LACରୁ ହଟିବେ ଭାରତ-ଚୀନ୍ ସେନା ! ମୋଦି-ଜିନପିଙ୍ଗ ଭେଟ ପରଠୁ ବଦଳୁଛି ଚିତ୍ର

ଭାରତ-ଚୀନ୍ ସୀମାରେ ଫେରୁଛି ଶାନ୍ତି । ଉଭୟ ଦେଶ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍-LACରେ ପାଟ୍ରୋଲିଂକୁ ନେଇ ସହମତି ପରେ, ସୈନ୍ୟ ଅପସାରଣ ପାଇଁ ହେଲା ବଡ଼ ନିଷ୍ପତ୍ତି ।

India China

ଭାରତ-ଚୀନ୍ ସୀମାରେ ଫେରୁଛି ଶାନ୍ତି । ଉଭୟ ଦେଶ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍-LACରେ ପାଟ୍ରୋଲିଂକୁ ନେଇ ସହମତି ପରେ, ସୈନ୍ୟ ଅପସାରଣ ପାଇଁ ହେଲା ବଡ଼ ନିଷ୍ପତ୍ତି । ଲଦାଖର ଡେପସାଙ୍ଗ ଓ ଡେମଚୋକରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ଚଳିତ ମାସ ଅର୍ଥାତ୍ ଅକ୍ଟୋବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହୋଇପାରେ ସୈନ୍ୟ ଅପସାରଣ ପ୍ରକ୍ରିୟା । ତେବେ ଉଭୟ ଦେଶ ଏହି ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବେ ଏବଂ ପାଟ୍ରୋଲିଂକୁ ବାହାରିବା ପୂର୍ବରୁ ପ୍ରତିପକ୍ଷଙ୍କୁ ଏନେଇ ଅବଗତ କରିବେ ବୋଲି ନିଷ୍ପତ୍ତି ହୋଇଛି । ସୂଚନା ଯୋଗ୍ୟ ଯେ, ୨୦୨୦ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ପାଟ୍ରୋଲିଂକୁ ନେଇ ବିବାଦରୁ ଗଲୱାନ୍ ସଂଘର୍ଷ ଭଳି ଭୟଙ୍କର ସ୍ଥିତି ଉପୁଜିଥିଲା ।

କେଉଁ ଦେଶ LACର କେତେ ଭିତର ଯାଏଁ ପାଟ୍ରୋଲିଂ କରିପାରିବ ଏହାକୁ ନେଇ ବିବାଦ ଉଗ୍ର ହୋଇଥିଲା । ଏହା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବା ସହ, ସୀମା ଉଭୟ ପଟେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିଥିଲେ ଭାରତ ଓ ଚୀନ୍ । ଏହାର ସମାଧାନ ପାଇଁ ବହୁ ପର୍ଯ୍ୟାୟରେ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ ଏବଂ କୂଟନୈତିକ ଆଲୋଚନା ଅନୁଷ୍ଠିତ ହୋଇଥିଲା ଉଭୟ ଦେଶ ମଧ୍ୟରେ ।

ତେବେ କିଛି ଦିନ ତଳେ ୪ ବର୍ଷ ଧରି LACରେ ପାଟ୍ରୋଲିଂକୁ ନେଇ ଲାଗି ରହିଥିବା ଛକାପଞ୍ଝାର ଅନ୍ତ ଘଟିଛି । ପୂର୍ବ ଲଦାଖରେ ପାଟ୍ରୋଲିଂକୁ ନେଇ ଭାରତ ଓ ଚୀନ ମଧ୍ୟରେ ଆପୋଷ ବୁଝାମଣା ସଫଳ ହୋଇଛି । ଏହାପରେ ବ୍ରିକ୍ସ ସମ୍ମିଳନୀ ଅବସରରେ ରୁଷିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟ ସାକ୍ଷାତ ହେବା ପରଠୁ, ସୀମାରେ ଚିତ୍ର ବଦଳିବାରେ ଲାଗିଛି ଏବଂ ତିକ୍ତତାରେ ସୁଧାର ଆସୁଥିବା କୁହାଯାଉଛି ।