Advertisment

ଲଙ୍କା ରାଜଧାନୀରେ ଲଙ୍କାକାଣ୍ଡ: ପୋଡିଦେଲେ ପ୍ରଧାନମନ୍ତ୍ରୀଙ୍କ ଘର

ସ୍ଥିତି ଶାନ୍ତ ନହେବା ପର୍ଯ୍ୟନ୍ତ ସେ ସମୁଦ୍ର ମଝିରେ ନୌସେନା ଜାହାଜରେ ଆଶ୍ରୟ ନେବେ।

Srilanka Crisis

Srilanka Crisis

Advertisment

ଜନ ଅସନ୍ତୋଷର ନିଆଁ କୁହୁଳି କୁହୁଳି ମହାବିସ୍ଫୋରଣ। କଲମ୍ବୋ ରାଜରାସ୍ତାରେ ଜନସମୁଦ୍ର। ଶ୍ରୀଲଙ୍କା ରାଷ୍ଟ୍ରପତି ଭବନ ଆଗରେ ଲକ୍ଷାଧିକ ଲୋକଙ୍କ ସୁନାମି।  ଚାରିଆଡ଼େ ଗୋଟା ଗୋ ହୋମ୍ ନାରା। ଗୋଟାବାୟାଙ୍କ ସରକାରୀ ବାସଭବନକୁ ହଜାର ହଜାର ଲୋକ ଧସେଇ ପଶିବା ପରେ, ସେଠାରେ ଥିବା ସୁଇମିଂ ପୁଲ୍, କିଚେନ୍, ବେଡରୁମ୍  ସବୁକିଛି ଆନ୍ଦୋଳନକାରୀଙ୍କ କବଜାରେ। ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍ ସୁଇମିଂ ପୁଲ୍‌ରେ ଗାଧୋଇଲେ, ରୋଷେଇଘରେ ରାନ୍ଧିଲେ, ଆଉ ବେଡରୁମ୍‌ରେ ଗଡ଼ିଲେ। କେବଳ ରାଷ୍ଟ୍ରପତିଙ୍କ ବାସଭବନ ନୁହେଁ, ସାରା ଦେଶରେ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ, ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀ ବାସଭବନକୁ ମଧ୍ୟ ଘେରିଥିବା ସୂଚନା ମିଳିଛି।

Advertisment

ମାସ ମାସ ଧରି ଖାଦ୍ୟ ଓ ଇନ୍ଧନ ସଂକଟ, ବାରମ୍ବାର ବିଦ୍ୟୁତକାଟ୍, ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମ। ଦେଶର ବୈଦେଶିକ ମୁଦ୍ରା ପାଣ୍ଠି ଖାଲି ହୋଇଯିବା ପରେ ଶ୍ରୀଲଙ୍କାର ଅର୍ଥନୀତି ଧରାଶାୟୀ ହୋଇଛି। ଗୋଟାବାୟା ସରକାରର ଭୁଲ୍ ଅର୍ଥନୀତି ଯୋଗୁଁ ଏଭଳି ହେଉଥିବା ଅଭିଯୋଗ କରୁଛନ୍ତି ବିରୋଧୀ। ତେବେ ଜନଅସନ୍ତୋଷ ପ୍ରଶମିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ସାଙ୍କୁ ହଟାଇ ବିରୋଧୀ ଦଳର ରାନିଲ ଓ୍ୱିକ୍ରମସିଂଘେଙ୍କୁ ନୂଆ ପିଏମ୍ କରିଥିଲେ ଗୋଟାବାୟା।

ତଥାପି ସ୍ଥିତିରେ କୌଣସି ସୁଧାର ନଆସିବାରୁ ଗୋଟାବାୟାଙ୍କ ଇସ୍ତଫା ଦାବିରେ ଗତକାଲିଠୁ ଦେଶର ବିଭିନ୍ନ ସ୍ଥାନରୁ କଲମ୍ବୋ ଅଭିମୁଖେ ଲୋକଙ୍କ ସୁଅ ଛୁଟିଛି।  ଟ୍ରେନ୍, ବସ୍ ଓ ଟ୍ରକ୍‌ରେ ଲୋକେ କଲମ୍ବୋ ଆସି ଆଜି ବିଶାଳ ରାଲିରେ ସାମିଲ ହୋଇଛନ୍ତି। ବିଭିନ୍ନ ସ୍ଥାନରୁ ଲୋକେ ରେଳ ଅଧିକାରୀଙ୍କୁ ଟ୍ରେନ୍ ଚାଲୁ କରିବାକୁ ବାଧ୍ୟ କରି କଲମ୍ବୋ ଆସିଥିବା ସୂଚନା ମିଳିଛି। ଓ୍ୱାଟର୍ କ୍ୟାନନ୍, ଟିୟର୍ ଗ୍ୟାସ ଓ ଫାଙ୍କା ଗୁଳିଚାଳନା ପରେ ବି ସ୍ଥିତି ଅଣାୟତ୍ତ ହେବାରୁ ବାଧ୍ୟ ହୋଇ କଲମ୍ବୋରୁ କର୍ଫ୍ୟୁ ହଟାଇ ଦିଆଯାଇଛି।

Advertisment

ବହୁ ପୋଲିସ ଓ ସେନା ଅଧିକାରୀ ମଧ୍ୟ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ପୂର୍ବତନ କ୍ରିକେଟର୍ ସନତ୍ ଜୟସୁରିୟା ଓ କୁମାର ସାଙ୍ଗାକାରା ମଧ୍ୟ ଏହାକୁ ସମର୍ଥନ କରିଥିବା ବେଳେ ସାଂସଦ ହର୍ଷ ଡିସିଲ୍ଭା ପୂରା ପରିବାର ସହ ଏଥିରେ ସାମିଲ ହୋଇଛନ୍ତି। ରାଜପକ୍ସାଙ୍କ ପାର୍ଟିର ୧୬ ସାଂସଦ ଗୋଟାବାୟାଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କରିଛନ୍ତି। ତେବେ ଆଜି ଆନ୍ଦୋଳନ ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସାଂସଦ ରଜିତା ସେନାରତ୍ନେ।

ସେପଟେ ଆଜିର ଏହି ମହାଆନ୍ଦୋଳନର ଗୁଇନ୍ଦା ସୂଚନା ପାଇ ଗତରାତି ଠାରୁ ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍ ଛାଡ଼ି ଆର୍ମି ହେଡ୍‌କ୍ୱାର୍ଟର୍ସରେ ଶରଣ ନେଇଥିଲେ ଗୋଟାବାୟା। ଆଜି ସେ ନୌସେନା ଜାହାଜ SLN ଗଜବାହୁରେ ସମୁଦ୍ର ଭିତରକୁ ପଳାଇଥିବା ସୂଚନା ମିଳିଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏ ଦୃଶ୍ୟ ସେହି ସମୟର ବୋଲି ଚର୍ଚ୍ଚା ହେଉଛି। ସ୍ଥିତି ଶାନ୍ତ ନହେବା ପର୍ଯ୍ୟନ୍ତ ସେ ସମୁଦ୍ର ମଝିରେ ନୌସେନା ଜାହାଜରେ ଆଶ୍ରୟ ନେବେ।

Advertisment

ଅନ୍ୟପକ୍ଷରେ ଏଭଳି ସ୍ଥିତିରେ ସମାଧାନର ବାଟ ଖୋଜିବାକୁ ଆଜି ଜରୁରୀକାଳୀନ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ଓ୍ୱିକ୍ରମସିଂଘେ। ସେ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି। ସେଠାରେ ଦଳୀୟ ମୁଖ୍ୟମାନେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପଦତ୍ୟାଗ କରିବାକୁ କହିଥିବା ଏବଂ ବାଚସ୍ପତିଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ହେବାକୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି।  ତଥାପି ଆନ୍ଦୋଳନକାରୀମାନେ ତାଙ୍କ ବାସଭବନରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି।   

Emergency Alert Srilanka Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ