• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମାଇକ୍ରୋସଫ୍ଟ ବିଭ୍ରାଟ ପାଇଁ ଗୋଟିଏ ଝଟକାରେ ଗୁଲ୍ ହେଇଗଲା ବିଶ୍ୱ ବ୍ୟାପୀ ଜରୁରୀ ସେବା । ଦିଲ୍ଲୀରୁ ଲଣ୍ଡନ, ଭୁବନେଶ୍ୱରରୁ ନ୍ୟୁୟର୍କ । ବିମାନ, ବ୍ୟାଙ୍କ୍, ସେୟାର ମାର୍କେଟ୍, ହସ୍ପିଟାଲ । ସବୁଠି ଅଚଳାବସ୍ଥା, ହାହାକାର ସ୍ଥିତି । ମାଇକ୍ରୋସଫ୍ଟ ଆଉଟେଜ୍ ପାଇଁ ସୋସିଆଲ ମିଡିଆରେ ବିଶ୍ୱ ବ୍ୟାପୀ ଟ୍ରେଣ୍ଡ୍ କରୁଛି ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍ । ତେବେ ଏହା କଣ ଏବଂ କାହିଁକି ବିଶ୍ୱର ସବୁଠୁ ବଡ଼ ଓ ପ୍ରତିଷ୍ଠିତ କଂପାନୀରେ ଏଭଳି ସ୍ଥିତି ଉପୁଜିଲା ।... ଆସନ୍ତୁ ଜାଣିବା ...

ଅସୁବିଧା... ଅଚଳାବସ୍ଥା... ବିଭ୍ରାଟ... ହଇଚଇ...। ଖାଲି ଏୟାରପୋର୍ଟ ନୁହେଁ, ମାଇକ୍ରୋସଫ୍ଟ ଅପରେଟିଂ ସିଷ୍ଟମ ଓ ଆପ୍ ଉପରେ ନିର୍ଭରଶୀଳ ସମସ୍ତ କ୍ଷେତ୍ରକୁ ଆଜି ଧୋକା ଦେଇଛି କଂପ୍ୟୁଟର । ଏହାକୁ କୁହାଯାଉଛି- ' ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍ ବା ମୃତ୍ୟୁର ନୀଳ ପରଦା ' ।

ଆଜି ଅଚାନକ ସଟ୍ ଡାଉନ୍, ନଚେତ୍ ରିଷ୍ଟାର୍ଟ ହୋଇଯାଇଥିଲା ବିଶ୍ୱର କୋଟି କୋଟି କଂପ୍ୟୁଟର । କାମ କରିନଥିଲା ମାଇକ୍ରୋସଫ୍ଟ । ବ୍ଲୁ ସ୍କ୍ରିନ୍ ଉପରେ ଦେଖାଦେଇଥିଲା ଏରର୍ ମେସେଜ୍ । ଆଉ ଠପ୍ ପଡ଼ିଯାଇଥିଲା ବିଭିନ୍ନ ଜରୁରୀ ସେବା । ବିମାନବନ୍ଦରରୁ ବ୍ୟାଙ୍କ, ସେୟାର ବଜାର, ପେମେଣ୍ଟ ସିଷ୍ଟମ ଓ ମେଡିକାଲ୍ ସର୍ଭିସ୍ ।

ଭାରତ ସମେତ ଆମେରିକା, ଅଷ୍ଟ୍ରେଲିଆ, ଲଣ୍ଡନ ଏବଂ ବିଶ୍ୱର ବିଭିନ୍ନ ଦେଶରେ ଜରୁରୀ ସେବାକୁ ପ୍ରଭାବିତ କରିଛି ମାଇକ୍ରୋସଫ୍ଟ ଆଉଟେଜ୍ । ତେବେ ଏହାର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା ବିମାନବନ୍ଦର ଗୁଡ଼ିକରେ । ଭୁବନେଶ୍ୱର ଓ ଦିଲ୍ଲୀ ସମେତ ସମସ୍ତ ବିମାନବନ୍ଦରରେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟାର ଅପେକ୍ଷା କରିଥିଲେ ଯାତ୍ରୀ ।

ବୁକିଂ, ଚେକ୍-ଇନ୍ ଓ ଫ୍ଲାଇଟ୍ ଅପଡେଟରେ ସମସ୍ୟା ଦେଖା ଦେବା ପରେ, ଯାତ୍ରୀଙ୍କୁ ହାତଲେଖା ମାନୁଆଲ୍ ବୋର୍ଡିଂ ପାସ୍ ଦେଇଥିଲେ ବିଭିନ୍ନ ବିମାନସେବା ପ୍ରଦାନକାରୀ ସଂସ୍ଥା । ଭାରତରେ ଇଣ୍ଡିଗୋ, ଏୟାର ଇଣ୍ଡିଆ, ଭିସ୍ତାରା, ସ୍ପାଇସ ଜେଟ୍ ଓ ଆକାଶ ଏୟାର ଅଧିକ ପ୍ରଭାବିତ ହୋଇଛି ।

ଦିଲ୍ଲୀ ଓ ମୁମ୍ବାଇରେ ପ୍ରାୟ ୩ଶହ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବା କୁହାଯାଉଛି । ବିଦେଶ କଥା ଦେଖିଲେ ଲଣ୍ଡନ ଷ୍ଟକ ଏକ୍ସଚେଞ୍ଜ ଓ ରେଳ ସେବା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ବ୍ୟାଙ୍କ ସେବା ଅଧିକ ପ୍ରଭାବିତ ହୋଇଛି ।

ବିଶ୍ୱର ସର୍ବବୃହତ୍ କଂପାନୀ, ସବୁଠୁ ଅଧିକ ବ୍ୟବହୃତ ଏବଂ ଅତି ପ୍ରଖ୍ୟାତ ମାଇକ୍ରୋସଫ୍ଟର ସର୍ଭରରେ କିଭଳି ଘଟିଲା ଏତେ ବଡ଼ ବିଭ୍ରାଟ ? ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍ ପଛର କାରଣ କଣ ? ଭୟଙ୍କର ଭାଇରସ୍ ନା ସାଇବର୍ ଆଟାକ୍ ? ସୂଚନା ଅନୁସାରେ, କ୍ରାଉଡଷ୍ଟ୍ରାଇକ୍ ନାମକ ଏକ ଥାର୍ଡପାର୍ଟି ଅପଡେଟ୍ ମାଇକ୍ରୋସଫ୍ଟ ଆଉଟେଜର ପ୍ରମୁଖ କାରଣ ।

ସାଇବର୍ ସିକ୍ୟୁରିଟି ସଂସ୍ଥା କ୍ରାଉଡଷ୍ଟ୍ରାଇକ ଆଜି ସକାଳୁ ମାଇକ୍ରୋସଫ୍ଟ ପାଇଁ ଏକ ନୂଆ ଅପଡେଟ୍ ଜାରି କରିଥିଲା । ତେବେ ଏଥିରେ କନଫିଗରେସନ୍ ତ୍ରୁଟି ଥିବାରୁ ମାଇକ୍ରୋସଫ୍ଟ ୩୬୫ ଅଚାନକ ଅଚଳ ହୋଇଗଲା । ତେବେ ଏହା ସାଇବର୍ ଆଟାକ କି ସୁରକ୍ଷା ତ୍ରୁଟି ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କ୍ରାଉଡଷ୍ଟ୍ରାଇକ୍ ସିଇଓ ।

ସମସ୍ୟା ଚିହ୍ନଟ ସରିଛି ଏବଂ ସମାଧାନ ପାଇଁ ଉପଭୋକ୍ଟାଙ୍କୁ ନୂଆ ଅପଡେଟ୍ ପାଇଁ ସକ୍ରିୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ମାଇକ୍ରୋସଫ୍ଟ ପକ୍ଷରୁ ମଧ୍ୟ ଏହାକୁ କାରଣ ବୋଲି ଦର୍ଶାଯାଇଛି । ଏପଟେ ଆଜିର ବୈଶ୍ୱିକ ଅଚଳାବସ୍ଥାକୁ ନେଇ ମାଇକ୍ରୋସଫ୍ଟ ଓ ଅନ୍ୟ ସହଯୋଗୀ ସଂସ୍ଥା ସହ ଯୋଗାଯୋଗରେ ଅଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 'ଏକ୍ସ'ରେ ସୂଚନା ଦେଇଛନ୍ତି ଯେ, କଂପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ ବା CERT ପକ୍ଷରୁ ଟେକନିକାଲ୍ ଆଡଭାଇଜରି ଜାରି କରାଯାଉଛି । ତେବେ ସରକାରୀ ସ୍ତରରେ ସେବା ଯୋଗାଉଥିବା ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର ବା NICର ନେଟୱର୍କ ଏଥିଯୋଗୁଁ ପ୍ରଭାବିତ ହୋଇନାହିଁ ।

ମାଇକ୍ରୋସଫ୍ଟ ସର୍ଭର ବିଭ୍ରାଟ ଯୋଗୁଁ ଆଜି ବିଶ୍ୱବ୍ୟାପୀ ଯେପରି ଅଚଳାବସ୍ଥା ଦେଖାଦେଲା, ୨୦୦୦ ମସିହା ନୂଆବର୍ଷ ଦିନ ଠିକ୍ ଏହିଭଳି ସ୍ଥିତି ଉପୁଜିଥିଲା Y2K ଭାଇରାସ୍ ବା ମିଲେନିୟମ ବଗ୍ ପାଇଁ । ତେବେ ଆଜିର 'ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍' ହଇଚଇ ପରେ, ମାଇକ୍ରୋସଫ୍ଟକୁ ମାଇକ୍ରୋ-ହାର୍ଡ ବୋଲି କଟାକ୍ଷ କରିଛନ୍ତି ଏକ୍ସ ମାଲିକ ଏଲନ ମସ୍କ । ଏଥିସହ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଅନେକ ମଜାଳିଆ ମିମ୍ ।

OTV is now on Whatsapp

Join and get latest news update delivered to you via whatsapp

Join Now