• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ପଡ଼ୋଶୀ ପାକିସ୍ତାନ । ଶ୍ରୀଲଙ୍କା ଭଳି ଋଣଗ୍ରସ୍ତ ପାକିସ୍ତାନ । ରୁଗଣ ଅର୍ଥବ୍ୟବସ୍ଥା, ନିମ୍ନଗାମୀ ମୁଦ୍ରା ମୂଲ୍ୟ ବଢ଼ାଇଛି ଚିନ୍ତା । ଦେଶର ଭୁଶୁଡ଼ି ପଡ଼ିଥିବା ଅର୍ଥ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଏବେ ସରକାର ନେବାକୁ ଯାଉଛନ୍ତି ବଡ଼ ପଦକ୍ଷେପ । ସମସ୍ୟାର ସମାଧାନ ଆଶା କରି ସରକାରୀ କମ୍ପାନୀର ସେୟାର ବିକ୍ରି, ପ୍ରତିଷ୍ଠାନ ବନ୍ଧକ ରଖିବା ଏବଂ କମ୍ପାନୀ ଗୁଡିକରୁ ପୁଞ୍ଜି ପ୍ରତ୍ୟାହାର ସହ ପୁଞ୍ଜି ନିବେଶ ପାଇଁ ମିତ୍ର ରାଷ୍ଟ୍ର ସହଯୋଗ ଲୋଡିବାକୁ ଯାଉଛି । ଏନେଇ ଅଣ୍ଟା ଭିଡୁଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ।

ବିଶେଷ କରି ପାକିସ୍ତାନ ସରକାର ବନ୍ଧକ ପ୍ରସ୍ତାବକୁ ପ୍ରାଥମିକତା ଦେଇଛନ୍ତି । ଜି ଟୁ ଜି ପ୍ରକ୍ରିୟା ମାଧ୍ୟମରେ ସେୟାର ବିକ୍ରି ଓ ବନ୍ଧକ ରଖିବା ଅଧିକ ଫାଇଦା ଜନକ ହେବ ବୋଲି ଆଶା ବାନ୍ଧିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଏମିତି ହେଲେ ଅର୍ଥ ବଦଳରେ ସରକାର ତାଲିକାଭୁକ୍ତ ରାଷ୍ଟ୍ରାୟତ କମ୍ପାନୀକୁ ବନ୍ଧକ ଦେଇ ପରବର୍ତ୍ତୀ ସମୟରେ ଋଣ ସୁଝି କମ୍ପାନୀ ଫେରିପାଇବେ । ଏଥିପାଇଁ କ୍ୟାବିନେଟ୍ରେ ଏସମ୍ପର୍କିତ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ସରକାରୀ କମ୍ପାନୀର ସେୟାର ବିକ୍ରି ନେଇ ମଧ୍ୟ ଆଇନରେ ସଂଶୋଧନ ଅଣାଯିବ । ଆଉ ଏହି ଆଇନର ନାଁ ରହିଛି ଇଣ୍ଟର ଗର୍ଭେଣ୍ଟ କମର୍ସିଆଲ ଟ୍ରାନଜାକ୍ସନ ୨୦୨୨ ।

ପାକିସ୍ତାନର ବର୍ତ୍ତମାନର ଅର୍ଥ ବ୍ୟବସ୍ଥା ନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରା ଭଣ୍ଡାର ବା ଆଇଏମ୍ଏଫର ଭବିଷ୍ୟବାଣୀ ପରେ ଚିନ୍ତା ବଢ଼ିଯାଇଛି । ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନ ସରକାର ନିହାତି ପକ୍ଷେ ୪ ବିଲିୟନ ଆମେରିକୀୟ ଡଲାରର ନିଅଣ୍ଟ ଅର୍ଥନୀତିକୁ ସୁଧାରିବା ଦରକାର । ଏଭଳି ନ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ । ଆଉ ଏଥିପାଇଁ ସରକାରୀ କମ୍ପାନୀକୁ ବନ୍ଧୁ ରାଷ୍ଟ୍ରଙ୍କ ପାଖରେ ବନ୍ଧା ରଖିବାକୁ ଯାଉଛି ପାକିସ୍ତାନ । ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନର ଅର୍ଥମନ୍ତ୍ରୀ ଏମ୍.ଇସମାଇଲ ।

ଗତ ବୁଧବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ ବେଳେ ଏହି ପ୍ରସଙ୍ଗରେ ସୂଚନା ଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀ ନନ୍ ଏସେନସିଆଲ ଓ ଲଗଜୁରୀ ସାମଗ୍ରୀ ଆମଦାନୀ ଉପରେ ଲାଗି ଥିବା କଟକଣା ଖୁବଶୀଘ୍ର ଉଠିଯିବ ବୋଲି ଆଶା ରଖିଛନ୍ତି । ମେ ୧୯ ରୁ ଏହି କଟକଣା ଲଗାଇଥିଲେ ପାକିସ୍ତାନ ସରକାର ।

ପାକିସ୍ତାନ ସଂସଦରେ ଯଦି ପ୍ରସ୍ତାବିତ ଇଣ୍ଟର ଗର୍ଭେଣ୍ଟ କମର୍ସିଆଲ ଟ୍ରାନଜାକସନ ୨୦୨୨ ପାସ୍ ହୁଏ, ତେବେ ବିଦେଶୀ ପୁଞ୍ଜି ନିବେଶ କ୍ଷେତ୍ରରେ ପାକିସ୍ତାନକୁ ଫାଇଦା ଦେବ । ଅଧିକ ବିଦେଶୀ ପୁଞ୍ଜି ପାକିସ୍ତାନକୁ ଆସିବ । ଆଇନ ବିଭାଗ ଦ୍ୱାରା ଅଣାଯାଇଥିବା ଏହି ପ୍ରସ୍ତାବ ଆଇନରେ ପରିଣତ ହେଲେ, ବିଦେଶୀ ପୁଞ୍ଜି ଲଗାଣକାରୀ ସଂସ୍ଥା ପାକିସ୍ତାନ ପ୍ରତି ବିଶ୍ୱାସଭାଜନ ହେବେ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଦେଶରେ ଯେଉଁ ଅର୍ଥନୈତିକ ସ୍ଥିତି ଉପୁଜିଛି । ସେଥିପାଇଁ ପାକିସ୍ତାନର ଡାର୍ଟି ପଲିଟିକ୍ସକୁ ଦାୟୀ କରିଛନ୍ତି ବିଶେଷଜ୍ଞ । ଏକ୍ସେଚେଞ୍ଜ କମ୍ପାନିଜ୍ ଆସୋସିଏସନ ଅଫ୍ ପାକିସ୍ତାନର ସେକ୍ରେଟାରୀ ଜାଫର ପରଚା ସରକାରଙ୍କ ନୀତି ଓ କାର୍ଯ୍ୟଶୈଳୀକୁ ଦୋଷ ଦେଇଛନ୍ତି । ରାଜନୈତିକ ଅସ୍ଥିରତା, ଉଦାସିନତା ଏବଂ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରି ନଥିବାରୁ ଏଭଳି ସ୍ଥିତି ଉପଜୁଥିବା କହିଛନ୍ତି ଜାଫର ।

ପାକିସ୍ତାନର ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାର ଶେଷ ହେବାକୁ ଲାଗିଲାଣି । ଶୀର୍ଷରେ ପହଞ୍ଚିଛି ପାକିସ୍ତାନରେ ମହଙ୍ଗା ଦର । ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ପାକିସ୍ତାନୀ ନାଗରିକ । ଆକାଶ ଛୁଆଁ ଦରରେ ବିକ୍ରି ହେଉଛି ପେଟ୍ରୋଲ, ଡିଜେଲ । ଲଗାତାର ବିଦ୍ୟୁତ କାଟ୍ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଲୋକେ । ଆଉ ଏସବୁ ସମସ୍ୟାର ସମାଧାନ ପାଇଁ ୪ ବିଲିୟନ ଆମେରିକୀୟ ଡଲାର ଯୋଗାଡ ପାଇଁ ଲାଗି ପଡ଼ିଛି ପାକିସ୍ତାନ । ଏଥିପାଇଁ ବନ୍ଧୁ ରାଷ୍ଟ୍ରଙ୍କୁ ପାକିସ୍ତାନର ରାଷ୍ଟ୍ରାୟତ କମ୍ପାନୀର ସେୟାର ବିକ୍ରି ହିଁ ଏକମାତ୍ର ବିକଳ୍ପ ।