• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇରାନରେ ଗଡିଲା ପ୍ରଥମ ହିଜାବ ଆନ୍ଦୋଳନକାରୀଙ୍କ ମୁଣ୍ଡ । ବେଆଇନ ରାସ୍ତା ଅବରୋଧ ଓ କର୍ତ୍ତବ୍ୟରତ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ନେଇ ୨୩ ବର୍ଷୀୟ ମହସେନ୍ ସେକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ଇରାନ୍ ସରକାର । ଗତ ସେପ୍ଟେମ୍ବରରେ ହିଜାବ ବିରୋଧୀ ଆନ୍ଦୋଳନ ବେଳେ ସେକାରୀ ତେହରାନ ସତ୍ତାର ଖାନ୍ ରୋଡ୍ ଅବରୋଧ କରିବା ସହ ଜଣେ ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଥିଲା । ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମହସିନ୍ ।

ସେ ଇଶ୍ୱରଙ୍କୁ ଅବମାନନା କରିବା ସହ ସ୍ୱତନ୍ତ୍ର ଇସଲାମୀୟ ଆଇନ ସରିଆ ଉଲ୍ଲଂଘନ କରିଥିବା ଦର୍ଶାଇଥିଲା ଇରାନର କୋର୍ଟ । ଆଉ ଦଣ୍ଡବିଧାନ ସ୍ୱରୂପ ତାଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇଛି । ତେବେ କେବଳ ମହସିନ୍ ନୁହନ୍ତି, ମୃତ୍ୟୁଦଣ୍ଡ ପାଇବାକୁ ଲାଇନରେ ଅଛନ୍ତି ଅନେକ ଆନ୍ଦୋଳନକାରୀ । ତେଣେ ଆନ୍ଦୋଳନକାରୀଙ୍କ ମନରେ ଭୟ ସୃଷ୍ଟି ଲାଗି ଇରାନ ସରକାର ବହୁ ଲୋକଙ୍କୁ ଫାଶି ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପକ୍ଷରେ ଇରାନ୍ ସରକାରଙ୍କ ଏଭଳି ବର୍ବରକାଣ୍ଡକୁ ବିଶ୍ୱବ୍ୟାପି ନିନ୍ଦା କରାଯାଇଛି । ସମାଜସେବା ଅନୁଷ୍ଠାନ ଆମ୍ନଷ୍ଟି ଇଣ୍ଟରନ୍ୟାସନାଲ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଇରାନ୍ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି । ତାସହ ସେଠିକାର ମାନବାଧିକାର ସ୍ଥିତିକୁ ନେଇ ଉଦବେଗପ୍ରକାଶ କରାଯାଇଛି । ଜର୍ମାନୀ ଓ ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ମହସେନଙ୍କୁ ଫାଶି ଦିଆଯିବାକୁ ଦୃଢ଼ ନିନ୍ଦା କରିବା ସହ ଇରାନର ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଫାର୍ସ ବୋଲି କହିଛନ୍ତି ।

ଆନ୍ଦୋଳନକାରୀଙ୍କୁ ଇରାନ ସରକାର ଠକ, ହିଂସା ସୃଷ୍ଟିକାରୀ ଓ ଅରାଜକତା ସୃଷ୍ଟିକାରୀ ଆଖ୍ୟା ଦେଇଥିବା ବେଳେ ସେମାନଙ୍କୁ ଦମନ ଲାଗି ଗୋଟିକ ପରେ ଗୋଟିଏ କଠୋର ପଦକ୍ଷେପ ନେଉଛନ୍ତି । ଯେଉଁମାନେ ଆନ୍ଦୋଳନରେ ଭାଗ ନେବେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ଦିଆଯିବାକୁ ଇରାନ୍ ସରକାର ଚିନ୍ତା କରୁଛନ୍ତି । ଯେଉଁମାନେ ହିଜାବ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କୁ ବ୍ୟାଙ୍କ ଖାତାକୁ ତୁରନ୍ତ ଅଚଳ କରିଦିଆଯିବ ବୋଲି କହିଛନ୍ତି ଇରାନ ସାଂସ୍କୃତିକ କମିଶନ ସଦସ୍ୟ ହୋସେନ୍ ଜଲାଲି ।

ତେବେ ଇରାନ କଠୋର ହିଜାବ ନିୟମରେ ସଂଶୋଧନ ଲାଗି ଚିନ୍ତା କରାଯାଉଥିବା ସୂଚନା ଦେଇଛନ୍ତି ଇରାନର ଆଟର୍ଣ୍ଣି ଜେନେରାଲ ମହମ୍ମଦ ଜାଫର ମଣ୍ଟାଜେରୀ । ଇରାନ ପାର୍ଲାମେଣ୍ଟ ଓ ନ୍ୟାୟପାଳିକା ହିଜାବ ବାଧ୍ୟତାମୂଳକ ଆଇନର ତର୍ଜମା କରୁଥିବା ସେ କହିଛନ୍ତି । ତେବେ ତାଙ୍କ ମନ୍ତବ୍ୟରେ କେତେ ଆନ୍ତରିକତା ଅଛି ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ହିଜାବ ଉଲ୍ଲଙ୍ଘନକାରୀଙ୍କ ଉପରେ ନଜର ରଖିବା ଲାଗି ଉଦ୍ଦିଷ୍ଟ ନୈତିକ ପୋଲିସ ବ୍ୟବସ୍ଥାର ଉଚ୍ଛେଦ କରାଯାଇଥିବା ପୂର୍ବରୁ ଆଟର୍ଣ୍ଣି ଜେନେରାଲ କହିଥିଲେ, ମାତ୍ର ଇରାନର ଜାତୀୟ ଗଣମାଧ୍ୟମ ତାଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛି । ନ୍ୟାୟପାଳିକା ନୁହେଁ ବରଂ ମୋରାଲ ପୋଲିସ ବ୍ୟବସ୍ଥାର ସମୀକ୍ଷା ଅଧିକାର ଗୃହମନ୍ତ୍ରଣାଳୟ ବୋଲି କୁହାଯାଇଛି ।