Advertisment

ନାହେଲ୍ ଏମ୍ କିଏ ? ଯାହାର ମୃତ୍ୟୁକୁ ନେଇ ଫ୍ରାନ୍ସରେ ଥମୁନି ହିଂସାକାଣ୍ଡ

କିଭଳି ସ୍ଥିତିରେ ହେଲା ନାହେଲଙ୍କ ମୃତ୍ୟୁ? ପୋଲିସର କହିବା ଅନୁଯାୟୀ ..୨୦୨୧ ପରେ ନାହେଲଙ୍କୁ ୫ ଥର ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡିଛି।

author-image
Prangyan Parimita
ଅଦ୍ୟତନ ହୋଇଛି
France Riots Live Updates

France riots

ଫ୍ରାନ୍ସରେ ଥମୁନି ହିଂସା । ଭଙ୍ଗାରୁଜା, ପୋଡ଼ାଜଳା ସହ ଚାଲିଛି ଲୁଟପାଟ୍। ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟ ଯୁବକର ମୃତ୍ୟୁ ପରେ ପ୍ୟାରିସରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଏବେ ଫ୍ରାନ୍ସର ଅନ୍ୟ ସହର ଏବଂ ଅନ୍ୟ ଦେଶକୁ ବି ବ୍ୟାପିଲାଣି । ହଜାର ହଜାର ଲୋକ କେବଳ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି ସେମାନେ । ତେବେ ଯେଉଁ ଯୁବକଙ୍କ ପାଇଁ ଫ୍ରାନ୍ସ ଜଳୁଛି, ତାଙ୍କ ସମ୍ପର୍କରେ ଜାଣିବା..

Advertisment

ନାହେଲ ଏମ୍ । ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆର ମୂଳ ବାସିନ୍ଦା । ଫ୍ରାନ୍ସରେ ନିଜ ପରିବାର ସହ ରହୁଥିଲେ ନାହେଲ । ବାପା ମାଆଙ୍କ ଏକମାତ୍ର ପୁଅ ଥିଲେ ଏହି ୧୭ ବର୍ଷୀୟ ଯୁବକ । ତାଙ୍କର କୌଣସି ଅପରାଧିକ ପୃଷ୍ଠଭୂମି ମଧ୍ୟ ନଥିଲା । ଗତ ମଙ୍ଗଳବାର ସକାଳେ ନାହେଲ କାରରେ ଯାଉଥିବା ବେଳେ ପୋଲିସ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସି ସାରିଛି ।

ଅଧିକ ପଢ଼ନ୍ତୁ: ଭଙ୍ଗାରୁଜା... ପୋଡ଼ାଜଳା... ଲୁଟପାଟ୍, ୭ ଦିନ ହେଲା ଦାଉଦାଉ ଜଳୁଛି ଫ୍ରାନ୍ସ

Advertisment

ଯେଉଁଥିରେ ପୋଲିସ କର୍ମୀ ନାହେଲଙ୍କ ଆଡକୁ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି ଏବଂ ଅତି ନିକଟରୁ ଗୁଳି କରୁଥିବା ଦେଖିବାକୁ ମିଳିଛି । ଟ୍ରାଫିକ ଯାଞ୍ଚ ବେଳେ ନାହେଲ ଅଟକି ନଥିଲେ। ସେ ତାଙ୍କ କାରକୁ ଆଗକୁ ନେଇଯାଇଥିଲେ । ସେ କାଳେ ଅନ୍ୟ ଲୋକଙ୍କୁ ଧକ୍କା ଦେବେ, ତାକୁ ରୋକିବା ପାଇଁ ଗୁଳି ଚଳାଯାଇଥିବା ପୋଲିସ କହୁଛି ।

ତେବେ ନାହେଲଙ୍କ ମାଆଙ୍କ କହିବା ଅନୁଯାୟୀ ତାଙ୍କ ପୁଅକୁ ସମସ୍ତେ ଭଲପାଉଥିଲେ। ନାହେଲ ରଗବୀ ଲିଗରେ ମଧ୍ୟ ଖେଳୁଥିଲେ । ପାଠପଢ଼ାରେ ନାହେଲଙ୍କ ମନ ଲାଗୁନଥିବା ବେଳେ ସେ ଇଲେକ୍ଟିସିଆନ ହେବା ଲାଗି କଲେଜରେ ଆଡମିଶନ ନେଇଥିଲେ। ତାଙ୍କ ପୁଅର ମୃତ୍ୟୁ ଲାଗି ସେ ପୋଲିସ ବିଭାଗକୁ ଦାୟୀ କରୁନାହାନ୍ତି । କେବଳ ସେହି ଲୋକକୁ ଦାୟୀ କରୁଛନ୍ତି ଯିଏ ତାଙ୍କ ପୁଅକୁ ଗୁଳି ମାରିଛି ବୋଲି ନାହେଲଙ୍କ ମାଆ କହିଛନ୍ତି। ମିଡିଆ ସହ କଥା ହେବା ବେଳେ ନାହେଲଙ୍କ ମାଆ କହିଛନ୍ତି, ମୋର ଅନେକ ବନ୍ଧୁ ପୋଲିସରେ ଅଛନ୍ତି ଏବଂ ସେମାନେ ମୋ ସହ ଅଛନ୍ତି।...

ଅନ୍ୟପଟେ ପୋଲିସର କହିବା ଅନୁଯାୟୀ ୨୦୨୧ ପରେ ନାହେଲଙ୍କୁ ୫ ଥର ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡିଛି। ମାତ୍ର ଯାଞ୍ଚ ପାଇଁ ରହିବା ଲାଗି କୁହାଯାଉଥିବା ବେଳେ ସେ କେବେ ହେଲେ ରହୁନଥିଲେ। ମଙ୍ଗଳବାର ଯେତେବେଳେ ପୋଲିସ ତାଙ୍କୁ ଯାଞ୍ଚ ଲାଗି ଅଟକିବାକୁ କହିଥିଲା ସେହି କାରରେ ପୋଲାଣ୍ଡ ନମ୍ବର ପ୍ଲେଟ୍ ଲାଗିଥିଲା ଏବଂ ସେଥିରେ ଆଉ ୨ ଜଣ ଯାତ୍ରୀ ଥିଲେ।

୧୭ ବର୍ଷ ବୟସରେ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ମିଳିନଥାଏ। ମାତ୍ର ନାହେଲ ଗାଡ଼ି ଚଳାଉଥିଲେ ବୋଲି ପୋଲିସ କହିଛି । ଏକ ମାମଲାରେ ଗତ ୨୦୨୨ ମସିହାରେ ନାହେଲ ଜୁଭେନାଇଲ କୋର୍ଟରେ ହାଜର ହୋଇନଥିବାରୁ ଗତ ସପ୍ତାହରେ ମଧ୍ୟ ତାଙ୍କୁ ପୋଲିସ କିଛି ସମୟ ଲାଗି ନିଜ ହେପାଜତକୁ ନେଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଗତ ୨୦୧୭ରେ ଫ୍ରାନ୍ସରେ ଏକ ଆଇନ ପ୍ରଣୟନ କରାଯାଇଥିଲା । ଏଥିରେ ଗୁଳି ଚଳାଇବା ଅଧିକାର ଉପରେ ପୋଲିସକୁ ଅଧିକ କ୍ଷମତା ଦିଆଯାଇଥିଲା । ମାନବାଧିକାର ସଂଗଠନ ଏହି ନିୟମକୁ ବିରୋଧ କରିଆସୁଛନ୍ତି । ସମାଚାର ଏଜେନ୍ସି ରଏଟରର ତଥ୍ୟ ଅନୁଯାୟୀ, ଫ୍ରାନ୍ସ ପୋଲିସ ଗୁଳିରେ ୨୦୧୭ରୁ ଏବେ ପର୍ଯ୍ୟନ୍ତ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ କଳା ଏବଂ ଆରବ ଦେଶର ଲୋକେ । ଟ୍ରାଫିକ ଚେକିଂ ଲାଗି ନ ରହିବା ମାମଲାରେ ଗତ ବର୍ଷ ମଧ୍ୟ ଫ୍ରାନ୍ସରେ ପୋଲିସ ଗୁଳିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଚଳିତ ବର୍ଷ ନାହେଲଙ୍କ ସମେତ ୩ ଜଣଙ୍କର ସମାନ ପରିସ୍ଥିତିରେ ମୃତ୍ୟୁ ଘଟିଥିବା କୁହାଯାଉଛି ।

France Riots
Advertisment
Advertisment