ହିଜବୁଲ୍ଲାକୁ ଶକ୍ତ ଧକ୍କା, ଇସ୍ରାଏଲ ଏୟାରଷ୍ଟ୍ରାଇକରେ ଆତଙ୍କୀ ସଙ୍ଗଠନର ମୁଖ୍ୟ ହସନ ନସରଲ୍ଲାହ ନିହତ

କେବଳ ହିଜବୁଲ୍ଲାର ଶୀର୍ଷ ନେତା ହସନ ନୁହଁନ୍ତି, ଇସ୍ରାଇଲେ କ୍ଷେପଣାସ୍ତ୍ର ଆକ୍ରମଣରେ ହେଜବୁଲ୍ଲାରେ ଆହୁରି ଅନେକ ଆତଙ୍କୀଙ୍କ ମୃତ୍ୟୁ ହୋଇଛି ।

Hassan Nasrallah

ହିଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ହସନ ନସରଲ୍ଲାହ ନିହତ । ଇସ୍ରାଏଲର ଘନ ଘନ ମିଜାଇଲ ଓ ରକେଟ ମାଡରେ ହିଜବୁଲ୍ଲାର ମୁଖ୍ୟାଳୟ ଧ୍ବଂସବିଧ୍ବସ୍ତ ହୋଇଯାଇଛି । ଲେବାନନ୍‌ର ରାଜଧାନୀ ବେୟରୁତରେ ଏକ ଗୁପ୍ତ ଘରେ ହସନ ଥିବା ବେଳେ ଇସ୍ରାଏଲ ସେନା ରାର୍ଡାରରେ ଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଏହି ମୁଖ୍ୟାଳୟ ଉପରକୁ ଘନ ଘନ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା ଇସ୍ରାଏଲ । ଏକ ଜନବସତି ଅଞ୍ଚଳ ମଧ୍ୟରେ ହିଜବୁଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଥିବାରୁ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି ।

କେବଳ ହିଜବୁଲ୍ଲାର ଶୀର୍ଷ ନେତା ହସନ ନୁହଁନ୍ତି, ଇସ୍ରାଇଲେ କ୍ଷେପଣାସ୍ତ୍ର ଆକ୍ରମଣରେ ହେଜବୁଲ୍ଲାରେ ଆହୁରି ଅନେକ ଆତଙ୍କୀଙ୍କ ମୃତ୍ୟୁ ହୋଇଛି । ଫଳରେ ହିଜବୁଲ୍ଲା ଆତଙ୍କୀ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା । ସୋସିଆଲ ମିଡିଆ ଏକ୍ସରେ ହସନ ନସରଲ୍ଲାହର ମୃତ୍ୟୁ ସୂଚନା ଦେଇଛି ଇସ୍ରାଏଲ ଡିଫେନସ ଫୋର୍ସ । ପୃଥିବୀରେ ଆତଙ୍କ ରଚିବା ଲାଗି ଆଉ ସକ୍ଷମ ନୁହେଁ ହସନ ନସରଲ୍ଲାହ । ଏଭଳି ବାର୍ତ୍ତା ରଖିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ । ଏଥିସହ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖପାତ୍ର ଲେଫଟନାଣ୍ଟ କର୍ଣ୍ଣେଲ ନାଦଭ ସୋସାନୀ ମଧ୍ୟ ସମାନ କଥା ଦୋହରାଇଛନ୍ତି। ଖାଲି ନସରଲ୍ଲାହ ନୁହେଁ, ରକେଟ ମାଡରେ ତାଙ୍କ ଝିଅ ଜେନବର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଶୁକ୍ରବାର ରାତିରେ ହିଜୁବୁଲ୍ଲା ମୁଖ୍ୟ ରହୁଥିବା ଅଞ୍ଚଳରେ ଘନ ଘନ ରକେଟ ଆକ୍ରମଣ କରିଥିଲା ଇସ୍ରାଏଲ । ପୂର୍ବ ଓ ଦକ୍ଷିଣ ଲେବାନନରେ ଘନ ଘନ ଆକ୍ରମଣ ଯୋଗୁ ଅନେକ କ୍ଷୟକ୍ଷତି ହୋଇଛି । ଶୁକ୍ରବାର ରାତି ତମାମ ଏସବୁ ସ୍ଥାନରେ ରକେଟ ବର୍ଷା କରିଛି ଇସ୍ରାଏଲ । ଏମିତିକି ଦୁଇ ପକ୍ଷର ଘମାଘୋଟ ଲଢେଇ ପାଇଁ ଲେବାନନ ତା’ର ସମସ୍ତ ହସ୍ପିଟାଲକୁ ସ୍ବାସ୍ଥ୍ୟସେବା ନେଇ ଆଲର୍ଟ ଜାରି କରିଛି । ଜରୁରୀ ସେବା ଆବଶ୍ୟକ କରୁନଥିବା ରୋଗୀ ହସ୍ପିଟାଲ ଖାଲି କରିବାକୁ ନିର୍ଦ୍ଦେଶ ରହିଛି। ଉତ୍ତର ଇସ୍ରାଏଲରେ ରକେଟ ଆକ୍ରମଣ କରିଥିବା ନେଇ ଖୋଦ ହିଜବୁଲ୍ଲା ସଙ୍ଗଠନ ଦାବି କରିବାରୁ ଗୋଟିଏ ଦିନ ପରେ ଇସ୍ରାଏଲ ସେନା ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛି । ଲେବାନନ ପଟୁ ମଧ୍ୟ ଇସ୍ରାଏଲ ଉପରକୁ ଘନ ଘନ ରକେଟ ମାଡ କରାଯାଇଛି । ହେଲେ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗୁ ସମସ୍ତ ରକେଟକୁ ଆକାଶ ମାର୍ଗରୁ ନଷ୍ଟ କରିଦିଆଯାଇଛି । ହେଲେ ଗୋଟିଏ ରକେଟ ଏକ ଜନବସତି ଅଞ୍ଚଳରେ ପଡିଛି । ତେବେ ଇସ୍ରାଏଲର କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି ।

ଲେବାନନରେ ସମସ୍ତ ସୁବିଧା ପାଉଥିଲା ହସନ ନସରଲ୍ଲାହ। ଅଖଣ୍ଡ କ୍ଷମତା ବଳରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ ନସରଲ୍ଲାହ। ତେଣୁ ହସନର ମୃତ୍ୟୁ ପରେ ହିଜବୁଲ୍ଲା ସଙ୍ଗଠନର ଏକପ୍ରକାର ମେରୁଦଣ୍ଡ ଭାଙ୍ଗିଯାଇଛି ।