ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ଇସ୍ରାଏଲ!! ଶାନ୍ତି ପାଇଁ ଉଦ୍ୟମ ବେଳେ ଭିତରେ ପଶି ଆକ୍ରମଣ ଯୋଜନା

ଅଶାନ୍ତ ମଧ୍ୟପ୍ରାଚ୍ୟ । ଆକାଶ ମାର୍ଗରେ ଆକ୍ରମଣ ପରେ ଏବେ ସ୍ଥଳଭାଗରେ ଲେବାନନ ଭିତରେ ପଶି ଆକ୍ରମଣ ପାଇଁ ସଜବାଜ ହେଉଛି ଇସ୍ରାଏଲ ।

Hezbollah attacks

ଅଶାନ୍ତ ମଧ୍ୟପ୍ରାଚ୍ୟ । ଆକାଶ ମାର୍ଗରେ ଆକ୍ରମଣ ପରେ ଏବେ ସ୍ଥଳଭାଗରେ ଲେବାନନ ଭିତରେ ପଶି ଆକ୍ରମଣ ପାଇଁ ସଜବାଜ ହେଉଛି ଇସ୍ରାଏଲ । ସ୍ଥଳବାହିନୀକୁ ପ୍ରସ୍ତୁତ ରହିବାକୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ମିଳିବା ମାତ୍ରେ ଲେବାନନ ଭିତରେ ପଶି ଶତ୍ରୁକୁ ନିପାତ କରିବା ସହ ହିଜବୁଲ୍ଲାର ସମସ୍ତ ପ୍ରତିଷ୍ଠାନ ନଷ୍ଟ କରିବାକୁ କୁହାଯାଇଛି ।

ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ଲେବାନନର ଆତଙ୍କବାଦୀ ସଂଗଠନକୁ ଛଡ଼ା ଯିବ ନାହିଁ ବୋଲି କହିଛି ଇସ୍ରାଏଲ । ଅନ୍ୟପଟେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ସିଜ୍ ଫାୟାର ପାଇଁ ଆମେରିକା ଓ ଫ୍ରାନ୍ସ ଉଦ୍ୟମ କରୁଥିବା ସୂଚନା ମିଳିଛି । ୨୧ ଦିନିଆ ଯୁଦ୍ଧ ବିରତି କରି ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରିବାକୁ ଏହି ଦୁଇ ଦେଶ ପ୍ରସ୍ତାବ ଦେଇଛନ୍ତି ।

ଅନ୍ୟପଟେ ଜାତିସଂଘ ପକ୍ଷରୁ ଯୁଦ୍ଧ ଓ ରକ୍ତପାତ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି । ଲେବାନନରେ ହଜାର ହଜାର ସଂଖ୍ୟାରେ ପେଜର ଓ ୱାକିଟକି ବିସ୍ଫୋରଣ ପରେ ଇସ୍ରାଏଲକୁ ଦାୟୀ କରି ହିଜବୁଲ୍ଲା ଆକ୍ରମଣ କରିଥିଲା । ଏହାକୁ ନେଇ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ଚାଲିଛି ।

ବୁଧବାର ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୩ ଜଣ ଆହତ ହୋଇଛନ୍ତି । ହଜାର ହଜାର ଲୋକ ବାସହରା ହୋଇଛନ୍ତି । ଗତବର୍ଷ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହାକୁ ନେଇ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିଲା ଭୟଙ୍କର ଯୁଦ୍ଧ । ଏହି ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିନଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ଲେବାନନ ସହ ଇସ୍ରାଏଲର ଯୁଦ୍ଧ ।