କାଲିଫର୍ଣ୍ଣିଆର ଜଣେ ୨୦ ବର୍ଷୀୟ ନର୍ସିଂ ଛାତ୍ରୀ ନିଜ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । କେଉଁଠି ରହିବେ, କେଉଁଠି ଉଚ୍ଚଶିକ୍ଷା ପ୍ରାପ୍ତ କରିବେ ଏବଂ କେଉଁଠି ନିଜ ଭବିଷ୍ୟତ ଗଢିବେ ? କାରଣ ଏବେ ତାଙ୍କୁ ଆମେରିକାରେ ଅଧିକ ଦିନ ରହିବାର ସୁଯୋଗ ମିଳିବ ନାହିଁ । ଛାତ୍ରୀଙ୍କ କହିବା ଅନୁସାରେ, ସେ ୬ ବର୍ଷ ବୟସରୁ ଆମେରିକାରେ ରହି ଆସିଛନ୍ତି । ତାଙ୍କର ଶିକ୍ଷାଦୀକ୍ଷା ଏହି ଦେଶରେ ସମ୍ପନ୍ନ ହୋଇଛି । ସାଙ୍ଗସାଥୀ ସମସ୍ତେ ଏହି ଦେଶରେ । ଏପରିକି ସେ ତାଙ୍କର ଭବିଷ୍ୟତ ମଧ୍ୟ ଏହି ଦେଶରେ ଦେଖିଛନ୍ତି । ହେଲେ ତାଙ୍କୁ ଏବେ କୁହାଯାଉଛି ଏ ଦେଶ ଛାଡ଼ିବା ପାଇଁ । ଛାତ୍ରୀ ଜଣକ କୁହନ୍ତି, ‘ଏହି ଦେଶକୁ ମୁଁ ମୋର ଏକମାତ୍ର ଦେଶ ବୋଲି ଭାବି ଆସିଛି । ଏବେ ମୋ ଦେଶକୁ ମତେ ଛାଡି ଯିବାକୁ ପଡ଼ିବ ।’ କାରଣ ତାଙ୍କର ଆଶ୍ରିତ ଭିସା ବା H-4 ଭିସା ଅଗଷ୍ଟରେ ଶେଷ ହେବ । ଯଦିଓ ଶିକ୍ଷା ସମାପ୍ତ ପାଇଁ ଭିସାକୁ F-1 ବା ଛାତ୍ର ଭିସାରେ ବଦଳାଇବା ପାଇଁ ସେ ଯୋଗ୍ୟ ଅଟନ୍ତି, ତେବେ ଏହି ପ୍ରକ୍ରିୟାରେ ଅନ୍ତରାଷ୍ଟ୍ରୀୟ ଛାତ୍ର ଭାବେ ବ୍ରାଣ୍ଡେଡ ହେବା ପାଇଁ ଅନେକ ପ୍ରତିବନ୍ଧକ ରହିଛି ।’
ଛାତ୍ରୀ ଜଣକ ଆହୁରି କହିଛନ୍ତି, ‘ଏହା ଦ୍ୱାରା ମୋ ପରି ପିଲାମାନେ ରାଜ୍ୟର ଟ୍ୟୁସନ ଫିସ, ସଂଘୀୟ ଆର୍ଥିକ ସହାୟତା ଏବଂ ଛାତ୍ରବୃତ୍ତି ପାଇଁ ଅଯୋଗ୍ୟ ହୋଇଯିବେ । କେବଳ ସେତିକି ନୁହେଁ, ଏହାଦ୍ୱାରା ଆମ ପରିବାର ଉପରେ ବଡ ଧରଣର ଆର୍ଥିକ ବୋଝ ମଧ୍ୟ ପଡ଼ିବ । ଯେଉଁମାନେ ପୂର୍ବରୁ ଆମେରିକାରେ ରହି ହାଇକଷ୍ଟ ଲାଇଫ୍ଷ୍ଟାଇଲ୍ ସହ ଲଢୁଛନ୍ତି ସେମାନଙ୍କ ଉପରେ ବଡ ଧରଣର ଆର୍ଥିକ ବୋଝ ପଡିବ ।
Also Read
ସେହିପରି ଟେକ୍ସାସରେ ରହୁଥିବା ଜଣେ ୨୦ ବର୍ଷୀୟ ଯୁବକଙ୍କର H-4 (ଏନଆରଆଇ ମାତା-ପିତାଙ୍କ ଆଶ୍ରିତ) ଭିସା ଚଳିତ ବର୍ଷ ଶେଷ ଆଡକୁ ଶେଷ ହୋଇଯିବ । ଉକ୍ତ ଛାତ୍ରଙ୍କ କହିବା ଅନୁଯାୟୀ, ‘ ରାଜ୍ୟ ବାହାର ଟ୍ୟୁସନ ଫିସ ଦେବା ସାମର୍ଥ୍ୟ ମୋର ନାହିଁ । ନିଜ ଖର୍ଚ୍ଚ ଉଠାଇବା ପାଇଁ କ୍ୟାମ୍ପସ ବାହାରେ କାମ କରି ପାରିବି ନାହିଁ । ମୋତେ ଲାଗୁଛି ଯେମିତି କୌଣସି କାମ ପାଇଁ ମୋତେ ଦଣ୍ଡ ମିଳୁଛି ଯାହା ଉପରେ ମୋର କୌଣସି ନିୟନ୍ତ୍ରଣ ନାହିଁ । H-4 ଭିସା ଶେଷ ହେବା ପରେ ମୋତେ ୪୫ ହଜାର ଡଲାର ଅର୍ଥାତ ୩୯ ଲକ୍ଷ ଟଙ୍କାରୁ ଅଧିକ ଫିସ ଦେବାକୁ ପଡ଼ିବ । ଅନ୍ୟପକ୍ଷେ ମୋର ସାଙ୍ଗମାନଙ୍କୁ ୧୦ ହଜାର ଡଲାର ଅର୍ଥାତ ୮.୭ ଲକ୍ଷ ଡଲାର ଦେବାକୁ ପଡିବ ।’
H-1B ଭିସା ଧାରକଙ୍କ ପାଇଁ ବଢୁଛି ସମସ୍ୟା
ଆମେରକାରେ ଥିବା H-1B ଭିସା ଧାରକଙ୍କ ପାଇଁ ବଢୁଛି ସମସ୍ୟା । ଆମେରିକାରେ ରହି ପାରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଏହି ଭିସା ଧାରକମାନେ । ଯେଉଁମାନେ ନାବାଳକ ଭାବେ ଆମେରିକାକୁ ଆସିଥିଲେ ଏବଂ ଏବେ ୨୧ ବର୍ଷରେ ପହଞ୍ଚି ସାରିଲେଣି ସେମାନେ ନିଜ ଭବିଷ୍ୟତ କେଉଁଠି ଗଢିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । କାରଣ ଏବେ ସେମାନଙ୍କୁ ଆଉ ଏନଆରଆଇ ମାତା-ପିତାଙ୍କ ଆଶ୍ରିତ (H-4 ଭିଜାଧାରକ) ବୋଲି ଗ୍ରହଣ କରାଯିବ ନାହିଁ । ଆମେରିକା ନିୟମ ଅନୁସାରେ ବର୍ତ୍ତମାନ ସୁଦ୍ଧା ବୟସ ସୀମା ଶେଷ ହୋଇଥିବା ବ୍ୟକ୍ତିଙ୍କୁ ନୂଆ ଭିସା ଷ୍ଟାଟସ ପାଇଁ ୨ ବର୍ଷ ସମୟ ଦିଆଯାଉଥିଲା । ଏହି ସମୟ ମଧ୍ୟରେ ସେ ଯଦି ଶିକ୍ଷା ସମାପ୍ତ କରିବାକୁ ଚାହାଁନ୍ତି ତେବେ ଭିସା ଷ୍ଟାଟସକୁ ଛାତ୍ର ଭିସାରେ ପରିବର୍ତ୍ତନ କରିପାରିବେ । ନଚେତ ଯଦି ଚାକିରି ପାଇ ଯାଆନ୍ତି ତେବେ ଏମ୍ପ୍ଲୟମେଣ୍ଟ ଭିସାକୁ ପରିବର୍ତ୍ତନ କରି ପାରିବେ । ହେଲେ ଦେଶାନ୍ତର ନିୟମରେ ଏବେ ଆସିଥିବା ପରିବର୍ତ୍ତନ ଏବଂ କୋର୍ଟ ମାମଲା ଯୋଗୁ ସେମାନଙ୍କୁ ଦିଆଯାଇଥିବା ଅବଧି ଏସବୁ କରିବା ପୂର୍ବରୁ ଶେଷ ହୋଇଯିବାର ଆଶଙ୍କା ରହିଛି । ଯାହା ଏବେ ସମସ୍ୟାର କାରଣ ହୋଇଛି ।
ଯଦି ଏପରି ହୁଏ ତେବେ ସେମାନଙ୍କୁ ଆତ୍ମ ନିର୍ବାସନ ନେଇ ଭାରତରେ ରହିବାକୁ ବାଧ୍ୟ କରାଯାଇପାରେ । ଯେଉଁ ଦେଶ ସହିତ ସେମାନେ ପରିଚିତ ନୁହଁନ୍ତି ସେଠାରେ କିପରି ରହିବେ ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି । ନଚେତ ଯଦି ବି ସେମାନେ ଆମେରିକାରେ ରହିବେ ତେବେ ବାହାର ଲୋକ ଭାବେ ରହିବେ । ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି ଗ୍ରୀନକାର୍ଡ । କାରଣ ଏଠାରେ ମାତା-ପିତାଙ୍କୁ ଗ୍ରୀନ କାର୍ଡ ପାଇବା ପାଇଁ ୧୨ରୁ ୧୦୦ ବର୍ଷ ଯାଏ ୱେଟିଂ ଲିଷ୍ଟରେ ରହିବାକୁ ପଡିପାରେ ।
ଭିସା ଚିନ୍ତାରେ ଆମେରିକାରେ ଥିବା ଏକଲକ୍ଷରୁ ଅଧିକ ଭାରତୀୟ
ମାର୍ଚ୍ଚ ୨୦୨୩ ରିପୋର୍ଟ ଅନୁସାରେ, ଅନୁମାନ କରାଯାଉଛି ପ୍ରାୟ ୧.୩୪ ଲକ୍ଷ ଭାରତୀୟ ଶିଶୁଙ୍କ ପରିବାର ଗ୍ରୀନ କାର୍ଡ ପାଇବା ପୂର୍ବରୁ ସେମାନଙ୍କର ଆଶ୍ରିତ ଭିସା ଅବଧି ଶେଷ ହୋଇ ଯାଇପାରେ । ଟେକ୍ସାସର ଏକ ଅଦାଲତ ଡେଫର୍ଡ ଆକ୍ସନ ଫର ଚାଇଲଡହୁଡ ଆରାଇଭାଲ୍ସ (DACA) ଅନୁସାରେ ନୂତନ ଆବେଦନକାରୀଙ୍କ ୱର୍କ ପରମିଟ ଦେବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି ଯେଉଁଥିପାଇଁ ଦ୍ୱନ୍ଦ୍ୱ ଆହୁରି ବଢିଯାଇଛି ।
ଆଇନଗତ ପ୍ରମାଣପତ୍ର ନ ଥିବା ପ୍ରବାସୀଙ୍କୁ ଆତ୍ମ ନିର୍ବାସନ ପୂର୍ବରୁ DACA ୨ ବର୍ଷ ପାଇଁ ଅସ୍ଥାୟୀ ସୁରକ୍ଷା ପ୍ରଦାନ କରିଥାଏ । ଏହି ସୁରକ୍ଷା ୨୧ ବର୍ଷ ପରେ ପିତାମାତାଙ୍କ ଉପରେ ନିର୍ଭରଶୀଳ ହେବା ପାଇଁ ଅଯୋଗ୍ୟ ଥିବା ତଥା ନବୀକରଣର ସମ୍ଭାବନା ଥିବା ପିଲାମାନଙ୍କୁ ମିଳିଥାଏ ।
କାନାଡା, ୟୁକେ ପରି ଦେଶକୁ ଯିବା ପାଇଁ ବିଚାର କରୁଛନ୍ତି ଯୁବଗୋଷ୍ଠୀ
ଏପରି ସ୍ଥିତିରେ ଅନେକ ଯୁବକ କାନାଡା କିମ୍ବା ୟୁକେ ପରି ଦେଶକୁ ଯିବା ଲାଗି ବିଚାର କରୁଛନ୍ତି ଯେଉଁଠି ଦେଶାନ୍ତର ନୀତିକୁ ଅଧିକ ସରଳ ଏବଂ ଗ୍ରହଣଯୋଗ୍ୟ ବିଚାର କରାଯାଏ । ଆମେରିକାରେ ରହୁଥିବା ଜଣେ ଅଣ୍ଡର ଗ୍ରାଜୁଏଟ ଛାତ୍ର କୁହନ୍ତି, ତାଙ୍କର ବୟସ ଏପ୍ରିଲ ସୁଦ୍ଧା ୨୧ ପୂରିଯିବ । ଏଠାରେ ରହିବା ପାଇଁ ସହଜ ବିକଳ୍ପ ମିଳିପାରେ । ଯଦି ବି ଏଠାରେ ରହି ସେ ଶିକ୍ଷା ସମାପ୍ତ କରନ୍ତି ତେବେ ଏଠାରେ ଚାକିରି ମିଳିବ କି ନାହିଁ ଏବଂ ଭବିଷ୍ୟତ ସୁରକ୍ଷିତ ରହିବାର ସମ୍ଭାବନା ଅଛି କି ନାହିଁ ସେ ଜାଣନ୍ତିନି । ତାଙ୍କ ବାପା-ମା’ ଅବସର ପରେ ଭାରତ ଫେରିଯିବାର ଯୋଜନା କରୁଛନ୍ତି । ତେଣୁ ମୋ ପାଖରେ ଏଠାରେ ରହିବାର କୌଣସି ସମ୍ଭାବନା ନାହିଁ ।’
ସେ ଆହୁରି କହିଛନ୍ତି, ‘ ଭାରତ ଫେରିଯବା କଥାକୁ ମୁଁ ନିଜେ ସହଜରେ ଗ୍ରହଣ କରିପାରୁନି । କାରଣ ଭାରତ ମୋତେ ବିଦେଶ ମାଟି ପରି ଲାଗେ । ମୁଁ ପିଲାବେଳୁ ଭାରତ ଛାଡ଼ି ଏଠାକୁ ଚାଲି ଆସିଥିଲି । ମୋତେ ପୁଣି ଥରେ ସେଠାରେ ମୋର ଜୀବନ ଆରମ୍ଭ କରିବାକୁ ପଡିବ ।’
ଅବ୍ୟବସ୍ଥିତ ଗ୍ରୀନ କାର୍ଡ ବ୍ୟବସ୍ଥା
ଆମେରିକାର ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ ବ୍ୟବସ୍ଥାରେ ବହୁତ ଅବ୍ୟବସ୍ଥା ରହିଛି ଯାହା ଭାରତୀୟ ପ୍ରବାସୀମାନଙ୍କୁ ଅସମାନ୍ତରାଳ ଭାବେ ପ୍ରଭାବିତ କରେ । ଯାହା ଏହି ବର୍ଗର ଯୁବପିଢିଙ୍କ ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ ହୋଇ ପଡ଼ିଛି ।
ଟେକ୍ସାସର ଜଣେ ଛାତ୍ରଙ୍କ କହିବା ଅନୁଯାୟୀ ତାଙ୍କର ପ୍ରତୀକ୍ଷା ଅବଧି ୨୩ ବର୍ଷ ଯାଏ ରହିଛି । ଆସନ୍ତା ଅକ୍ଟୋବରରେ ୨୧ ବର୍ଷ ଶେଷ ହୋଇଯିବ । ଏହା ପରେ ମୁଁ କ’ଣ କରିବି ? ପ୍ରଥମେ ଲୋକଙ୍କୁ DACA ଅନୁସାରେ ଦୁଇ ବର୍ଷର ସମୟ ମିଳୁଥିଲା । ଆଉ ଏହି ସମୟ ମଧ୍ୟରେ ସେ ପଢାପଢି କରିପାରୁଥିଲେ । କାମ ବି କରି ପାରୁଥିଲେ । ଏହା ଭିତରେ ସେ ସାମାଜିକ ସୁରକ୍ଷା ନମ୍ବର ବି ପାଇ ପାରୁଥିଲେ । ହେଲେ ନୂଆ ସରକାର ଜନ୍ମସିଦ୍ଧ ନାଗରିକତା ଉପରେ ପ୍ରତିବନ୍ଧକ ଲଗାଇବା ପରେ ସବୁକିଛି ଜଟିଳ ହୋଇପଡିଛି ।