• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରୋଗ ମାରାତ୍ମକ ନହେଲେ ବି ଦେଖିବାକୁ ଭୟଙ୍କର

  • ଏହାର ସଂକ୍ରମଣର ବେଗ ସେତିକି ଚିନ୍ତାଜନକ

ଗୋଟିକ ପରେ ଗୋଟିଏ ଦେଶକୁ ବ୍ୟାପୁଛି ମଙ୍କିପକ୍ସ । ଦେଖୁ ଦେଖୁ ୧୪ଟି ଦେଶରେ ଭୂତାଣୁର ସଂକ୍ରମଣ । ସ୍ୱିଡେନ୍, ସ୍ପେନ୍, ପର୍ତ୍ତୁଗାଲ, ବେଲଜିୟମ, ନେଦରଲାଣ୍ଡ, ଆମେରିକା, ଫ୍ରାନ୍ସ, ଇଟାଲି ଓ ଅଷ୍ଟ୍ରେଲିଆ ଆଦି ଦେଶରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ମହାମାରୀ ନଥମୁଣୁ ଆଉ ଏକ ଭୂତାଣୁ ଜନିତ ରୋଗ ମାଡ଼ି ଚାଲିବା ଦେଖି ଛାନିଆ ହୋଇପଡିଛି ସାରା ବିଶ୍ୱ । ୟୁରୋପ ମହାଦେଶରେ ୮୦ଜଣ ରୋଗୀଙ୍କ ଦେହରେ ମଙ୍କିପକ୍ସ ଭୂତାଣୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଗଲାଣି ।

ଅଷ୍ଟ୍ରେଲିଆ, ଇସ୍ରାଏଲ, ସ୍ୱିଜରଲାଣ୍ଡରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ଭୂତାଣୁ ଠାବ କରାଯାଇଛି । ଇଂଲଣ୍ଡ ଫେରନ୍ତା ଜଣେ ଅଷ୍ଟ୍ରେଲୀୟ ନାଗିରକଙ୍କ ଠାରୁ ପ୍ରଥମେ ମଙ୍କିପକ୍ସ ଚିହ୍ନଟ ହୋଇଥିଲା । ସେହିପରି ଜର୍ମାନୀରୁ ଫେରିଥିବା ଦୁଇ ଜଣଙ୍କ ବ୍ୟକ୍ତିଙ୍କ ଠାରୁ ଦ୍ୱିତୀୟ ଓ ତୃତୀୟ କେସ୍ ଚିହ୍ନଟ ହୋଇଥିବା ଅଷ୍ଟ୍ରେଲିଆ କହିଛି । ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆରେ ପ୍ରାୟ ୫୦ ଜଣ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛି। ସେପଟେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ନେଇ ବ୍ରିଟେନରେ ମଧ୍ୟ ଛନକା ପଶିଛି ।

ମଙ୍କିପକ୍ସ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିପାରେ । ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ପୂର୍ବାନୁମାନ କରିଛି । ଖାଲି ଏତିକି ନୁହେଁ, ମହିଳା ଏବଂ ଶିଶୁ ଏହି ରୋଗରେ ଗୁରୁତର ହୋଇପାରନ୍ତି ବୋଲି ଆଶଙ୍କା କରିଛି ଡବ୍ଲୁଏଚ୍ଓ । ଏମିତିକି ଏଣ୍ଡେମିକ୍ ଅଞ୍ଚଳକୁ ଟ୍ରାଭେଲ ହିଷ୍ଟ୍ରି ନଥାଇ ବି କିଛି ରୋଗୀଙ୍କ ଦେହରେ ମଙ୍କିପକ୍ସ ଚିହ୍ନଟ ହୋଇଛି । ଯାହା ଚିନ୍ତାର କାରଣ ବୋଲି କହିଛି ଏହି ସର୍ବୋଚ୍ଚ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂଗଠନ । ବିଶ୍ୱର ପ୍ରଥମ ଦେଶ ଭାବେ ମଙ୍କିପକ୍ସସକୁ ନେଇ ବେଲଜିୟମରେ ୨୧ ଦିନିଆ କ୍ୱାରେଣ୍ଟିନର ନିୟମ କରାଯାଇଛି । ସେଠାରେ ଏବେ ସୁଦ୍ଧା ୩ଟି କେସ୍ ଚିହ୍ନଟ ହୋଇଛି । ଚିହ୍ନଟ ସବୁ ଆକ୍ରାନ୍ତ ଏକ ପର୍ବରେ ଯୋଗଦେଇ ଫେରିଥିବା କୁହାଯାଉଛି ।

୨୦୨୨ ମେ ୧୩ ତାରିଖରେ ପ୍ରଥମେ ମଙ୍କିପକ୍ସ ଭୂତାଣୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ରିପୋର୍ଟ କରାଯାଇଥିଲା । ମେ ୧୩ ତାରିଖରୁ ଗତ ୨୧ ତାରିଖ ମଧ୍ୟରେ ହୋଇଥିବା ସର୍ଭେ ଅନୁଯାୟୀ, ପର୍ତ୍ତୁଗାଲ, ସ୍ପେନ୍ ଓ ଲଣ୍ଡନରେ ସର୍ବାଧିକ ୨୧ରୁ ୩୦ ଜଣଙ୍କ ଦେହରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ କରାଯାଇଛି । ଆଉ କିଛି ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।