ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଲା ହାରିସ୍

ଏଥର ରିପବ୍ଲିକାନ୍ ପାର୍ଟି ପକ୍ଷରୁ ମଇଦାନରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

Kamla Harris

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଡ଼ ଖବର । ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଲା ହାରିସ୍ । ଆଜି ଏନେଇ ନିଜେ ସୂଚନା ଦେଇଛନ୍ତି ଉପରାଷ୍ଟ୍ରପତି କମଲା ହାରିସ୍ । ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ୍ ହାଉସ ରେସରୁ ଓହରି ଯିବା ପରେ କମଲା ହାରିସଙ୍କୁ ସେ ନିଜ ସମର୍ଥନ ଜଣାଇଥିଲେ । କମଲା ହାରିସ୍ ମଧ୍ୟ ଏଥିପାଇଁ ଜୋ ବାଇଡେନ୍ ଏବଂ ପାର୍ଟିକୁ କୃତଜ୍ଞତା ଜଣାଇଥିଲେ ।

 ଆଜି ସେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଆବଶ୍ୟକ ଫର୍ମ ପୁରଣ କରିଥିବା କହିବା ସହ ଏଥର ଆମେରିକା ନିର୍ବାଚନ ଜିଣିବେ ବୋଲି ଆଶା ପ୍ରକାଶ କରିଛନ୍ତି । ପ୍ରତିଟି ଭୋଟ୍ ପାଇବା ପାଇଁ ସେ କଠିନ ପରିଶ୍ରମ କରିବେ ବୋଲି କହିଛନ୍ତି । ନଭେମ୍ବରରେ ବିଜୟ ତାଙ୍କର ହିଁ ହେବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଉପରାଷ୍ଟ୍ରପତି କମଲା ହାରିସ୍ । ସେପଟେ ଏଥର ରିପବ୍ଲିକାନ୍ ପାର୍ଟି ପକ୍ଷରୁ ମଇଦାନରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ତେବେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଥିଲେ । ରାଷ୍ଟ୍ରପତି ନିର୍ବାଚନରୁ ସେ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ । ତାଙ୍କ ସ୍ଥାନରେ ସେ ରାଷ୍ଟ୍ରପତି ଦୌଡ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ କମଲା ହାରିସ୍‌ଙ୍କ ନାମ ରଖିଥିଲେ ।

ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିବା ପରେ ବାଇଡେନ୍‌ଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳି ନଥିଲା । ବାଇଡେନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବାଇଡେନ ନିଜେ ଭାବପ୍ରବଣ ହୋଇପଡ଼ିଥିଲେ । 

ବୈଠକରେ ବାଇଡେନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ତାଙ୍କ ସହ କାମ କରୁଥିବା କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ସେ ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯିବାର କାରଣ ଦର୍ଶାଇଥିଲେ । ଦେଶକୁ ସମ୍ବୋଧିତ କଲା ବେଳେ ସେ ଭାବପ୍ରବଣ ହୋଇଯାଇଥିବା ଲକ୍ଷ୍ୟ କରାଯାଇଥିଲା । ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା । ଏହା ସବ ଅବଶିଷ୍ଟ କାର୍ଯ୍ୟକାଳ ସେ ଦେଶବାସୀଙ୍କ ସେବା ଉଦ୍ଦେଶ୍ୟରେ ଜାରି ରଖିବେ ବୋଲି କହିଥିଲେ । ସେ ନିଜ କାର୍ଯ୍ୟକାଳର ଅବଶିଷ୍ଟ ସମୟରେ ଦେଶ ପାଇଁ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ । ୮୧ ବର୍ଷୀୟ ଏହି ରାଷ୍ଟ୍ରପତି ନିଜ ରାଜନୈତିକ ଜୀବନ ବିଷୟରେ କହିବା ବେଳେ ଭାବପ୍ରବଣ ହୋଇଯାଇଥିଲେ ।