• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହତଶିରୀ ସୁନାର ଲଙ୍କା ପ୍ରାଚୁର୍ଯ୍ୟର ଭୂଖଣ୍ଡରେ ନାହିଁ ନାହିଁର ଆର୍ତ୍ତ ଚିତ୍କାର । ଗୁରୁତର ଆର୍ଥିକ ସଙ୍କଟର ଶୀକାର ପରେ ପଡ଼ୋଶୀ ଶ୍ରୀଲଙ୍କାରେ ସୃଷ୍ଟି ହୋଇଛି ଅତି ଉତ୍କଟ ଅବସ୍ଥା । ଏବେ ଦିନକୁ ହେଉଛି ୧୦ ଘଣ୍ଟାର ବିଜୁଳି କାଟ୍ । ପେଟ୍ରୋଲ ପମ୍ପରୁ ତେଲ ନେବାକୁ ହେଲେ ୫ ଘଣ୍ଟାର ଲମ୍ବା ଅପେକ୍ଷା । କାଗଜ ଓ କାଳି ଅଭାବରୁ ସ୍କୁଲ କଲେଜରେ ପରୀକ୍ଷା ବନ୍ଦ ଆଉ ଲୋକଙ୍କୁ ମେଡିକାଲରେ ମିଳି ପାରୁନି ସ୍ୱାସ୍ଥ୍ୟସେବା ।

ସମଗ୍ର ଶ୍ରୀଲଙ୍କା ଏବେ ଜଟିଳ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ଏ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ସୃଷ୍ଟି ହୋଇଛି ହାହାକାର ସ୍ଥିତି । କେବଳ କିଛି ଥିଲାବାଲାଙ୍କୁ ଛାଡ଼ିଦେଲେ, ଅତି ନିକୃଷ୍ଟ ହେବାକୁ ଲାଗିଲାଣି ତମାମ ଲୋକଙ୍କ ଜୀବନଧାରଣର ମାନ । ସାଧାରଣ ଖାଦ୍ୟ ସମଗ୍ରୀର ଦର ଆକାଶଛୁଆଁ ଅବସ୍ଥା । ଏତେ ଦୟନୀୟ ଯେ, ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବେଳେ ଔଷଧ ଯୋଗାଇବାକୁ ବି ସକ୍ଷମ ନାହାନ୍ତି। ସେଠାକାର ସରକାର ଫଳରେ ପ୍ରାୟ ୨ କୋଟି ୨୦ ଲକ୍ଷ ଲୋକଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ସମ୍ପୂର୍ଣ୍ଣ ଅନ୍ଧାର ଆଡ଼କୁ ଗତି କରୁଛି ।

ଅର୍ଥନୀତିରେ ଢାଞ୍ଚାଗତ ତ୍ରୁଟି, କ୍ରମାଗତ ଭାବେ ବିଦେଶୀ ଋଣ ଭାର ବୃଦ୍ଧି, ଋଣ ରାଶି ପରିଶୋଧ ନକରିବା ଆଦି କାରଣରୁ ଦେଶରେ ଦେଖାଦେଇଛି ଏ ଆର୍ଥିକ ଦୁରବସ୍ଥା । ଗଲା ୧୫ ବର୍ଷ ଧରି ଶାସନ କ୍ଷମତାରେ ଥିବା ଦଳ କେବଳ ଋଣ କରି ଖର୍ଚ୍ଚ ଭରଣା କରୁଥିବା ବେଳେ ପରିଶୋଧର ବ୍ୟବସ୍ଥା କରିନି । ଏହାବାଦ୍ ଆଉ କିଛି ପ୍ରମୁଖ କାରଣ ପାଇଁ ବି ଧରାଶାୟୀ ହୋଇଛି ଶ୍ରୀଲଙ୍କାର ଅର୍ଥନୀତି।

 

୨୦୦୯ରେ କ୍ଷମତା ପାଇଁ ଗୃହଯୁଦ୍ଧ ଓ ୨୦୧୬ର ଉତ୍କଟ ମରୁଡ଼ି ଦେଶର ଅର୍ଥନୀତିକୁ ପଛକୁ ଟାଣିଥିଲା । ତେବେ ୨୦୧୭ରେ ବିସ୍ଫୋରଣ ଦେଶବାସୀଙ୍କ ଭାଗ୍ୟକୁ ଆହୁରି ସଙ୍କଟ ଭିତରକୁ ଟାଣି ନେଇଥିଲା । ଏ ବିସ୍ଫୋରଣରେ ୨୭୯ ଜଣଙ୍କ ମୃତ୍ୟୁ ପରେ ପର୍ଯ୍ୟଟନ ସମୃଦ୍ଧ ଏ ଦେଶକୁ ପର୍ଯ୍ୟଟକଙ୍କ ସଂଖ୍ୟା କମିଥିଲା । ସେହିଭଳି ମହାମାରୀ କରୋନା ବି ଦେଶର ସ୍ଥିତି ଆହୁରି ଗମ୍ଭୀର କରିଥିବା ବେଳେ ଏବେ ଋଷିଆ-ୟୁକ୍ରେନ ଯୁଦ୍ଧ ପରେ ଅବସ୍ଥା ଅଧିକ ଦୟନୀୟ ହୋଇଛି । କୁହାଯାଉଛି ଦେଶରେ ୧୯୪୮ରେ ସ୍ୱାଧୀନତା ପରଠୁ ଏଭଳି ଆର୍ଥିକ ସଙ୍କଟ କେବେ ଦେଖାଦେଇନଥିଲା

କୁହାଯାଉଛି ଯେ, ଚୀନ ଋଣ ଯନ୍ତାରେ ଘାଣ୍ଟି ହେଉଥିବା ଏ ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ଏବେ ଶୂନ୍ୟ । ତେଣୁ ବିଦେଶରୁ ଖାଦ୍ୟ, ତୈଳ ଓ ଅନ୍ୟ ସାମଗ୍ରୀ ଆମଦାନୀ ପାଇଁ ସରକାରଙ୍କ ହାତ ଖାଲି । ଏଭଳି ସ୍ଥିତିରେ ଏବେ ଅାନ୍ତର୍ଜତୀୟ ମୁଦ୍ରାପାଣ୍ଠିର ସହାୟତାକୁ ଅନାଇ ରହିଛି ଶ୍ରୀଲଙ୍କା ।