massive earthquakes
ଭୟଙ୍କର ଭୂମିକମ୍ପ ! ଦୁଇ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଉଠିଲା ମିଆଁମାର । ଭୁଶୁଡିଲା ଆଇକନିକ୍ ବ୍ରିଜ୍, ଭାଙ୍ଗିଲା କୋଠା, ମାଟିରେ ମିଶିଲା ସୁଉଚ୍ଚ ଅଟ୍ଟାଳିକା । ଆଜି ମିଆଁମାରରେ ଯଥାକ୍ରମେ ୭.୭ ଓ ୭.୨ ତୀବ୍ରତାର ଦୁଇଟି ବଡ଼ ଧରଣର ଭୂକମ୍ପ ହୋଇଛି । ଏହି ଭୂକମ୍ପ ଏତେ ଭୟଙ୍କର ଥିଲା ଯେ, ୯୦୦ କିଲୋମିଟର ଦୂର ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଂକକ୍କୁ ଦୋହଲାଇ ଦେଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଥିବାବେଳେ, ଅନେକ ନିଖୋଜ ଅଛନ୍ତି । ତେବେ ଏ ଯାଏଁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି । ବିଭିନ୍ନ ସ୍ଥାନରେ କୋଠା ଭୁଶୁଡି ୪୩ ଜଣ ନିଖୋଜ ଥିବା ଖବର ଆସୁଛି ।
ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂମିକମ୍ପ ପରର ଚିତ୍ର ରହିଛି ଅତ୍ୟନ୍ତ ଭୟାନକ । ଏହାର ଅନେକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କେମିତି ବଡ଼ ବଡ଼ ଅଟ୍ଟାଳିକାଗୁଡିକ ଭୂକମ୍ପ ଝଟକାରେ ଦୋହଲି ଯାଉଛି ଏବଂ ଭୁଶୁଡି ପଡୁଥିବାର ଛାତିଥରା ଦୃଶ୍ୟ ଦେଖିବାକୁ ମିଳୁଛି ।
ବଡ଼ ବଡ଼ ବିଲ୍ଡିଂ, ବ୍ରିଜ୍ ଭୁଶୁଡିଲା:
ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ସାଗାଇଂ (Sagaing) ବୋଲି ଜଣାପଡିଛି । ଏହାଯୋଗୁଁ ମିଆଁମାରରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ମାଣ୍ଡାଲାୟ ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଅନେକ ମୃତାହତ ହୋଇଥିବାର ଆଶଙ୍କା କରାଯାଉଛି । ମାତ୍ର ମୃତାହତ ସଂଖ୍ୟା ନେଇ ଅଦ୍ୟାବଧି କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇପାରିନି । ଭୂକମ୍ପ ଝଟ୍କାରେ ମାଣ୍ଡାଲାୟସ୍ଥିତ ଇରାୱାଡି ନଦୀରେ ଥିବା ଆଇକନିକ୍ ଆଭା ବ୍ରିଜ ଭୁଶୁଡି ପଡିଛି । ଏଥିସହ ବଡ଼ ବଡ଼ ବିଲ୍ଡିଂ ମଧ୍ୟ ଧୂଳିସାତ୍ ହୋଇଯାଇଛି । ଏହି ବିଲ୍ଡିଂ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।
ମିଆଁମାରରେ ଅନୁଭୂତ ଭୂକମ୍ପ ବ୍ୟାଂକକ୍ ସହିତ ଚୀନ, ତାଇୱାନ ଓ ବାଂଲାଦେଶର କିଛି ସ୍ଥାନରେ ମଧ୍ୟ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ନେଇ ଥାଇଲାଣ୍ଡ ଏମର୍ଜେନ୍ସୀ ଘୋଷଣା କରିଛି । ରାଜଧାନୀ ବ୍ୟାଂକକ୍ରେ ମେଟ୍ରୋ ସେବା ବାତିଲ୍ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବେଗ୍:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶକ୍ତିଶାଳୀ ଭୂମିକମ୍ପ ପରେ ମିଆଁମାର ଓ ଥାଇଲାଣ୍ଡର ସ୍ଥିତି ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ପୀଡିତଙ୍କ ସୁରକ୍ଷା କମନା କରି ପ୍ରଧାନମନ୍ତ୍ରୀ 'ଏକ୍ସ'ରେ କହିଛନ୍ତି, ''ମିଆଁମାର ଓ ଥାଇଲ୍ୟାଣ୍ଡର ସ୍ଥିତିକୁ ନେଇ ମୁଁ ଚିନ୍ତିତ । ସମସ୍ତ ଭୂକମ୍ପ ପୀଡିତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ଭାରତ ସବୁପ୍ରକାର ସହାୟତା କରିବାକୁ ପ୍ରସ୍ତୁତ ଅଛି । ଦୁଇ ଦେଶର ସରକାର ସହ ଯୋଗାଯୋଗରେ ରହିବାକୁ ବୈଦେଶିକ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛି ।''
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743150399.jpg)