/odishatv-khabar/media/post_attachments/uploadimage/library/16_9/16_9_0/GenZ_1757944953.jpg)
GenZ
ରାଷ୍ଟ୍ରନିର୍ମାଣରେ ଯୁବପିଢ଼ିଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଯେକୌଣସି ଦେଶର ବିକାଶ ସର୍ବଦା ସେହି ଦେଶର ଯୁବପିଢ଼ିଙ୍କ ଉପରେ ନିର୍ଭରଶୀଳ । ଯୁବପିଢ଼ି ହିଁ ରାଷ୍ଟ୍ରର ରଚନାତ୍ମକ ଓ କାର୍ଯ୍ୟକ୍ଷମ ଢାଞ୍ଚା ବୋଲି ଆମେ କହିପାରିବା । ଜାତିର ଭବିଷ୍ୟତ ଯୁବପିଢ଼ିଙ୍କ ସର୍ବାଙ୍ଗୀନ ବିକାଶରେ ନିହିତ । ହେଲେ ଯୁବଶକ୍ତିଙ୍କ ଅଧିକାରକୁ ଅଣଦେଖା କରି ତାଙ୍କ ବାକ ସ୍ୱାଧୀନତାକୁ ସଙ୍କୁଚିତ କରିବା ପାଇଁ ଚେଷ୍ଟା କଲେ କିପରି କିପରି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼େ, ତାହା ପଡ଼ୋଶୀ ଦେଶ ନେପାଳରେ ଦେଖିବାକୁ ମିଳିଛି । ନିଜ ଅଧିକାର ପାଇଁ ସରକାର ବିରୋଧରେ ଲଢ଼େଇ କରିଥିବା ନେପାଳର ଯୁବଶକ୍ତି ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି । ସରକାରୀ ଦମନଲୀଳାକୁ ଭ୍ରୁକ୍ଷେପ ନକରି ଦେଶରୁ ଦୁର୍ନୀତି ହଟାଇବା, ସରକାରଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି ।
ନେପାଳରେ ଜେନ୍ ଜି ବିଦ୍ରୋହ ଏବେ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଭାରତ ପାଇଁ ମଧ୍ୟ ଏହି ଯୁବ ଆନ୍ଦୋଳନ ଖୁବ ମହତ୍ତ୍ୱପୂର୍ଣ୍ଣ, କାରଣ ପଡ଼ୋଶୀ ଦେଶର ସ୍ଥିତି ଆମର ସାମରିକ ଏବଂ ରାଜନୈତିକ ଦୃଶ୍ୟକୁ ପ୍ରଭାବିତ କରେ । ବିଗତ କିଛି ଦିନ ଧରି ନେପାଳରେ ଭ୍ରଷ୍ଟାଚାର, ଜମି ଦୁର୍ନୀତି ଓ ପରିବାରବାଦକୁ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳୁଥିଲା । ଇଣ୍ଟରନେଟରେ ଭ୍ରଷ୍ଟାଚାର ବିରୋଧରେ ଡିଜିଟାଲ ମିଡିଆରେ ଖୋଲାଖୋଲି ବିରୋଧ କରୁଥିଲେ ଯୁବଶକ୍ତି, ଯାହା କେପି ଓଲି ସରକାରଙ୍କ ପାଇଁ ଲଜ୍ଜାଜନକ ଥିଲା।
ପଡ଼ୋଶୀ ଦେଶରେ ଜମି ଦୁର୍ନୀତିଠାରୁ ଆରମ୍ଭ କରି ଲାଞ୍ଚ ପର୍ଯ୍ୟନ୍ତ ସବୁକିଛି ଏପରି ଏକ ବ୍ୟବସ୍ଥାର ଚିତ୍ର ଆଙ୍କି ଦେଇଥିଲା, ଯାହା ଯୁବପିଢ଼ିଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା । କ୍ଷମତାର ଶୀର୍ଷରେ ଥିବା ନେତାମନ୍ତ୍ରୀମାନେ କେବଳ ନିଜର ଓ ନିଜ ପରିବାରର ହିତ ଉଦ୍ଦେଶ୍ୟରେ କାମ କରୁଥିବା ଜେନ୍ ଜେଡଙ୍କର ହୃଦବୋଧ ହୋଇଥିଲା । ଏସବୁ ମଧ୍ୟରେ ନେପାଳ ସରକାର ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୟୁଟ୍ୟୁବ୍ ଭଳି ୨୬ଟି ପ୍ରମୁଖ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିଥିଲେ। ଏହି ନିଷେଧାଦେଶ ସେମାନଙ୍କ ସ୍ୱରକୁ ଦମନ କରିବା ପାଇଁ ଥିଲା ବୋଲି ବୁଝିପାରିଥିଲେ ଆନ୍ଦୋଳନକାରୀ । ଫଳରେ ମନରେ କୁହୁଳୁଥିବା ପ୍ରତିବାଦର ନିଆଁ ଆହୁରି ତୀବ୍ର ହେବା ସହ ଧୀରେ ଧୀରେ ହିଂସାର ରୂପ ନେଇଥିଲା । ବିକ୍ଷୋଭକାରୀ ପାର୍ଲାମେଣ୍ଟ, ସୁପ୍ରିମକୋର୍ଟ, ରାଜନୈତିକ ବ୍ୟକ୍ତିଙ୍କ ବାସଭବନରେ ନିଆଁ ଲଗାଇ ଦେଇଥିଲେ । ଶେଷରେ ପରିବର୍ତ୍ତନ ଚାହୁଁଥିବା ଯୁବବର୍ଗର ଦୃଢ଼ ମାନସିକତା ଆଗରେ ହାର ମାରିଥିଲେ ନେପାଳ ସରକାର। ବାଂଲାଦେଶ ପରେ ଏବେ ନେପାଳରେ ବିକ୍ଷୋଭର ସମ୍ମୁଖୀନ ହୋଇ ଶାସକ ଗାଦିଚ୍ୟୁତ ହୋଇଛନ୍ତି । ନେପାଳ ଏବେ ଗଭୀର ରାଜନୈତିକ ସଙ୍କଟ ଦେଇ ଗତି କରୁଛି ।
ନେପାଳର ଘଟଣାକ୍ରମ ଏକ ବୃହତ୍ ବିଶ୍ୱ ପରିବର୍ତ୍ତନର ଅଂଶ ପରି ମନେ ହେଉଛି । ଯେଉଁଥିରେ ଯୁବପିଢ଼ି ଖୋଲାଖୋଲି ଭାବରେ ବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ୨୦୧୯ରେ ହଂକଂରେ ମଧ୍ୟ ଏପରି ଏକ ପ୍ରତିବାଦ ହୋଇଥିଲା, ଯାହା ପ୍ରାରମ୍ଭରେ ଏକ ଚୀନ୍ ଆଇନ ବିରୋଧରେ ଥିଲା । କିନ୍ତୁ ପରେ ପରେ ଏହା ଗଣତାନ୍ତ୍ରିକ ସ୍ୱାଧୀନତା ବଞ୍ଚାଇବା ପାଇଁ ଏକ ଲଢ଼େଇରେ ପରିଣତ ହୋଇଥିଲା। ଚୀନର ବର୍ଦ୍ଧିତ ପ୍ରଭାବ ବିରୋଧରେ ହଂକଂ ଯୁବକମାନଙ୍କର ଏହି ଆନ୍ଦୋଳନ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥିଲା।
ସେହିପରି ବର୍ତ୍ତମାନ ସମୟରେ ଇଣ୍ଡୋନେସିଆରେ ଆର୍ଥିକ ସମସ୍ୟା ଏବଂ ନିର୍ବାଚିତ ସଦସ୍ୟମାନଙ୍କୁ ବିଶେଷ ସୁବିଧା ପ୍ରଦାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଜନତା । ଅନ୍ୟପକ୍ଷରେ ଫିଲିପାଇନ୍ସରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରେ ରିଲିଫ୍ ବଣ୍ଟନରେ ଦୁର୍ନୀତିକୁ ନେଇ ପ୍ରତିବାଦ ହୋଇଥିଲା। ଗତ ବର୍ଷ ହଠାତ୍ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ବାଂଲାଦେଶ ସରକାରଙ୍କ ପତନ ହୋଇଥିଲା । ଶ୍ରୀଲଙ୍କାରେ ମଧ୍ୟ ସମାନ ଘଟଣା ଘଟିଛି। ସରକାରକୁ ଅସ୍ଥିର କରୁଥିବା ଏହି ବିକ୍ଷୋଭ ପ୍ରଦର୍ଶନ ଭାରତର ଚାରିପାଖରେ ଥିବା ଦେଶଗୁଡ଼ିକରେ ଘଟୁଛି । ସେଥିପାଇଁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଆମକୁ ବୁଝିବାକୁ ପଡ଼ିବ ଏବଂ ଏପରି ଘଟଣା ଆମକୁ ଯେପରି ପ୍ରଭାବିତ ନକରିବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ ।
ସାରା ବିଶ୍ୱର ଯୁବଗୋଷ୍ଠୀଙ୍କ ପାଇଁ ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆ ଏକ ପ୍ରମୁଖ ମଞ୍ଚରେ ପରିଣତ ହୋଇସାରିଛି । ସରକାର ଜାଣିଶୁଣି ଯୁବପିଢ଼ିଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟାକଲେ, ଏପରି ହିଂସାତ୍ମକ ଆନ୍ଦୋଳନ ଜନ୍ମ ହେବା ନିଶ୍ଚିତ । ଏଥିପାଇଁ ସରକାରଙ୍କୁ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ଗୁରୁତ୍ୱ ବୁଝିବାକୁ ପଡ଼ିବ। ନେପାଳର ଆନ୍ଦୋଳନର ମୁଖ୍ୟ କାରଣ ଥିଲା କ୍ଷମତାର ଆଢ଼ୁଆଳରେ ବୃଦ୍ଧି ପାଇଥିବା ଦୁର୍ନୀତି ଏବଂ ପରିବାରବାଦ। ସାରା ବିଶ୍ୱର ଯୁବପିଢ଼ି ଏବେ ସେମାନଙ୍କର ନିର୍ବାଚିତ ଏବଂ ସରକାରୀ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବିଷୟରେ ଜାଣିବାକୁ ଆଗ୍ରହୀ। ସେମାନଙ୍କୁ ସତ୍ୟ ତଥ୍ୟ ଏବଂ ସଂଖ୍ୟା ପ୍ରଦାନ କରାନଗଲେ, ସେମାନେ ନିଜ ପାଖରେ ଥିବା ଉତ୍ସରେ ମତପ୍ରକାଶ କରିବାକୁ ଦ୍ୱିଧା କରିବେ ନାହିଁ।
ଡିଜିଟାଲ ଯୁଗରେ ଏହି ଉତ୍ସଗୁଡ଼ିକ ଡିଜିଟାଲ୍ ମିଡିଆ ଉପରେ ଆଧାରିତ ହୋଇପାରେ, ଯେଉଁଠାରେ ଆଖି ପିଛୁଳାକେ ଭୁଲ ସୂଚନା ପ୍ରଚାରିତ ହୋଇଯାଏ । ତେଣୁ ସରକାରଙ୍କୁ ନିଜର କାର୍ଯ୍ୟଶୈଳୀ ବିଷୟରେ ସ୍ୱଚ୍ଛ ହେବାକୁ ପଡ଼ିବ । କେବଳ ଏତିକି ନୁହେଁ ଜନସାଧାରଣଙ୍କ ମତାମତ ଏବଂ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଯୁବଶକ୍ତିର ଶକ୍ତିକୁ ଅଣଦେଖା କରାଯାଇପାରିବ ନାହିଁ। ତେଣୁ ସରକାରୀ ନୀତିଗୁଡ଼ିକ ଯୁବ-କୈନ୍ଦ୍ରିକ ଏବଂ ଯୁବପିଢ଼ିଙ୍କ ପାଇଁ ଲାଭଦାୟକ ହେବା ଉଚିତ। ଏଥିରେ ଶିକ୍ଷା, ନିଯୁକ୍ତି, ନ୍ୟାୟ ଏବଂ ଉନ୍ନତ ଜୀବନଶୈଳୀ ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ଏବେର ଯୁବପିଢ଼ି ପରିବାରବାଦକୁ ଆଦୌ ଗ୍ରହଣ କରିବାକୁ ରାଜି ନୁହେଁ, ତାହା ଆନ୍ଦୋଳନରୁ ସ୍ପଷ୍ଟ ହୋଇସାରିଛି । ଦେଶର ସାମଗ୍ରୀକ ବିକାଶ ପାଇଁ ଏକ ଯୋଗ୍ୟତା-ଭିତ୍ତିକ ବ୍ୟବସ୍ଥା ଆବଶ୍ୟକ। ଯୁବପିଢ଼ିଙ୍କୁ କେବଳ ଆନ୍ଦୋଳନକାରୀ ଭାବରେ ନୁହେଁ ବରଂ ଏକ ସଚେତନ ବର୍ଗ ରୂପରେ ସ୍ୱୀକାର କରିବାକୁ ପଡ଼ିବ । ସେମାନଙ୍କୁ ଅଣଦେଖା କରିବାର ପ୍ରୟାସ ହେଲେ, ସେମାନେ ରାସ୍ତାକୁ ଓହ୍ଲାଇ ପରିବର୍ତ୍ତନ ଦାବି କରିବେ । ସରକାରଙ୍କୁ ଡିଜିଟାଲ୍ ମିଡିଆ ଏବଂ ପ୍ରଯୁକ୍ତିର ପ୍ରଭାବକୁ ବୁଝିବାକୁ ପଡ଼ିବ । ଆଜିର ଯୁବପିଢ଼ି ସ୍ୱର ଉଠାଇବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଥିବା ନେପାଳ ଘଟଣାରୁ ଦେଖିବାକୁ ମିଳିଛି। ଏହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ । କିନ୍ତୁ ସଠିକ ସମୟରେ ପ୍ରଯୁକ୍ତିବିଦ୍ୟାର ସଠିକ ବ୍ୟବହାର କଲେ ଏହା ସରକାର-ଜନସାଧାରଣ ମଧ୍ୟରେ ଏକ ସେତୁ ରୂପରେ କାମ କରିପାରିବ । ନେପାଳରେ ଆନ୍ଦୋଳନ କେବଳ ଏକ ଉଦାହରଣ।
ଆଜି ଗଣତନ୍ତ୍ର ଅତ୍ୟନ୍ତ ଗତିଶୀଳ। ଅଙ୍ଗୁଳି ଟିପରେ ପ୍ରଚାର ହୁଏ ସମାଚାର । ଏପରି ସ୍ଥିତିରେ ସମୟର ଆବଶ୍ୟକତା ଅନୁଯାୟୀ ନୀତି ପ୍ରସ୍ତୁତ ଏବଂ ପରିବର୍ତ୍ତନ କରାଯିବା ଆବଶ୍ୟକ। ଯୁବପିଢ଼ିଙ୍କ ସହିତ ନିୟମିତ ସମ୍ପର୍କ ରହିବା ଉଚିତ। ବାହ୍ୟ ଶକ୍ତିଗୁଡ଼ିକ ସର୍ବଦା ଏକ ଦେଶର ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ଫାଇଦା ଉଠାଇବା ପାଇଁ ଚାହିଁ ବସିଥାଆନ୍ତି । ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ରାଷ୍ଟ୍ରଗୁଡ଼ିକ ମନେ ରଖିବା ଉଚିତ, ଭୁଲ ଉପାୟରେ ପରିଚାଳନା କରାଯାଇଥିବା ଯେକୌଣସି ପ୍ରକାରର ସାର୍ବଜନୀନ ଅଭିଯୋଗ ବଡ଼ ଧରଣର ଜନ ଆନ୍ଦୋଳନରେ ପରିଣତ ହୋଇପାରେ। ଏହା ବିରୋଧୀ ଦେଶଗୁଡ଼ିକର ଅଯଥା ହସ୍ତକ୍ଷେପ ଏବଂ ଅଶାନ୍ତିକୁ ମଧ୍ୟ ପ୍ରୋତ୍ସାହିତ କରିବାର ସୁଯୋଗ ଦେଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)