france
ନେପାଳର ଜେନ-ଜି ବିକ୍ଷୋଭ ଯେପରି ହିଂସାତ୍ମକ ରୂପ ନେଇଥିଲା ଏବେ ଫ୍ରାନ୍ସରେ ବି ସମାନ ସ୍ଥିତି ଦେଖାଯାଇଛି । ଫ୍ରାନ୍ସରେ ମୁଣ୍ଡ ଟେକିଛି ସରକାର ବିରୋଧୀ ଆନ୍ଦୋଳନ । ସରକାରଙ୍କ ଅର୍ଥନୈତିକ ନୀତିକୁ ବିରୋଧ କରି ଚାଲିଛି ହିଂସାତ୍ମକ ବିକ୍ଷୋଭ । ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଲୋକ ।
ପ୍ୟାରିସ, ଲାୟନ ସହ ଅନେକ ବଡ଼ ବଡ଼ ସହରରେ ଆନ୍ଦୋଳନକାରୀ ଏକାଠି ହୋଇ ପୋଡାଜଳା, ଭଙ୍ଗାରୁଜା କରୁଛନ୍ତି । ବସ୍ ଜାଳିଛନ୍ତି । ଟ୍ରେନ ଚଳାଚଳ ଅଟକାଇଛନ୍ତି । ରାସ୍ତା ଅବରୋଧ କରିବା ବିଭିନ୍ନ ସରକାର ପ୍ରତିଷ୍ଠାନକୁ କରିଛନ୍ତି ଅଚଳ । ଦେଶରେ ସବୁକିଛି ଠପ୍ କରି ସରକାରଙ୍କୁ ନଇଁବାକୁ ବାଧ୍ୟ କରିବା ପାଇଁ ଆରମ୍ଭ ହୋଇଛି ଆନ୍ଦୋଳନ । ଏହି ଆନ୍ଦୋଳନକୁ 'ବ୍ଲକ ଏଭ୍ରିଥିଙ୍ଗ' ନାମ ଦିଆଯାଇଛି ।
ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ, ପାଣି ମାଡ଼ କରିଛି ପୋଲିସ । ୪୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରାୟ ୮୦ ହଜାର ପୋଲିସ ନିୟୋଜିତ କରାଯାଇଛି ।
ତେବେ କାହିଁକି ଫ୍ରାନ୍ସରେ ଏହି ଆନ୍ଦୋଳନ ?
ଫ୍ରାନ୍ସରେ ରାଜନୈତିକ ଅସ୍ଥିରତା ପରେ ଏପରି ହିଂସାତ୍ମକ ବିକ୍ଷୋଭ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଫ୍ରାଙ୍କୋସି ବାୟୁର୍ ଆସ୍ଥା ଭୋଟରେ ହାରିବା ପରେ ଇସ୍ତଫା ଦେଇଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ବଜେଟରେ ସାର୍ବଜନୀନ ଖର୍ଚ୍ଚରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ହ୍ରାସ କରିଥିଲେ । ସର୍ବସାଧାରଣ ଛୁଟି କମାଇବା ସହ ପେନସନ ବନ୍ଦ କରିଥିଲେ । ଏହି କାରଣରୁ ବଢ଼ି ଚାଲିଥିଲା ଜନଅସନ୍ତୋଷ ।
ବାୟୁର୍ ଇସ୍ତଫା ଦେବାର ଦିନକ ପରେ ରାଷ୍ଟ୍ରପତି ମାକ୍ରନ ନିଜର ଅତ୍ୟନ୍ତ ଘନିଷ୍ଠ ସେବାଷ୍ଟିଆନ ଲେକ୍ରୋନୁଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ । ହେଲେ ମାକ୍ରନଙ୍କ ନୀତିରେ ଅସନ୍ତୁଷ୍ଟ ହୋଇ ତାଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ଲୋକେ । ଆଗକୁ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ନେବାର ଆଶଙ୍କା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/france_1757599745.jpg)