• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଲିଜ୍ ଟ୍ରସ୍‌ଙ୍କ ଇସ୍ତଫା । ଦାୟିତ୍ୱ ଗ୍ରହଣର ୪୪ ଦିନ ପରେ ସେ ପଦତ୍ୟାଗ କରିଛନ୍ତି । ନୂଆ ସରକାରକୁ ୨ ମାସ ନପୁରୁଣୁ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ଇସ୍ତଫା ଦେଇଛନ୍ତି । ପ୍ରବଳ ଜନ ଅସନ୍ତୋଷ ଭିତରେ ପ୍ରଧାନମନ୍ତ୍ରୀ ପଦ ବଂଚାଇ ପାରିଲେନି ଟ୍ରସ । ପାଉଣ୍ଡ ମୂଲ୍ୟରେ କ୍ରମାଗତ ଅବକ୍ଷୟ, ଉର୍ଦ୍ଧ୍ୱମୁଖୀ ମୁଦ୍ରାସ୍ଫୀତି ଭିତରେ ଟିକସ ହ୍ରାସ ଲାଗି ଟ୍ରସଙ୍କ ନିଷ୍ପତ୍ତି ବ୍ରିଟେନକୁ ରିସେସନ୍ ବା ଆର୍ଥିକ ମାନ୍ଦାବସ୍ଥା ମୁହାଁ କରିଥିଲା, ଆଉ ଏଥିପାଇଁ ସେ ଜନ ଆକ୍ରୋଶର ଶିକାର ହୋଇଥିଲେ । ପ୍ରତିଶ୍ରୁତି ପାଳନରେ ଖିଲାପ ନେଇ ଅସନ୍ତୋଷ ତେଜିଥିଲା ।

 ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଲିଜ୍ ଟସଙ୍କୁ ବୁମେରାଂ ହେଲା ଉଚ୍ଚ ଆୟବର୍ଗଙ୍କ ଟିକସ ହ୍ରାସ ନିଷ୍ପତ୍ତି । ମାନ୍ଦାବସ୍ଥା ନେଇ ପ୍ରତିଦ୍ୱନ୍ଦ୍ୱୀ ଋଷି ସୁନକ୍ ଏନେଇ ଭବିଷ୍ୟବାଣୀ କରିଥିଲେ  । ଦେଶରେ ମୁଦ୍ରାସ୍ପିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ବେଳେ ବ୍ରିଟେନର ଷ୍ଟକ୍ ମାର୍କେଟ ଧରାଶାୟୀ ହୋଇଥିଲା । ଟିକସ ହ୍ରାସ ନିଷ୍ପତ୍ତିର ସାଂଘାତିକ ପରିଣାମ ଦେଖି ଏହାକୁ ପ୍ରତ୍ୟାହାର କରିଥିଲେ ଟ୍ରସ୍ । ମାତ୍ର ଏହାସତ୍ତ୍ୱେ ବି ସ୍ଥିତି ସମ୍ଭାଳି ହେଲାନି । ତେବେ ଟ୍ରସ୍‌ ଇସ୍ତଫା ଦେଇଥିବାରୁ ତାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଲଢ଼େଇ କରି ହାରିଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର ଶାସନ ଭାରି ସମ୍ଭାଳିବା ସମ୍ଭାବନା ସୃଷ୍ଟି ହୋଇଛି । 

ଇସ୍ତଫା ଦେଇ ଟ୍ରସ୍‌ କହିଛନ୍ତି, “ଯେଉଁ କାରଣ ପାଇଁ ମୋତେ ଶାସନ କରିବାକୁ କ୍ଷମତା ମିଳିଥିଲା, ମୁଁ ସେ କାମ କରିବାରେ ଅକ୍ଷମ ହୋଇଛି । ଏକଥା ମୁଁ ରାଜାଙ୍କ ସହ ମଧ୍ୟ କଥା ହୋଇଛି । ମୋ ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ଜଣାଇ ଦେଇଛି । ଏବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ଯାଏ ମୁଁ ଏହି ପଦରେ ରହିବି ।”

ସୂଚନାଯୋଗ୍ୟ ଟ୍ରସ ଦେଶର ଅର୍ଥନୀତିକୁ ସୁଧାରିବା ପ୍ରତିଶ୍ରୁତି ଦେଇ କଞ୍ଜରଭେଟିଭ ପ୍ରାର୍ଥୀର ସମର୍ଥନ ହାସଲ କରିଥିଲେ ଓ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ।