• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଲିସ୍ତାନୀ ସମର୍ଥକଙ୍କ ଟାର୍ଗେଟରେ ଭାରତୀୟ ଦୂତାବାସ । ଆମେରିକାର ଭାରତୀୟ ବାଣିଜ୍ୟିକ ଦୂତାବାସରେ ନିଆଁ ଲଗାଇ ଦେଲେ ଖଲିସ୍ତାନୀ ସମର୍ଥକ । ଶିଖ୍ ଫର୍‌ ଜଷ୍ଟିସ୍‌ର ଆତଙ୍କବାଦୀ ଗୁରୁପତନ୍ତ ସିଂ ପନ୍ନୁ ୮ ଜୁଲାଇରୁ ବିଦେଶରେ ଥିବା ଭାରତୀୟ ଦୂତାବାସକୁ ଘେରିବାକୁ ଘୋଷଣା କରିବାର ପରଦିନ ଏହି ଘଟଣା ଘଟିଛି । ଏଫବିଆଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ଏହି ଘଟଣା ସହ ସମ୍ପର୍କୀତ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ସେୟାର ହୋଇଥିବା ଭିଡିଓ ଅନୁଯାୟୀ, ଜୁଲାଇ ୨ ତାରିଖ ରାତିରେ ଭାରତୀୟ ଦୂତାବାସରେ ଅଗ୍ନିକାଣ୍ଡ ଘଟଣା ଘଟିଛି । ଛଅ ମାସରେ ଦ୍ୱିତୀୟ ଥର ପାଇଁ ଏଭଳି ଘଟଣା ଘଟିଛି । 

ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣାର ଯାଞ୍ଚ ଆରମ୍ଭ କରିଛି FBI:

ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସକୁ ଖାଲିସ୍ତାନୀ ସମର୍ଥକମାନେ ଟାର୍ଗେଟ କରିଛନ୍ତି । ତେବେ ଆଶ୍ୱସ୍ତିର ବିଷୟ ଏଥିରେ ଭାରତୀୟ ଦୂତାବାସକୁ ଅଧିକ କ୍ଷତି ହୋଇନାହିଁ । ଅଗ୍ନିକାଣ୍ଡର କିଛି ସମୟରେ ପରେ ହିଁ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା, ଏହା ପରେ ଏଫବିଆଇ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି । ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ, ମଙ୍ଗଳବାର ଦିନ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ହୋଇଥିବା ଭଙ୍ଗାରୁଜା ତଥା ଅଗ୍ନିକାଣ୍ଡ ପ୍ରୟାସକୁ ଆମେରିକା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।

ରବିବାର ରାତିରେ ଆକ୍ରମଣ:

ରବିବାର ରାତି ୧:୩୦ ରୁ ୨:୩୦ ମଧ୍ୟରେ ଖାଲିସ୍ତାନୀ ସମର୍ଥକ ମାନେ ଭାରତୀୟ ଦୂତାବାସରେ ନିଆଁ ଲଗାଇ ଦେଇଛନ୍ତି । ହେଲେ ଖବର ପାଇବା ମାତ୍ରେ ସାନ ଫ୍ରାନସିସ୍କୋର ଅଗ୍ନିଶମ ବାହୀନି ନିଆଁକୁ ଶୀଘ୍ର ଆୟତ କରିଥିଲା । ରିପୋର୍ଟରେ କୁହାଯାଇଛି , ଏହି ଘଟଣାରେ କମ୍‌ କ୍ଷୟକ୍ଷତି ହୋଇଥିବା ବେଳେ କୌଣସି କର୍ମଚାରୀ ଆହତ ହୋଇନାହାଁନ୍ତି । ଅଭିଯୋଗ ଅନୁଯାୟୀ ଖଲିସ୍ତାନ ସମର୍ଥକମାନେ ଏହି ଘଟଣା ସମ୍ପର୍କରେ ଏକ ଭିଡିଓ ଜାରି କରିଛନ୍ତି । ଏହି ଘଟଣା ଗତ ମାସରେ କାନାଡାରେ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜରଙ୍କ ହତ୍ୟାର ପ୍ରତିଶୋଧ ବୋଲି ଭିଡିଓରେ ବର୍ଣ୍ଣନା କରାଯାଇଛି ।

ସୂଚନାଯୋଗ୍ୟ ଗତ ମାସରେ ଭାରତର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ତଥା ଖଲିସ୍ତାନ ଟାଇଗର ଫୋର୍ସ(KTF)  ମୁଖ୍ୟ ହାର୍ଦ୍ଦିକ ସିଂ ନିଜରକୁ କାନାଡ଼ାରେ ଗୁଳି କରି ହତ୍ୟା କରାଯାଇଥିଲା । ତା’ ମୁଣ୍ଡ ଉପରେ ୧୦ ଲକ୍ଷର  ପୁରସ୍କାର ରାଶି ଥିଲା । ନିଜର ହତ୍ୟାକୁ ବିରୋଧ କରୁଥିବା କିଛି ସମର୍ଥକ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି । ତେବେ ସେମାନଙ୍କ ପରିଚୟ ମିଳି ପାରିନି ।