଧିକ ସମ୍ବେଦନଶୀଳ ବୋଲି ଏଠାରେ ବିବେଚନା କରାଯାଏ ।

ଚୀନ ପାଇଁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା

ଆନ୍ତର୍ଜାତୀୟ ବିମାନ ବନ୍ଦର ହେବା କାରଣରୁ ଏଠାରେ ପାକିସ୍ତାନ ଏବଂ ଚୀନ ପକ୍ଷରୁ କଟକଣା କଡାକଡି କରାଯାଇଛି । ଏପରି କଟକଣାକୁ ନେଇ ସ୍ଥାନୀୟ ଲୋକେ ବ୍ୟତିବ୍ୟସ୍ତ ହେଇ ପଡିଲେଣି । ସ୍ଥାନୀୟ ଜଣେ ବାସିନ୍ଦା କହନ୍ତି,  "ଏହା ପର୍ବରୁ ଆମକୁ କେହି ପଚାରୁ ନଥିଲେ ଯେ ଆମେ କେଉଁଠିକୁ ଯାଉଛୁ, କ'ଣ କରୁଛୁ,ବୋଲି  । ଏପରିକି  ନାମ ପରିଚୟ ମଧ୍ୟ ଦେବାକୁ ପଡୁ ନ ଥିଲା ।  ଆମେ ପାହାଡ ପାଦଦେଶରେ କିମ୍ବା ଗ୍ରାମାଞ୍ଚଳରେ ସାରା ରାତି ପିକନିକ୍ କରୁଥିଲୁ। ହେଲେ ଏବେ ଆମକୁ ଆମର ପରିଚୟ ପ୍ରମାଣ ଦେବାକୁ କୁହାଯାଉଛି । ବରଂ ସେମାନେ ନିଜର ପରିଚୟ ଆମକୁ ଦେବାର କଥା ବୋଲି କହନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ଏହାକୁ ନେଇ ଗ୍ୱାଦର ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଭରି ରହିଛି ।

ଏକଦା ଏହି ଗ୍ୱାଦର ପାକିସ୍ତାନ ନୁହେଁ, ଓମାନର ଅଂଶ ଥିଲା । ଏହି ସହର ମୁମ୍ବାଇ ଯାଉଥିବା ଯାତ୍ରୀବାହୀ ଜାହାଜ ପାଇଁ ଏକ ଷ୍ଟପେଜ ଥିଲା । ସେତେବେଳେ ସ୍ଥିତି ଏମିତି ଥିଲା ଲୋକେ ଏଠାରେ କେବେ ଉପାସ ରହୁ ନ ଥିଲେ । କାମ ସହଜରେ ମିଳୁଥିଲା । ପାନୀୟ ଜଳର ଅଭାବ ବି ନ ଥିଲା । ହେଲେ ଏବେ  ମରୁଡି ଏବଂ ଅନିୟନ୍ତ୍ରିତ ଶୋଷଣ ଯୋଗୁଁ ଗ୍ୱାଦର ତାର ପରିଚୟ ହରାଇ ବସିଛି । ଏବେ ଏଠାରେ ପାଣିର ଘୋର ଅଭାବ । ଲୋକଙ୍କ ପାଇଁ କାମ ମଧ୍ୟ ନାହିଁ  । ଅଭାବ ଓ ଦାରିଦ୍ର୍ୟରେ ଛଟପଟ ହେଉଛି ଗ୍ୱାଦର ।

ସରକାରଙ୍କ ପକ୍ଷରୁ କୁହାଯାଉଛି, CPEC ସ୍ଥାନୀୟ ଅଞ୍ଚଳର ୨୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି  ।  କିନ୍ତୁ "ସ୍ଥାନୀୟ"  ବୋଲି ସରକାର କାହାକୁ କହୁଛନ୍ତି ସେ ନେଇ ଏଠିକା ଲୋକ ସନ୍ଦିହାନ । କାରଣ ସ୍ଥାନୀୟ ଅର୍ଥ ବାଲୁଚ୍ ବାସିନ୍ଦା ନା ଦେଶର ଅନ୍ୟ ସ୍ଥାନରୁ ଆସିଥିବା ପାକିସ୍ତାନୀ ସେ ନେଇ  କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି  । ଯଦି ଗ୍ୱାଦରର ଜଣେ ବି ଲୋକ ଏଠି ନିଯୁକ୍ତି ପାଇ ନାହାନ୍ତି ତେବେ ୨୦୦୦ ଲୋକ ନିଶ୍ଚୟ ଅନ୍ୟସ୍ଥାନରୁ ଆସିଥିବା ପାକିସ୍ତାନୀ ହୋଇଥାଇ ପାରନ୍ତି ବୋଲି ଏଠିକା ଲୋକ କହନ୍ତି ।

ବିମାନବନ୍ଦର ଉଦଘାଟନ ପାଇଁ କାହିଁକି ବିଳମ୍ବ ହେଉଛି

ଯାହା ବି ହେଉ, ଗ୍ୱାଦର ଏକ ଶାନ୍ତ, ମନୋରମ ସହର ହେଲେ ମଧ୍ୟ ଏବେ ଅଶାନ୍ତ ହୋଇପଡିଛି । ଉଗ୍ରବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ତେବେ ପାକିସ୍ତାନ ଇନଷ୍ଟିଚ୍ୟୁଟ ଫର କନଫ୍ଲିକ୍ଟ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ ଅନୁସାରେ, ୨୦୧୪ରେ ସରକାରଙ୍କ ପକ୍ଷରୁ କରା ଯାଇଥିବା କଡା କାର୍ଯ୍ୟାନୁଷ୍ଠାନ ଯୋଗୁ ବେଲୁଚିସ୍ଥିନାରେ ଉଗ୍ରବାଦୀ ହିଂସା କମିଥିଲା  । ହେଲେ  ୨୦୨୨ରେ ଆତଙ୍କବାଦୀ ଆକ୍ରମଣ ପୁଣି ବୃଦ୍ଧି ପାଇବାକୁ ଲାଗିଥିଲା  ।

ତେଣୁ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଏହି ବିମାନବନ୍ଦରର ଉଦଘାଟନରେ ବିଳମ୍ବ ହେଉଛି । ବିମାନ ବନ୍ଦର ନିକଟରେ ଥିବା ସୁଉଚ୍ଚ ପାହାଡ ଆତଙ୍କୀଙ୍କୁ ବେଶ ସୁହାଇବ ଯଦ୍ୱାରା  ହିଂସା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଏବଂ ତାଙ୍କର ଚୀନ ସମପକ୍ଷ ଲି କିୟାଙ୍ଗ ଏକ ଭର୍ଜୁଆଲ ସମାରୋହର ଆୟୋଜନ କରାରାଇଥିଲା । ହେଲେ ସେଠାକୁ ମିଡ଼ିଆ ବା ସାଧାରଣ ଜନତାଙ୍କ  ପାଇଁ କଟକଣା ଲାଗୁ କରାଯାଇଥିଲା  । ବାଲୁଚିସ୍ତାନର ଆୱାମୀ ପାର୍ଟିର ଜିଲ୍ଲା ଅଧ୍ୟକ୍ଷ ଅବଦୁଲ ଗଫୁର ହୋଥ କହିଛନ୍ତି, ‘ଏହି ନୂଆ ବିମାନବନ୍ଦରରେ ଜଣେ ବି ଗ୍ୱାଦର ବାସିନ୍ଦାଙ୍କୁ ନିଯୁକ୍ତି ମିଳିନାହିଁ । ଏପରିକି ଚୌକୀଦାର ଭାବେ ବି କାହାକୁ ନିଯୁକ୍ତି ମିଳିନି ।’ ବିମାନବନ୍ଦର କଥା ଛାଡ, ସିପିଇସି ପ୍ରକଳ୍ପରେ ମଧ୍ୟ ଜଣେ ବି ଗ୍ୱାଦର ବାସିନ୍ଦଙ୍କୁ ନିଯୁକ୍ତି ମିଳିନି ।’

ତେଣୁ ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଥିବା ଅସନ୍ତୋଷ କେତେବେଳେ ବି ବିସ୍ଫୋରକ ରୂପ ନେଇପାରେ । ଏହାକୁ ବିରୋଧ କରି ନିକଟରେ ସ୍ଥାନୀୟ ଲୋକେ  ୪୭ ଦିନ ଧରି ବିରୋଧ ପ୍ରଦର୍ଶନ କରିଥିଲେ । ଶେଷରେ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଦାବି ମଧ୍ୟରେ ବିଜୁଳି ଏବଂ ପାନୀୟ ଜଳ ଯୋଗାଣ ବି ସାମିଲ ଥିଲା ।  ପ୍ରତିଶ୍ରୁତି ସିନା ଦେଲେ, ହେଲେ ଏହାକୁ କାର୍ଯ୍ୟକାରୀ କରାଇବା ଦିଗରେ କାହାରି ଆନ୍ତରିକତା ପରଲକ୍ଷିତ ହେଉନି ।

ଏପରି ସ୍ଥିତିରେ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର କେବେ ସଫଳ ହୋଇ ପାରିବ ନାହିଁ ବୋଲି କହିଛନ୍ତି ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞ । କାରଣ ସ୍ଥାନୀୟ ଶ୍ରମ, ସାମଗ୍ରୀ ଏବଂ ସେବାର ଉପଯୋଗ ହୋଇ ନ ପାରିବ ସେତେଦିନ ଯାଏ ଏହି କରିଡର ତାର ଲକ୍ଷ୍ୟ ହାସଲ କରିପାରିବ ନାହିଁ । ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞ ଖାଲିଦ କହିଛନ୍ତି, ପାକିସ୍ତାନ ସରକାର ବଲୁଚ ଲୋକଙ୍କୁ  କିଛି ବି ଦେବାକୁ ପ୍ରସ୍ତୁତ ନୁହନ୍ତି କିମ୍ବା ବଲୁଚ ସରକାରଙ୍କଠାରୁ କିଛି ବି ନେବାକୁ ପ୍ରସ୍ତୁତ ନୁହଁନ୍ତି ।

ତେବେ ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ ନା ଏମିତି ନିରବ ନିଶ୍ଚଳ ହୋଇ ଛିଡା ହୋଇଥିବ ତାହା ସମୟ କହିବ । 

 

OTV is now on Whatsapp

Join and get latest news update delivered to you via whatsapp

Join Now